www.samajalive.in
Monday, December 8, 2025
27.1 C
Bhubaneswar

‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ

ଦୁର୍ଗାପୁର/ଭୁବନେଶ୍ବର : କୋଟି ହୃଦୟର ଆରାଧ୍ୟ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି । ଆଜି ସକାଳ ୯.୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ୮୯ ବର୍ଷ ବୟସରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗୁରୁବାର ଡାକ୍ତରଖାନା ପକ୍ଷରୁ ଶ୍ରୀଶ୍ରୀଦାଦାଙ୍କର ବିୟୋଗ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ମିସନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭାରତ ଓ ବର୍ହିଭାରତରେ ଥିବା କୋଟିକୋଟି ସତସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବୈଦିକ ବିଧିମତେ ଆଚାର୍ଯ୍ୟଦେବଙ୍କର ଶେଷକୃତ୍ୟ ଦକ୍ଷିଣ ଦୁର୍ଗାପୁରସ୍ଥିତ ସତସଙ୍ଗ ବିହାର ପରିସରରେ ସଂପନ୍ନ୍ ହେବ ବୋଲି ସୂଚନା ରହିଛି।

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା ( ଶ୍ରୀ ଅଶୋକ ଚକ୍ରବର୍ତ୍ତୀ) ଶ୍ରୀଶ୍ରୀଠାକୁରଙ୍କର ଭାବାଦର୍ଶ ଓ ‘ସତସଙ୍ଗ’ ଆନ୍ଦୋଳନର ବିସ୍ତାରରେ ନିଜକୁ ବ୍ରତୀ କରିଥିଲେ। ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ଅଧୁନା ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀଶ୍ରୀଠାକୁରଙ୍କର ଜ୍ୟୋଷ୍ଠାତ୍ମଜ ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦାଙ୍କର ଜ୍ୟୋଷ୍ଠପୁତ୍ର ଶ୍ରୀଶ୍ରୀଦାଦା ୧୯୯୪ ମସିହାରେ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ଅଭିଷିକ୍ତ ହେବାପରେ ତାଙ୍କର ଅଭିଭାବକତ୍ବ ଓ ନେତୃତ୍ବରେ କାୟାବିସ୍ତାର କରିଥିଲା ସତସଙ୍ଗ। ପ୍ରତିଟି ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ସୂତ୍ର ଧରାଇବା ଲାଗି ତା’ର ଦ୍ବାରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ ସେ। ତାଙ୍କର ଐଶୀ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ‘ସତ୍ସଙ୍ଗ’ର ପ୍ରତିଟି କର୍ମୀ ସକ୍ରିୟ ହୋଇ ଉଠିଥିଲେ ଏବଂ ନିଜର ସାମର୍ଥ୍ୟକୁ ବୃଦ୍ଧି କରି ଜାତି-ବର୍ଣ୍ଣ-ସଂପ୍ରଦାୟ-ନିର୍ବିଶେଷରେ କୋଟିକୋଟି ଆଗ୍ରହୀ ମଣିଷଙ୍କୁ ସତ୍ନାମରେ ଅଭିମନ୍ତ୍ରିତ କରିଥିଲେ। ଫଳରେ ବର୍ତ୍ତମାନ ଭାରତର ପ୍ରତି ରାଜ୍ୟ ଓ ବିଶ୍ବର ଅନେକ ରାଷ୍ଟ୍ରରେ ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ରହିଥିବା ବେଳେ ‘ସତ୍ସଙ୍ଗ’ କେନ୍ଦ୍ର, ମନ୍ଦିର ଓ ବିହାର ଗଢ଼ିଉଠିଛି। ସମାଜର ସବୁବର୍ଗର ମଣିଷ ଶ୍ରୀଶ୍ରୀଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଚାର୍ଯ୍ୟଦେବଙ୍କ ମାର୍ଗଦର୍ଶନ ମାଧ୍ୟମରେ ସର୍ବସମସ୍ୟାର ସମାଧାନ ପାଇପାରୁଥିଲେ।

- Advertisement -

ଦୀକ୍ଷିତ-ଅଦୀକ୍ଷିତ-ନିର୍ବିଶେଷରେ ପ୍ରତିଟି ମଣିଷର ଦୁଃଖ-ବେଦନା, ସମସ୍ୟା-ସଂକଟ, ଦ୍ବନ୍ଦ୍ବ-ଅନୁଶୋଚନା ଦୂର କରିବା ଲାଗି ସେ ସଦା ଜାଗ୍ରତ ଥିଲେ। ପ୍ରତ୍ୟହ ତାଙ୍କ ନିକଟକୁ ଦେଶବିଦେଶର କୋଣ-ଅନୁକୋଣରୁ ଛୁଟି ଆସୁଥିଲେ ହଜାରହଜାର ସମସ୍ୟାଜର୍ଜରିତ ମଣିଷ। ଅତି ଆପଣାର ମଣିଷ ଭାବି କହିପକାଉଥିଲେ ବୁକୁତଳର ବ୍ୟଥା। ଆଉ ସେ ସକଳ ଦୁର୍ଦ୍ଦଶାକୁ ଟାଣିନେଇ ସ୍ବସ୍ତି ଓ ଆଶ୍ବସ୍ତିର ପଥ ଦେଖାଇଦେଉଥିଲେ। କିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତ ଆଉ କିଏ ଆର୍ଥିକ ଅନଟନର ଶିକାର, ପୁଣି କିଏ ପାରିବାରିକ ସମସ୍ୟାକବଳିତ ହୋଇ ଅଶାନ୍ତିରେ ଆଉଟୁପାଉଟୁ, ଏମିତି କେତେ ଜଟିଳ ସମସ୍ୟାର ସରଳ ସମାଧାନ ଦେଇ ମଣିଷକୁ ସୁଖ-ଶାନ୍ତି-ଆନନ୍ଦରେ ବଞ୍ଚିବାର ରାହା ଦେଖାଉଥିଲେ ସେ। ତାଙ୍କର ନିର୍ଦ୍ଦେଶ ପରିପାଳନ କରି କେତେ ଯେ ମଣିଷ ମୃତ୍ୟୁମୁଖରୁ ଫେରି ଆସିଛନ୍ତି ଓ ତାଙ୍କ ପ୍ରଦତ୍ତ ଚିକିତ୍ସାମାର୍ଗର ଅନୁସରଣ କରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇଛନ୍ତି ତା’ର କଳନା ନାହିଁ।ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories