www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି : କେବେ ବାଜିବ କେନ୍ଦ୍ର ମୋହର ?

ଭୁବନେଶ୍ୱର : ଦୁଇ ହଜାର ବର୍ଷର ପୁରାତନ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ରାଜ୍ୟ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିବାବେଳେ ଗତ ସେପ୍ଟେମ୍ବର ମାସରେ ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସ୍ୱୀକୃତି ପ୍ରଦାନ ନିମନ୍ତେ ପତ୍ର ଲେଖିଛନ୍ତି। ହେଲେ ଏଦିଗରେ ଇତିମଧ୍ୟରେ କୌଣସି ଅଗ୍ରଗତି ହୋଇପାରିନି। ସରକାର ଚିଠି ଲେଖି ଚୁପ୍‌ ବସିଥିବାବେଳେ ସେପଟେ କେନ୍ଦ୍ର ସରକାର ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେବେ ରାଜ୍ୟ ସରକାର ସୁନନ୍ଦା ପଟ୍ଟନାୟକଙ୍କ ନାମରେ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତ ପୁରସ୍କାର ଦେବା ନିମନ୍ତେ ଘୋଷଣା କରିଥିବାବେଳେ ଓଡ଼ିଶୀ ସଙ୍ଗୀତରେ କେନ୍ଦ୍ର ସରକାରଙ୍କ ଶାସ୍ତ୍ରୀୟ ମୋହର କେବେ ବାଜିବ ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା।
ଓଡ଼ିଶୀ ସଙ୍ଗୀତର ସ୍ବତନ୍ତ୍ର ଶୈଳୀ ରହିଥିବାବେଳେ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ତାଳଠାରୁ ଏହା ଭିନ୍ନ ତାଳରେ ଗାନ କରାଯାଇଥାଏ। ଏହାର ଭଙ୍ଗୀ, ଠାଣି, ଲାଳିତ୍ୟ ଓ ମୁଦ୍ରା ସମ୍ପୂର୍ଣ୍ଣ ନିଆରା। ଏପରି ପ୍ରାଚୀନ ସଙ୍ଗୀତକୁ ଏଯାଏ ଶାସ୍ତ୍ରୀୟ ସ୍ବୀକୃତି ନମଳିବା ବିଡ଼ମ୍ବନାର ବିଷୟ ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।
ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ଆମର ଗାୟନ ପଦ୍ଧତି ଓ କଳାରେ ଯେଉଁ ଗଭୀରତା ରହିଛି ସେଥିରେ ଆ​‌େ​‌ମ ଏହାକୁ ଶାସ୍ତ୍ରୀୟ କହିବା। ତେବେ ଏହି ସଙ୍ଗୀତକୁ ଭାରତର କୋଣ ଅନୁକୋଣରେ ପରିବେଷଣ କରିପାରିଲେ ଶାସ୍ତ୍ରୀୟ ସ୍ବୀକୃତିରେ ଆମକୁ କେହି ବି ରୋକିପାରିବେ ନାହିଁ। ଓଡ଼ିଶୀ କଣ୍ଠଶିଳ୍ପୀ ଡ. ସଙ୍ଗୀତା ଗୋସାଇଁଙ୍କ ମତରେ ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇସାରିଛନ୍ତି। ଆମେମାନେ ମଧ୍ୟ ଜାଣିଛୁ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ। କେନ୍ଦ୍ରକୁ ରାଜ୍ୟ ସରକାର ଲିଖିତଭାବେ ଦେବା ପରେ ଏଥିରେ ବିଳମ୍ବ ହେବା ଅନୁଚିତ।
ସମୀକ୍ଷକ ଶ୍ୟାମହରି ଚକ୍ରଙ୍କ ମତରେ ଓଡ଼ିଶୀ ସଙ୍ଗୀତ ପାଇଁ ରାଜ୍ୟ ସରକାର ଯେତିକି ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ। ନୃତ୍ୟକୁ ଯେଉଁଭଳି ଗୁରୁତ୍ୱ ଦିଆଯାଉଛି ସେହିଭଳି ଓଡ଼ିଶୀ ସଙ୍ଗୀତକୁ ଦିଆଯିବା ଆବଶ୍ୟକତା ରହିଛି। ପଣ୍ଡିତ ଡ. ଦାମୋଦର ହୋତା କହିଛନ୍ତି, ରାଜ୍ୟ ଲେଖିବା ପରେ କେନ୍ଦ୍ର ନିରବ କାହିଁକି ? ଶ୍ରୀଜଗନ୍ନାଥ ମନ୍ଦିରର ସଙ୍ଗୀତ ହେଉଛି ଉଡ୍ର ପଦ୍ଧତୀୟ। ଓଡ଼ିଶାରେ ମୌଳିକ ଓ ଉଚ୍ଚାଙ୍ଗ ସଙ୍ଗୀତ ଯଦି କିଛି ରହିଛି ତାହା ଉଡ୍ର ପଦ୍ଧତୀୟ ବୋଲି ସେ କହିଛନ୍ତି।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ କହିଛନ୍ତି, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ଦେବା ଦିଗରେ ସଂସ୍କୃତି ବିଭାଗ ଏବଂ ସଙ୍ଗୀତ ନାଟକ ଏକାଡେମୀ ବିବିଧ କାର୍ଯ୍ୟପନ୍ଥା ଗ୍ରହଣ କରିଛି। ଆଗକୁ ଏହି ଧାରା ବଜାୟ ରହିବ। ମୁଖ୍ୟମନ୍ତ୍ରୀ ଏଦିଗରେ ଚିଠି ଲେଖିବା ପରେ କେନ୍ଦ୍ର ସରକାର ହୁଏତ ଅନୁଧ୍ୟାନ କରୁଥାଇପାରନ୍ତି।
ଗବେଷକ ଡ. ମୃତ୍ୟୁଞ୍ଜୟ ରଥଙ୍କ ମତରେ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶାରେ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି। ରାଜ୍ୟ ସରକାର ମଧ୍ୟ ବିଧିବଦ୍ଧଭାବେ ଶାସ୍ତ୍ରୀୟ ସ୍ୱୀକୃତି ଦେଇଛନ୍ତି। ତେବେ ସର୍ବଭାରତୀୟସ୍ତରରେ ଓଡ଼ିଶୀ ସଙ୍ଗୀତର ଗରିମାକୁ ପରିବେଷଣ ମାଧ୍ୟମରେ ସିଦ୍ଧ କରିବାର ଗୁରୁଦାୟିତ୍ୱ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀଙ୍କର। ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତର ସମକକ୍ଷ ସଙ୍ଗୀତଭାବେ ଓଡ଼ିଶୀକୁ ପ୍ରତିପାଦନ କରି ଜାତୀୟସ୍ତରୀୟ ସ୍ୱୀକୃତିପ୍ରାପ୍ତି ବର୍ତ୍ତମାନ ପାଇଁ ବଡ଼ ଆହ୍ୱାନ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories