ଅଲୋଡ଼ା ବାର୍ଦ୍ଧକ୍ୟ: ଖାଇବାକୁ ଗଣ୍ଡେ ପାଉନାହାନ୍ତି ରୁଗ୍ଣ ବୃଦ୍ଧ ଦମ୍ପତି
ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ, ଭୋକ ଉପାସରେ ବିତୁଛି ଜୀବନ
ବୁର୍ଲା: ସରକାରୀ ଯୋଜନା କାହିଁରେ କେତେ, ମାତ୍ର ଉଚିତ ହିତାଧିକାରୀଙ୍କ ପାଇଁ ଅପହଞ୍ଚ ସବୁ ଯୋଜନା। ସରକାରୀ କଳର ଯୋଜନାକୁ ନେଇ ବାଃ ବାଃ ମରାଯିବା ଅନେକ କ୍ଷେତ୍ରରେ ଭୁଲ ପ୍ରମାଣିତ ହୋଇ ଆସୁଛି। ତେବେ ବର୍ତ୍ତମାନ ଲୋକଙ୍କ ସରକାର ବୋଲି କୁହାଯାଉଥିବାବେଳେ ଏବେବି ଉପେକ୍ଷିତ ହୋଇ ରହିଛନ୍ତି ବୃଦ୍ଧ ଦମ୍ପତି। ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ନିଜ ରକ୍ତର ପରିବାର ବର୍ଗଙ୍କ ଦ୍ଵାରା ଉପେକ୍ଷିତ, ପ୍ରତାରିତ ଏବଂ ଜର୍ଜରିତ ହେଉଥିବା ବୃଦ୍ଧ ଦମ୍ପତି ବଞ୍ଚିବା ପାଇଁ ରାହା ଖୋଜୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଥାନା ଅର୍ନ୍ତଗତ ଭତ୍ରା ଗ୍ରାମର ୭୮ ବର୍ଷୀୟ ବୃଦ୍ଧ ସନ୍ତୋଷ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀ ୭୦ ବର୍ଷୀୟା ଗିରିନନ୍ଦିନୀଙ୍କ କ୍ଷେତ୍ରରେ। ସେମାନେ ନିଜ ଭାଇମାନଙ୍କୁ ଓ ତିନି ସନ୍ତାନଙ୍କୁ ମଣିଷ କରି ଗଢ଼ି ତୋଳିବାରେ ନିଜର ସର୍ବସ୍ବ ସାରି ବର୍ତ୍ତମାନ ଦୁଇ ଓଳି ଖାଇବାକୁ ମଧ୍ୟ ପାଇ ପାରୁ ନ ଥିବାବେଳେ କୌଣସି ସହୃଦୟବାନ୍ ବ୍ୟକ୍ତିଙ୍କ ହାତକୁ ଚାହିଁ ବସିଛନ୍ତି। ନିଜ ବଡ଼ପୁଅ ଦ୍ଵାରା ନିଜ ଘରୁ ତଡ଼ାଖାଇ ଏବେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି ମାନେଶ୍ୱର ନିକଟରେ ମୁଣ୍ଢେର ନିକଟ ଓଭରବ୍ରିଜ ନିକଟରେ ରହିଥିବା ଶଙ୍କର ପାଇପ ଫେକ୍ଟ୍ରି ମଧ୍ୟରେ ଏକ ଶ୍ରମିକ କୋଠାରେ। ପାଇପ ଫ୍ୟାକ୍ଟ୍ରି ମାଲିକ ଯେହେତୁ ସନ୍ତୋଷ ତାଙ୍କ ପାଖରେ ରହି କାମ କରୁଥିଲେ ସେ ତାଙ୍କୁ ସେଠାରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଦେଇଛନ୍ତି। ଏପରିକି ବସିବା ଏବଂ ଛିଡା ହେବାରେ କଷ୍ଟ ଭୋଗୁଥିବା ବୃଦ୍ଧା ଘର ସଫା କରି ନ ପାରି ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଉକ୍ତ କୋଠରୀରେ ନିଜ ଭାଗ୍ୟକୁ ଆଦରି ସଦାସର୍ବଦା କ୍ରନ୍ଦନରତ ଅବସ୍ଥାରେ ପଡ଼ି ରହିଛନ୍ତି। ଏଠାରେ ତାଙ୍କର ନିଜ ରକ୍ତର