ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କରୋନା ଔଷଧ ଫାବି ଫ୍ଲୁ ବଣ୍ଟନ କରିବା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଭାରତୀୟ ଔଷଧ ନିୟନ୍ତ୍ରକ ନିର୍ଦେଶାଳୟ (ଡିସିଜିଆଇ)କୁ ହାଇକୋର୍ଟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି।
ଗମ୍ଭୀରଙ୍କ ବିରୋଧରେ ହାଇକୋର୍ଟରେ ଏକ ପିଟିଶନ ରୁଜୁ ହୋଇଥିଲା। ମହାମାରୀ ସମୟରେ ଗମ୍ଭୀର ବହୁ ପରିମାଣରେ ଔଷଧ କିଣି ଠୁଳ କରିଥିବା ନେଇ ପିଟିଶନରେ ଅଭିଯୋଗ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଯଦିଓ ତାଙ୍କ ଉଦ୍ଦେଶ୍ୟ ଠିକ୍, କିନ୍ତୁ ସେ ଏକ ସମୟରେ ବହୁ ପରିମାଣର ଔଷଧ କିଣି ଅନିଷ୍ଟ କରିଛନ୍ତି।
କୋର୍ଟ ଆହୁରି କହିଛନ୍ତି, ଯାହା କିଛି ବି ତଦନ୍ତ ହୋଇଛି, ଏବେ ଡିସିଜିଆଇ ଏହାର ଅନୁସନ୍ଧାନ କରୁ। ଗମ୍ଭୀର ଜଣେ ଜାତୀୟ ସ୍ତରର ଖେଳାଳି। ଆମେ ନିଶ୍ଚିତ ଯେ ତାଙ୍କ ଉଦ୍ଦେଶ୍ୟ ଭଲ ଥିଲା। କିନ୍ତୁ ଯେଉଁ ବାଟ ଦେଇ ସେ ଯାଇଛନ୍ତି, ତାହାଦ୍ବାରା ସେ ପ୍ରକୃତରେ ଅନିଷ୍ଟ କରିଛନ୍ତି, ଯଦିଓ ତାଙ୍କର ସେଭଳି କୌଣସି ଉଦ୍ଦେଶ୍ୟ ନାହିଁ।



