ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ଅରୁଣ ଜେଟଲୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଜେଟଲୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।
ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ୍ ଜେଟ୍ଲୀ ଜଣେ ବିଚକ୍ଷଣ ଆଇନଜୀବୀ, ଅଭିଜ୍ଞ ସାଂସଦ ଓ ଉଚ୍ଚକୋଟୀର ମନ୍ତ୍ରୀ ଥିଲେ। ଦେଶ ଗଠନରେ ତାଙ୍କର ବିଶେଷ ଅବଦାନ ରହିଛି। ଉପରାଷ୍ଟ୍ରପତି ଏମ୍. ଭେଙ୍କିୟାନାଇଡୁ ତାଙ୍କର ଚେନ୍ନାଇ କାର୍ଯ୍ୟକ୍ରମ ବାତିଲ କରି ନୂଆଦିଲ୍ଲୀକୁ ଫେରିବା ସହଜେଟ୍ଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଅରୁଣ ଜେଟଲୀଙ୍କୁ ଜଣେ ଟାଣୁଆ ରାଜନେତା, ବିଜ୍ଞ ଓ ବିଚକ୍ଷଣ ଆଇନଜୀବୀ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଛନ୍ତି ତାଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସ୍ୱର୍ଗତ ଜେଟ୍ଲୀଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଓ ଅତ୍ୟନ୍ତ ମୂଲ୍ୟବାନ ସହକର୍ମୀ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜେଟ୍ଲୀଙ୍କ ବିୟୋଗରେ ତାଙ୍କର ବ୍ୟକ୍ତିଗତ କ୍ଷତି ହୋଇଛି। ସେ ତାଙ୍କର ଜଣେ ପାରିବାରିକ ବନ୍ଧୁ ଥିଲେ।
ସୂଚନା ଯୋଗ୍ୟ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏର ପ୍ରଥମ କାର୍ଯ୍ୟକାଳରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ। ପୂର୍ବରୁ ସେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଓ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳୟ ସମୟରେ ପ୍ରତିରକ୍ଷା, କମ୍ପାନୀ ବ୍ୟାପାର, ବାଣିଜ୍ୟ, ଶିଳ୍ପ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ସେ ଅର୍ଥମନ୍ତ୍ରୀ ଥିବା ସମୟରେ ବିମୁଦ୍ରାୟନ ଏବଂ ଜିଏସ୍ଟି କାର୍ଯ୍ୟକାରି କରାଯାଇଥିଲା। ତାଙ୍କ ସମୟରେ ରେଳବାଇ ବଜେଟ୍ ଓ ସାଧାରଣ ବଜେଟ୍କୁ ମିଶ୍ରଣ କରାଯାଇଥିଲା। ସ୍ୱର୍ଗତ ଜେଟ୍ଲୀ ଅର୍ଥମନ୍ତ୍ରୀ ଥିବାସମୟରେ ସାଧାରଣ ବଜେଟ୍ ଫେବୃୟାରୀ ପହିଲାରୁ ଉପସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ରବିବାର ଦିନ ୨ଟାରେ ନିଗମବୋଧରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ।



