ଭୋଟ ହାର ବୃଦ୍ଧି ତିନି ଦଳ ପାଇଁ ଆହ୍ବାନ, ଏଥର ଘମାଘୋଟ ଲଢ଼େଇ
କଟକ : ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ହୋଇଥିବା ଫଳାଫଳ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଇଁ ସନ୍ତୋଷଜନକ ନଥିଲେ ବି ଓଡ଼ିଶା ରାଜନୀତିରେ ବିଜେପି ନିଜର ସ୍ଥିତିକୁ ମଜଭୁତ କରିଥିବା ରାଜନୀତି ସମୀକ୍ଷକମାନେ ମତ ଦେଇଥିଲେ। ଉକ୍ତ ନିର୍ବାଚନରେ ବିଜେପି ୮ ଲୋକସଭା ଓ ୨୩ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା। ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ କଂଗ୍ରେସର ଦୁର୍ବଳ ନିର୍ବାଚନୀ ରଣକୋୖଶଳ ଏବଂ ପ୍ରାର୍ଥୀ କାରଣରୁ ଉକ୍ତ ଭୋଟଗୁଡିକ ବିଜେପି ଖାତାକୁ ଯାଇଥିଲା। କଂଗ୍ରେସ ମାତ୍ର ୯ଟି ବିଧାନସଭା ଏବଂ ଏକମାତ୍ର ଲୋକସଭା ଆସନରେ ବିଜୟ ହେବାକୁ ସମର୍ଥ ହୋଇଥିଲା। ଏହା ପଛର ଘଟଣାବଳୀକୁ ଲକ୍ଷ୍ୟକଲେ ଜଣାଯିବ ଯେ, ୨୦୧୭ ଫେବୃଆରୀରେ ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା। ତାହାର ବର୍ଷକ ପରେ ବିଜେପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେଡି ବିଜୟ ହାସଲ କରିଥିଲେ ମଧ୍ୟ ବିଜେପି ତାହାର ମୁକାବିଲା କରିବାକୁ ସ୍ଥିତି ମଜଭୁତ କରିବା ଆରମ୍ଭ କଲାଣି ବୋଲି ବିଜେଡି ନେତୃବୃନ୍ଦ ହୃଦୟଙ୍ଗମ କରିଥିଲେ।
୨୦୧୯ ଆଦ୍ୟ ଭାଗରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ। କାରଣ ତାହା ପୂର୍ବରୁ ଅନୁଷ୍ଠିତ ଚାରିଥର ବିଧାନସଭା ନିର୍ବାଚନରେ ସେ ଗୋଟିଏ ଆସନ ହିଞ୍ଜିଳିରୁ ହିଁ ଲଢିଥିଲେ। ୨୦୧୯ରେ ନବୀନ ପଟ୍ଟନାୟକ ବରଗଡ ଜିଲା ବିଜେପୁର ଆସନ ସହିତ ଦକ୍ଷିଣ ଓଡ଼ିଶାରେ ତାଙ୍କର ନିଜ ଆସନ ହିଞ୍ଜିଳିରୁ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ପଶ୍ଚିମ ଓଡ଼ିଶାରେ ବିଜେପିର ବର୍ଦ୍ଧିତ ପ୍ରଭାବକୁ ମୁକାବିଲା କରିବା ସମ୍ଭବତଃ ଏହା ପଛର ଉଦ୍ଦେଶ୍ୟ ଥିଲା। କାରଣ ଦେଖିବାକୁ ଗଲେ ବିଜେପିର ପ୍ରଭାବ ପ୍ରାୟତଃ ପଶ୍ଚିମ ଓଡ଼ିଶାରେ ସୀମାବଦ୍ଧ ରହିଛି। ୨୦୧୪ ନିର୍ବାଚନରେ ଦଳ ଜିତିଥିବା ୧୦ଟି ଆସନ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ୮ଟି ରହିଥିଲା। ତାହାସହିତ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ତାଙ୍କ ନିଜ ସଂସଦୀୟ କ୍ଷେତ୍ର ସୁନ୍ଦରଗଡରୁ ବିଜୟୀ ହୋଇଥିଲେ। ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ବନ୍ଦ୍ବିତା କଲେ, କିନ୍ତୁ ବିଜେଡି ବିଧାନସଭା ଆସନଗୁଡିକ ହାତେଇବାକୁ ସମର୍ଥ ହେବାବେଳେ ଉକ୍ତ ଅଞ୍ଚଳରେ ଥିବା ୬ଟି ଲୋକସଭା ଆସନକୁ ବିଜେପି ଦଖଲ କରିଥିଲା। ଅବଶ୍ୟ ବିଧାନସଭା ପାଇଁ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଥିଲା।
