ଆରଡି: ବିକାଶ ନାଁରେ ହେଉଛିକି ନିମ୍ନମାନର କାମ । କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଦବୁଛି ନଦୀ ବନ୍ଧ । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମୁଧୁ ଚନ୍ଦ୍ରିକା ଥିବା ଅଭିଯୋଗ କଲେ ଅଞ୍ଚଳବାସୀ । ଭଦ୍ରକ ଜିଲ୍ଲା ଆରଡି ନିକଟସ୍ଥ ବୈତରଣୀନଦୀର ସୁରକ୍ଷାବନ୍ଧରେ ଫାଟ ସୃଷ୍ଟି ହୋଇଛି । ବୋଡକ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଆଖଣ୍ଡଳମଣି କୁଆଖିଆ ୨୦ନଂ ଜାତୀୟରାଜପଥର ପାଖାପାଖି ୨ଶହ ଫୁଟ ରାସ୍ତା ଦବି ଯାଇଛି । ଯାହା ଦ୍ୱାରା ଲୋକଙ୍କ ଗମନାଗମନରେ ବାଧା ଉପୁଜିଛି । ଏହି ରାସ୍ତା ୨ଟି ପର୍ଯ୍ୟଟନସ୍ଥଳୀ ତଥା ଯାଜପୁରର ମା’ ବିରଜା କ୍ଷେତ୍ର ଓ ଭଦ୍ରକର ଆଖଣ୍ଡଳମଣୀଙ୍କ ପୀଠକୁ ସଂଯୋଗ କରୁଛି ।
ତାହା ସହ ରାସ୍ତାଟି ଭୁବନେଶ୍ୱର ଓ କଟକକୁ ସଂଯୋଗ କରୁଥିବାରୁ ଲୋକ ମାନେ ଯୋଗାଯୋଗ ବିଚ୍ଛିନ୍ନ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି । ୨୦ନଂ ଜାତୀୟରାଜପଥର ସୁରକ୍ଷା ପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟ ବରାଦ କରାଯାଇ ବୈତରଣୀ ନଦୀର ସୁରକ୍ଷାବନ୍ଧ ନିର୍ମାଣ କରାଯାଇଥିଲା । ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ଏହିସ୍ଥାନରେ ବନ୍ଧ ଧସିବା ସହ ଲୋକମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଏନେଇ ଏନ.ଏଚ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ମରାମତି କରାଯାଉଥିଲ। ହେଲେ ବର୍ତ୍ତମାନ ସମାନ ସମସ୍ୟା ଦେଖା ଦେଇଛି । ଯାହାକୁ ନେଇ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ କାର୍ୟ୍ୟ ଠିକ ହେଉନଥିବା କହିଛନ୍ତି ବୁଦ୍ଧିଜୀବୀ ।



