ଭୁବନେଶ୍ବର: ଆସୁଛି ଆଉ ୩ଟି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି ।
ସେହିପରି, ଦ୍ଵିତୀୟ ଲଘୁଚାପ ୨୫ ସେପ୍ଟେମ୍ବର ବେଳକୁ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ୨୫ ତାରିଖରୁ ବର୍ଷା ବଢ଼ିବା ସହ ୨୮ ତାରିଖ ଯାଏଁ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କିଛି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡ଼ିକ ହେଉଛି-: ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି



