କୃଷି କ୍ୟାବିନେଟ୍ ବୈଠକ: ସାର ଯୋଗାଣର ତଦାରଖ ଓ ଯାଞ୍ଚ ହେବ କଡ଼ାକଡ଼ି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟର ଭର୍ଚ୍ୟୁଆଲ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟରେ ଖରିଫ ଚାଷର ପ୍ରସ୍ତୁତି, ୟୁରିଆ ଯୋଗାଣ, କୃଷକଙ୍କୁ ସହାୟତା, କାଳିଆ ଓ ବଳରାମ ଯୋଜନା, କ୍ଷେତ ପୋଖରୀ ଓ ୫-ଟି ବ୍ୟବସ୍ଥାରେ ସରକାରୀ କର୍ମଚାରୀଙ୍କୁ ପ୍ରୋତ୍ସାହନ ନେଇ ଆଲୋଚନା ହୋଇଛି ।

ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବୈଠକରେ ଖରିଫ ୨୦୨୦ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟରେ ଚଳିତ ଖରିଫ ଋତୁରେ ୬୧.୬୧ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲେ ହେଁ ବର୍ତମାନ ସୁଦ୍ଧା ୫୫.୫୨ ହେକ୍ଟର ଜମିରେ ଖରିଫ ଫସଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟରେ ଚାଷୀଙ୍କୁ ୟୁରିଆ ଓ ଅନ୍ୟାନ୍ୟ ସାର ଯୋଗାଇ ଦେବା ନିମନ୍ତେ ଭାରତ ସରକାରଙ୍କ ସହ ଯୋଗାଯୋଗ କରାଯାଇ ସାର ଯୋଗାଣ ବ୍ୟବସ୍ଥାକୁ ସରଳୀକରଣ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ୨୧ ଲକ୍ଷ କୃଷକଙ୍କୁ ୯୯୬୪.୪୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ୧୪.୦୮ ଲକ୍ଷ ଚାଷୀଙ୍କର ଫସଲ ବୀମା କରାଯାଇଛି ।

କୃଷକଙ୍କୁ ସହାୟତା ଦେବା ନିମନ୍ତେ ଅଣଧାନ ଫସଲ ଡ଼ାଲି, ତୈଳବୀଜ, ମାଣ୍ଡିଆ, କପା, ଝୋଟକୁ ସହାୟକ ମୂଲ୍ୟରେ ସଂଗ୍ରହ କରାଯାଇଛି ।କୋଭିଡ଼ ସ୍ଥିତିରେ ଚାଷୀମାନଙ୍କୁ ସହାୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ସ୍ବତନ୍ତ୍ର ପ୍ୟାକେଜ ଅଧୀନରେ  କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ନିମନ୍ତେ ୩୭୩.୯୫ କୋଟି ବ୍ୟୟ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ପ୍ରାୟ ୨୫ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସୂଚନା ମିଳିଛି  । ଏଥିରେ ବର୍ତମାନ ସୁଦ୍ଧା ୮ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ।

୨୦୧୯ ମସିହାରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ୫୫୨୮୯୬୦ ହିତାଧିକାରୀ ସହାୟତା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ ଆହୁରି ନୂତନ ଆବେଦନ ଗ୍ରହଣ କରାଯାଉଛି । ସେହିପରି କାଳିଆ ହିତାଧିକାରୀଙ୍କ ପିଲାମାନଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ପ୍ରଚଳନ କରାଯିବାକୁ ପଦକ୍ଷେପ ନିଆଯାଇଛି । ଅନୁରୂପ ଭାବରେ ବଳରାମ ଯୋଜନା ନାବାର୍ଡ଼ ସହାୟତାରେ କାର୍ଯ୍ୟକାରୀ କରାଯାଉଛି । ଭାଗଚାଷୀଙ୍କୁ କୃଷିଋଣ ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ । ଆଗାମୀ ୩ ବର୍ଷ ମଧ୍ୟରେ ଆତ୍ମା ଜରିଆରେ ୧ ଲକ୍ଷ  ଗୋଷ୍ଠୀ ଗଠନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ୫ ଲକ୍ଷ ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବାକୁ ଯୋଜନା ହୋଇଛି ।

ମରୁଡ଼ି ପରିସ୍ଥିତିରେ କ୍ଷେତ ପୋଖରୀ ଜରିଆରେ ଜଳସେଚନ ବ୍ୟବସ୍ଥା କରାଯାଉଛି । ୨୦୧୯-୨୦ ମସିହାରୁ ୨୦୨୩-୨୪ ମସିହା ମଧ୍ୟରେ ରାଜ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖନନ ଯୋଜନା ହୋଇଛି । ଏହାମଧ୍ୟରୁ ୮୯୦୦ ପୋଖରୀ କାର୍ଯ୍ୟ ଶେଷ ହୋଇଛି । ସେହିପରି ମନରେଗାରେ ୧୦୭ କୋଟି ଟଙ୍କା ବ୍ୟୟରେ ୩୭ ଲକ୍ଷ ଶ୍ରମମ ଦିବସ ସୃଷ୍ଟି ହୋଇଛି ।

ଶେଷରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୫-ଟି ସୂତ୍ର ଆଧାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ‘ଦକ୍ଷତା‘ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ୫୦୦୦ କର୍ମଚାରୀଙ୍କ ଦକ୍ଷତା ବିକାଶ କରାଯିବ । ଏଥିପାଇଁ ଯୋଜନାର କାର୍ଯ୍ୟକାରିତା, ୫-ଟି ଅନୁପାଳନ, ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଯୋଜନାର କାର୍ଯ୍ୟକାରିତା, ରିସ୍କ ପରିଚାଳନା ଓ ମୋ ସରକାର ଅନୁପାଳନକୁ ଗୁରୁତ୍ବ ଦିଆଯିବ ବୋଲି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି  ।

Comments are closed.