ଆଠଗଡ: ଆଠଗଡର ସର୍ବପ୍ରଥମ ଇଂରାଜୀ ମାଧ୍ୟମ ସ୍କୁଲ ମହାତ୍ମା ଗାନ୍ଧି ଇଂଲିଶ ମିଡିୟମ ସ୍କୁଲର ୩ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ସ୍କୁଲର ଛାତ୍ରଛାତ୍ରୀ ମା’ ବାଉତୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍କୁଲ ପରିସରରେ ପହଞ୍ଚି ଥିଲେ। ସେଠାରେ ମୁଖ୍ୟଅତିଥି ସ୍କୁଲ ପରିଚାଳନା କମିଟି ଉପସଭାପତି ରମାକାନ୍ତ ନାୟକ ଓ ସମ୍ମାନିତ ଅତିଥି ସଂପାଦକ ଶ୍ରୀଧର ରଥ ପ୍ରଜ୍ଜଳିତ ମଶାଲ କ୍ରୀଡାଙ୍ଗନରେ ସ୍ଥାପନ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରି ଏହି ବାର୍ଷିକ କ୍ରୀଡା ଉତ୍ସବକୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୂତି ଭୂଷଣ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ନାଳନ୍ଦା ଗୃପର ଅଧ୍ୟକ୍ଷା ଯଶସ୍ୱିନୀ ପଟ୍ଟନାୟକ ମୁଖ୍ୟଅତିଥି ଏବଂ କ୍ରୀଷ୍ଣା ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ଭାରତ କ୍ରୀଡାକ୍ଷେତ୍ରରେ ବହୁ ପ୍ରଗତି କରିଛି, ହେଲେ ଆମକୁ ଆହୁରି ଅଧିକ ଏହି କ୍ଷେତ୍ରରେ ଆଗକୁ ଯିବାକୁ ପଡିବ। ସେଥିପାଇଁ ଭିତ୍ତିଭୂମି, ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।
ସ୍କୁଲର ଅଧ୍ୟକ୍ଷା ପୁଲିନ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷା ରେଣୁବାଳା ରଥ କ୍ରୀଡା ଉତ୍ସବର ବିବରଣୀ ପାଠ କରିଥିଲେ। ଏହି ତିନିିଦିନିଆ କ୍ରୀଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ୫ଟି ବର୍ଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଛାତ୍ରଛାତ୍ରୀ ବ୍ରହ୍ମସ୍ମିତା, ସନ୍ଦିପ ସେଠୀ, ଦିବ୍ୟାଂଶୀ ଗୋଚ୍ଛି, ଆୟୁଶ କୁମାର ସାହୁ ଓ ଶାଲିନୀ ଦାଶଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଶିକ୍ଷୟିତ୍ରୀ ସୋନାଲି ମିଶ୍ରଙ୍କ ପରିଚାଳନାରେ ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କ୍ରୀଡା ଶିକ୍ଷକ ଶାନ୍ତନୁ କୁମାର ସାହୁ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ କାକଳି ଦାସ, ସ୍ୱସ୍ତିତପା ଦାସ, ସ୍ୱପ୍ନାରାଣୀ ବେହେରା, ଶିକ୍ଷକ ଦେବୀପ୍ରସାଦ ଶତପଥୀ ସହଯୋଗ କରିଥିଲେ। ଶିକ୍ଷକ ଏ ସି ପଲାଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



