www.samajalive.in
Monday, December 8, 2025
20.1 C
Bhubaneswar

ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ପଲିଥିନ ତଳେ ବିତୁଛି ଜୀବନ, ଗାଁରେ ନାହିଁ ଗୋଟିଏ ବି ପକ୍କାଘର

ଚାନ୍ଦିପୁଟ: ଏବେ ବି ଏମିତି ଗାଁ ରହିଛି, ଯେଉଁଠି ଗାଁରେ ଗୋଟିଏ ବି ପକ୍କାଘର ନାହିଁ । କିଏ ଭଙ୍ଗା କୁଡିଆରେ ପଲିଥିନ ଟାଣି ରହୁଛନ୍ତି ତ ଆଉ କିଏ ଟିଣ ଛପର କରି ରହୁଛନ୍ତି । ଆବାସ ଯୋଜନା ଏହି ଗ୍ରାମବାସୀଙ୍କ ପାଇଁ ସାତ ସପନ ହୋଇ ରହିଯାଇଛି। ଗ୍ରାମରେ ଏଭଳି ବିକଳ ଚିତ୍ର ହିଁ ବୟାନ କରୁଛି ସରକାରୀ ବ୍ୟବସ୍ଥା କେତେ କାର୍ଯ୍ୟକ୍ଷମ ହେଉଛି । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁର୍ଗମ ଖାରୀଗୁଡ଼ା ପଞ୍ଚାୟତ ଆରୁମପାଟା ଗ୍ରାମର ବାସ୍ତବ ଚିତ୍ରର କଥା । ସରକାର ପକ୍କାଘର ଯୋଗାଇଦେବା ନାଁରେ ବାଃ ବାଃ ନେଇ ଡିଣ୍ଡିମ ପିଟୁଛନ୍ତି, ହେଲେ ଆଜି ବି ସମ୍ପୂର୍ଣ୍ଣ ଗ୍ରାମରେ ଝାଟି ମାଟି ଚାଳ ଛପର ହିଁ ରହିଛି । ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ପ୍ରାଧାନ୍ୟ ଦେଇ ଅନେକ ଯୋଜନା ପ୍ରଣୟନ କରିଛନ୍ତି, ହେଲେ ଆରୁମପେଟା ଗ୍ରାମରେ ପ୍ରଶାସନ କିମ୍ବା କୌଣସି ରାଜନେତାଙ୍କ ଦୃଷ୍ଟି ନଥିବା ଯୋଗୁ ଏମାନେ ଆଜି ବି ନିଜ ଭାଗ୍ୟକୁ ଆଦରି ଦୁର୍ବିସହ ଜୀବନ ବିତାଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡ଼ା ପଞ୍ଚାୟତର ଆରୁମପାଟା ଗ୍ରାମଟି ପାହାଡ ତଳେ ଅବସ୍ଥିତ। ଏହି ଗାଁରେ ପ୍ରାୟ ୪୦ ପ୍ରତିଶତ ଆଦିବାସୀ କୁଇ କନ୍ଧ ଜନଜାତି ସଂପ୍ରଦାୟର ପରିବାର ବସବାସ କରୁଛନ୍ତି । ହେଲେ ବିଡମ୍ବନା ବିଷୟ ଗାଁରେ ଗୋଟିଏ ବି ପରିବାରର ପକ୍କାଘର ନାହିଁ ।

ଗାଁର ଅଧିକାଂଶ ପରିବାର ଝାଟି ମାଟି ଘର ଉପରେ ପଲିଥିନ ଟାଣି ରହୁଥିବା ବେଳେ କିଛି ପରିବାର ଟିଣ ଛପର କରି ରହୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଗ୍ରାମବାସୀ ବହୁବାର ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କ ନିକଟରେ ଗୁହାରି ଜଣାଇ ଆସୁଛନ୍ତି । ହେଲେ ଆଜି ଯାଏଁ କେହି ଗୁହାରି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବର୍ଷା ଦିନରେ ଗାଁର ସ୍ଥିତି ଅତି ଶୋଚନୀୟ ହୋଇଯାଏ, ଘରେ ପାଣି ଗଳୁଥିବା ବେଳେ ପାହାଡ଼ରୁ ପାଣି ଖସି ଗାଁ ଓ ଘର ଭିତରେ ପାଣି ପଶିଯାଏ । ଗାଁର ଉପର ମୁଣ୍ଡରେ ପାହାଡ ପାଣିକୁ ଅଟକାଇବା ପାଇଁ ତେରାସିଂ ୱାଲ୍ ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀ ବହୁବାର ପଞ୍ଚାୟତରେ ଜଣାଇଛନ୍ତି କିନ୍ତୁ ତାହା ମଧ୍ୟ ନିର୍ମାଣ ହୋଇ ପାରିନାହିଁ । ପିଇବା ପାଣି ସୁବିଧା ନ କହିବା ଭଲ, ଗାଁର ତଳ ମୁଣ୍ଡରେ ଥିବା ନାଳ ପାଖରେ ଖୋଲା ହୋଇଥିବା ବହୁ ବର୍ଷର ପୁରୁଣା କୂପଟି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ଏଥିରୁ ଦୂଷିତ ପାଣି ପିଇ ବିଭିନ୍ନ ପ୍ରକାର ଗୋଗର ଶିକାର ହେଉଛନ୍ତି ଗ୍ରାମବାସୀ । ତଥାପି ବାଧ୍ୟ ହୋଇ ପାଣିକୁ ବ୍ୟବହାର କରୁଥିବା ଗ୍ରାମର ୱାର୍ଡ ସଭ୍ୟା ମାର୍ଟିନା ମାଝୀ, ଲତା ମାଝି, ଭାସ୍କର ମାଝୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି। କେହି ଝାଟି ମାଟି, ଚାଳ ଛପର ଘରେ ରହିବେ ନାହିଁ, ସେଥିପାଇଁ ସରକାର ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରେ ଗରିବ ଜନ ସାଧାରଣଙ୍କୁ ଘର ଯୋଗାଇବା ପାଇଁ ବ୍ଲକ୍ ଓ ପଞ୍ଚାୟତସ୍ତରରେ ସର୍ଭେ କରାଯାଉଛି । ହେଲେ ଏହି ଗାଁର ଚିତ୍ର ହିଁ ବୟାନ କରୁଛି ସରକାରୀ ବ୍ୟବସ୍ଥା କେତେ କାର୍ଯ୍ୟକାରୀ ହେଉଛି । ଏନେଇ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିବା ବେଳେ ତୁରନ୍ତ ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ସହ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories