www.samajalive.in
Monday, December 8, 2025
20.1 C
Bhubaneswar

ବ୍ୟାଙ୍କ ଅଫ୍ ଇଣ୍ଡିଆ ରେମୁଣା ଶାଖାର ପୂର୍ବତନ ଶାଖା ପରିଚାଳକ ଗିରଫ

ଭୁବନେଶ୍ବର/ ରେମୁଣା: ପେନସନ ହିତାଧିକାରୀଙ୍କ ଟଙ୍କାକୁ ଏଟିଏମ କାର୍ଡ ମାଧ୍ୟମରେ ଉଠାଣ ଚାଲିଥିଲା। ତାହା ପୁଣି ୪ ବର୍ଷ ହେଲା। ଏହା ଦ୍ୱାରା ବ୍ୟାଙ୍କର କୋଟିଏ ୩୨ ଲକ୍ଷ ଟଙ୍କାର ଘୋଟାଲା। ଏ ସମ୍ପର୍କରେ ନଭେମ୍ବର ୨୭ ତାରିଖରେ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ବର୍ତମାନର ଶାଖା ପରିଚାଳକ ସ୍ୱରାଜ ମହାନ୍ତି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ଏଥିରେ କ୍ରାଇମବ୍ରାଞ୍ଚ ଡିସେମ୍ବର ୧୫ରେ ବ୍ୟାଙ୍କର ବିଜନେସ କରେସପଣ୍ଡେଂଟ ଥିବା ପ୍ରଭାତ କୁମାର ଦାସ (୩୬)ଙ୍କୁ ଗିରଫ କରିଥିଲା। ଏପ୍ରିଲ ୨୦୧୪ରୁ ମେଣ୍ଢରା ଗାଁର ପର୍ଶୁରାମ ଗିରି ଓ ନରହରିପୁରର ସାବିତ୍ରୀ ବେହେରା ନାମକ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ସେମାନଙ୍କ ନାଁରେ ପେନସନ ଟଙ୍କା ଡିପୋଜିଟ ହେଉଥିଲା ଏବଂ ୩ଟି ଏଟିଏମ କାର୍ଡ ଦ୍ୱାରା ମୃତକଙ୍କ ପରିବାରର ଅଗୋଚରରେ ଟଙ୍କା ବାହାର ମଧ୍ୟ କରାଯାଉଥିଲା। ସେଥିରୁ ୨ଟି ଏଟିଏମ କାର୍ଡ ପର୍ଶୁରାମ ଗିରିଙ୍କ ନାଁରେ ରହିଥିଲା। ଯାହାକୁ ପ୍ରଭାତ ଅପରେଟ କରୁଥିଲା ଏବଂ ମୃତ ସାବିତ୍ରୀଙ୍କ ନାମରେ ଅନ୍ୟ ଏକ ଏଟିଏମ କାର୍ଡ ପ୍ରଭାତର ଜଣେ ସାଙ୍ଗ ନରହରିପୁରର ବ୍ରହ୍ମଜ୍ୟୋତି ବେହେରା ଅପରେଟ କରି ଟଙ୍କା ବାହାର କରୁଥିଲେ। ବ୍ରହ୍ମଜ୍ୟୋତି ମୃତ ଗଣେଶ୍ୱର ବେହେରାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପୁଅ ବୋଲି କ୍ରାଇମବ୍ରାଞ୍ଚ ଚିହ୍ନଟ କରିଛି। ପ୍ରଭାତ କମ୍ପ୍ୟୁଟର ଜ୍ଞାନରେ ପାରଙ୍ଗମ ଥିବାରୁ ବ୍ୟାଙ୍କର ଉପରିସ୍ଥ ଅଧିକାରୀ ତାଙ୍କୁ କମ୍ପ୍ୟୁଟର ଚାଳନା ପାଇଁ କୌଣସି ବାରଣ କରିନଥିଲେ। ଫଳରେ ସେ ସମସ୍ତଙ୍କର ବିଶ୍ୱସ୍ତ ହୋଇଥିଲା ଏବଂ କୌଶଳ କ୍ରମେ ୩ଟି ଏଟିଏମ ହାସଲ କରିପାରିଥିଲା। ସେଥିରୁ ଦୁଇଟି ନିଜେ ବ୍ୟବହାର କରୁଥିବାବେଳେ ଅନ୍ୟଟି ସାଙ୍ଗକୁ ଦେଇଥିଲା। ଏହା ଫଳରେ ବ୍ୟାଙ୍କର ୧କୋଟି ୩୨ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ଖୋଳତାଡ ହେବା ପରେ ତତ୍କାଳୀନ ଶାଖା ପରିଚାଳକ ଦୁର୍ଗାଚରଣ ପଣ୍ଡା ଉକ୍ତ ଏଟିଏମ କାର୍ଡ ଇସ୍ୟୁ କରିଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚ ଶ୍ରୀ ପଣ୍ଡାଙ୍କୁ ବାଲେଶ୍ୱର ଦର୍ଜରପୁରସ୍ଥିତ ତାଙ୍କ ବାସ ଭବନରୁ ଶନିବାର ପୂର୍ବାହ୍ଣରେ ଗିରଫ କରିଛି। ଶ୍ରୀ ପଣ୍ଡା ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ ଇଣ୍ଡିଆ ରେମୁଣା ଶାଖାର ଶାଖା ପରିଚାଳକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ତାଙ୍କରି ସମୟରେ ଏହି ଘଟଣା ଘଟିଥିଲା। ପେନସନଧାରୀଙ୍କ ନାଁରେ ଟଙ୍କା ଉଠାଣ ପାଇଁ ୩ଟି ଏଟିଏମ କାର୍ଡ ଇସ୍ୟୁ ହେବା ଓ ଉକ୍ତ ଏଟିଏମକୁ ବ୍ୟବହାର କରି ୩/୪ ବର୍ଷ ଧରି ପେନସନ ଖାତାରୁ ଟଙ୍କା ଉଠାଣ ଚାଲିଥିଲେ ବି ତାହା ଜଣା ନପଡିବା ଘଟଣା ସନ୍ଦେହ ଘେରକୁ ଆସିବାରୁ ସେ ନେଇ ତଦନ୍ତ କରାଯାଇଥିଲା। ଏଥିରେ ନିଶ୍ଚିତ କିଛି ଉଦେଶ୍ୟ ନିହିତ ରହିଥିବା ତଦନ୍ତକାରୀ ଅଧିକାରୀ ତ୍ରିଲୋଚନ ସେଠୀ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories