ସିକୋ: ବେଗୁନିଆ ତହସିଲ ଅଧୀନରେ ବିଭିନ୍ନ ପଞ୍ଚାୟତରେ ଥିବା ବହୁ ସରକାରୀ ଜାଗାରେ ବେଆଇନ ଭାବେ ଚାଲିଥିବା ପଥର ଖଣି ଗୁଡିକ ପ୍ରଶାସନର ଜ୍ଞାତସାରରେ ଚାଲିଛି ବୋଲି ପଥର ମାଫିଆ ମାନେ ସ୍ଥାନୀୟ ଜନସାଧାରଣଙ୍କୁ କହୁଛନ୍ତି । ସ୍ଥାନୀୟ ଜନସାଧାରଣ ଦିନ ରାତି ପଥର କଟା ଯାଉଥିବା ସମ୍ପର୍କରେ ପ୍ରଶାସନକୁ ଫୋନ କଲେ ସେମାନେ ଫୋନ ଉଠାଉନଥିବାରୁ ଏବଂ ଯାଉଛୁ କହି ଆସୁନଥିବାରୁ ମାଫିଆ ଏବଂ ପ୍ରଶାସନର ମଧୁଚନ୍ଦ୍ରିକାକୁ ପ୍ରମାଣିତ କରୁଛି ।
ଏହାଦ୍ୱାରା ସରକାର ମାସିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ବେଳେ କେତେଜଣ ନ୍ୟସ୍ତସ୍ୱାର୍ଥ କର୍ମଚାରୀ ସେମାନଙ୍କର ପକେଟ ଗରମ କରି ମାଲାମାଲ ହେଉଛନ୍ତି । ବେଗୁନିଆ ବ୍ଲକ ଗଡ଼ମାଣତିର ପଞ୍ଚାୟତ ଅଧିନସ୍ଥ ବାଲିବେରେଣି ମୌଜାରେ ଚାଲିଥିବା ବିଞ୍ଚଣା ଖଣିରୁ ପଥର ମାଫିଆ ମାନେ ଦିବା ରାତ୍ର ନିର୍ଭୟରେ ପଥର କାଟି ଚୋରା ଚାଲାଣ କରୁଛନ୍ତି । ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ମାନେ ଏ ସଂକ୍ରାନ୍ତରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଫୋନ କଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।
ଫଳରେ ମାଫିଆ ମାନେ ସରକାରୀ ବାବୁମାନଙ୍କ ବାହୁ ଛାୟା ତଳେ ରହି ସରକାରୀ ଜାଗାରୁ ପଥର କାଟି ଚୋରା ଚାଲାଣ କରି ମାଲେ ମାଲ ହେଉଥିବାବେଳେ ସରକାରୀ ରାଜକୋଷ ଖାଲି ପଡୁଛି ।ସରକାରୀ ରାଜକୋଷ ବୃଦ୍ଧି କରିବା ପାଇଁ ସରକାର ଯେଉଁମାନଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି ସେମାନେ ରକ୍ଷକ ହୋଇ ଭକ୍ଷକ ସାଜି କେବଳ ନିଜ କଥା ଚିନ୍ତା କରୁଛନ୍ତି ।ତେଣୁ ପଥର ଚୋରା ଚାଲାଣ ଏଠାରେ ଦିନକୁ ଦିନ ବୃଦ୍ଧି ପାଉଛି । ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପଥର ଚୋରା ଚାଲାଣ ରୋକିବା ପାଇଁ ସମସ୍ତ ତହସିଲଦାର ଏବଂ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।
Comments are closed.