ସମ୍ପର୍କ ତାଙ୍କୁ ଯନ୍ତ୍ରଣା ଦେଇ ଅମାନବୀୟ ଭାବରେ ରୁଗ୍ଣ ମାତା ପିତାଙ୍କୁ ଘରୁ ବାହାର କରି ଦେବା ପାଇଁ ତିଳେମାତ୍ର ଚିନ୍ତା କଲା ନାହିଁ, ମାତ୍ର ପାଇପ ଫ୍ୟାକ୍ଟ୍ରି ମାଲିକଙ୍କ ମାନବିକତା ବଞ୍ଚିଛି। ସେ ଉଭୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟ ହୋଇଛନ୍ତି। ଏପରିକି ବୃଦ୍ଧ ସନ୍ତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ନାହିଁ। ସେପଟେ ପୁଣି ଗିରିନନ୍ଦିନୀଙ୍କର ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଠିକ୍ ନ ଥିବାବେଳେ ସେ ସଠିକ୍ ଭାବରେ ଉଠି ବସି ପାରୁ ନାହାନ୍ତି। ବହୁ କଷ୍ଟରେ ମୁଣ୍ଡ କାମ କରୁ ନଥିବା ସ୍ଵାମୀ ଘରୁ ଅବେଳରେ ଚାଲି ଯାଉଥିବାବେଳେ ତାଙ୍କୁ ଖୋଜି ଖୋଜି ନାକେଦମ୍ ହେଉଛନ୍ତି। ଏପରିକି ଏହା ମଧ୍ୟରେ ପୁଣି ଆର୍ଥିକ ଅନଟନ। ଏମିତିକି ଦିନେ ଦୁଇଦିନ ତାଙ୍କୁ କିଛି ଖାଇବାକୁ ମଧ୍ୟ ମିଳି ନ ଥାଏ। ଶେଷରେ ମାଲିକଙ୍କୁ ଅବଗତ କରିବା ପରେ କିଛିଟା ବ୍ୟବସ୍ଥା ହୋଇଥାଏ। ସେପଟେ ପୁଣି ଧାର କରଜ କରିଥିବା ବୃଦ୍ଧ ବୃଦ୍ଧା ବୃଦ୍ଧାଶ୍ରମକୁ ଯାଇ ଶେଷ ଜୀବନ କାଟିବା ଆଶା ବାନ୍ଧି ବସିଥିବାବେଳେ ନିଜ କରଜ ଆଣିଥିବା ଲକ୍ଷ ଲକ୍ଷ ଟଙ୍କା ପରିଶୋଧ ନ କରିବା ପର୍ଯ୍ୟନ୍ତ କିପରି ବୃଦ୍ଧାଶ୍ରମ ଯିବେ ବୋଲି ପରିପ୍ରକାଶ କରିଛନ୍ତି। ତାଙ୍କ ଘର ଯାହାକୁ ତାଙ୍କ ବଡ କୁପୁତ୍ର ମାଡ଼ି ବସିଛି ତାକୁ ମୁକୁଳାଇ ଉକ୍ତ କରଜ ଟଙ୍କା ଆଣିଥିବା ବ୍ୟକ୍ତିଙ୍କୁ ପରିଶୋଧ କରିବା ପାଇଁ ଆଶାକୁ ନେଇ ବାରମ୍ବାର ଜିଲାପାଳ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହୋଇ ସାରିଲେଣି। ମାତ୍ର ନା ଜିଲାପାଳଙ୍କୁ ଭେଟି ପାରୁଛନ୍ତି ନା ତାଙ୍କର ଏହି ଯମ ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳୁଛି। ଏପରିକି ତାଙ୍କୁ କୌଣସି ବାର୍ଦ୍ଧକ୍ୟ ଭତ୍ତା ବା ସରକାରୀ ଯୋଜନା ମଧ୍ୟ ଉପଲବ୍ଧ ହୋଇ ପାରୁନାହିଁ। ବର୍ତ୍ତମାନ ନୂତନ ସରକାର ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ତାଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ବାନ୍ଧି ବସିଛନ୍ତି ଏହି ବୃଦ୍ଧ ଦମ୍ପତି।
Comments are closed.