୨୦୧୯ ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଇଥିବାବେଳେ ବିଜେପି ୨୩ ବିଧାନସଭା ଆସନରେ ଜିତି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ଉଭା ହୋଇଥିଲା। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ହୋଇଥିବା ଭୋଟ ବିଭାଜନ ଏବଂ ତଦ୍ଜନିତ ଫଳାଫଳ କେବଳ ରାଜ୍ୟ ନୁହେଁ, ଦେଶର ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଚକିତ କରିଦେଇଥିଲା। ସବୁଠାରୁ ରୋଚକ କଥା ହେଉଛି, ରାଜଧାନୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ପ୍ରାକ୍ତନ ବ୍ୟୁରୋକ୍ରାଟ ଅପରାଜିତା ଷଡଙ୍ଗୀ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ମଧ୍ୟ ବିଜେପି ସେଠାରେ ଗୋଟିଏ ହେଲେ ବିଧାନସଭା ଆସନ ହାତେଇ ପାରିନଥିଲା।
ରାଜ୍ୟରେ ୨୦୧୪ ଓ ୨୦୧୯ରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟକଲେ ଜଣାଯାଏ ଯେ ଲୋକସଭା ପାଇଁ ବିଜେଡିର ଭୋଟ ହାର ହ୍ରାସ ପାଇଥିବାବେଳେ ବିଧାନସଭା ନିର୍ବାଚନେର ବୃଦ୍ଧିପାଇଛି। ଅନ୍ୟପକ୍ଷରେ ବିଜେପିର ଉଭୟରେ ଭୋଟ ହାର ଯଥେଷ୍ଟ ବୃଦ୍ଧିଘଟିଛି। ସେହି ସମୟରେ କଂଗ୍ରେସର ଭୋଟ ହାର ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ହ୍ରାସ ପାଇବାରେ ଲାଗିଛି।
୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଶେଷକରି ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ହେବାକୁ ଯାଉଛି। ସମ୍ବଲପୁର ଲୋକସଭା ଆସନରେ ଉଭୟ ବିଜେଡି ଓ ବିଜେପିର ଓଜନଦାର ନେତା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଥର ଭଳି ଚଳିତ ନିର୍ବାଚନରେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ସହିତ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହା ପଛରେ ପଶ୍ଚିମ ଓଡ଼ିଶାରେ ଦଳର ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକ ସୁରକ୍ଷିତ ରଖିବା ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଅନେକ ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ବହୁ କ୍ଷେତ୍ରରେ ସଂସଦରେ ବିଜେପିକୁ ସମର୍ଥନ ଦେଇ ଆସିଛି। ଚଳିତ ଥର ମଧ୍ୟ ଦଳରୁ ନିର୍ବାଚିତ ହେବାକୁ ଥିବା ସାଂସଦ କେନ୍ଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେବେ, ଯାହା ବିଜେଡି ମୁଖ୍ୟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏସବୁ ବ୍ୟତୀତ ଚଳିତ ନିର୍ବାଚନ ଅନେକ ଦୃଷ୍ଟିରୁ ଭିନ୍ନ ହେବାକୁ ଯାଉଛି। କାରଣ ଏଥର ବିଭିନ୍ନ ରାଜନୈତିକ ଦଳର ଅନେକ ଆଶାୟୀ ଓ ଅସନ୍ତୁଷ୍ଟ ଯେଉଁଭଳି ଭାବରେ ଦଳ ବଦଳ କରିଛନ୍ତି ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରତିବନ୍ଧକ ସାଜୁଛନ୍ତି, ତାହା ପୂର୍ବରୁ କେବେ ପରିଲକ୍ଷିତ ହୋଇନଥିଲା। ଏହାକୁ ପ୍ରଶମିତ କରି ନିର୍ବାଚନ ରଣାଙ୍ଗନରେ ଆଗକୁ ବଢିବା ପ୍ରାୟ ସବୁ ରାଜନୈତିକ ଦଳ ପାଇଁ ଆହ୍ବାନ ପାଲଟିଛି।
Comments are closed.