www.samajalive.in
Tuesday, December 9, 2025
16.1 C
Bhubaneswar

ଗାଦିମନ୍ଦିର ୪ ଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳିତ

ଢେଙ୍କାନାଳ ସଦର/ଗଁଦିଆ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାରେ ମଙ୍ଗଳବାର ଦେଶପୂର୍ଣ୍ଣିମା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ମାଘ ଶୁକ୍ଲ ଚତୁର୍ଦ୍ଦଶୀ ପରି ପୂର୍ଣ୍ଣମୀରେ ମଧ୍ୟ ମହିମା ଗାଦି ମନ୍ଦିର ଚାରିଦ୍ୱାରରେ ଚାରୋଟି ଝାଡବୃକ୍ଷ ପ୍ରଜ୍ୱଳିତ ହୋଇଛି। ଏତଦ୍‍ବ୍ୟତୀତ ପ୍ରବୁଦ୍ଧ ଗୁରୁ ମହିମାସ୍ୱାମୀଙ୍କ ଏକୋଇଶହାତିଆ ଟୁଙ୍ଗି, ଶୂନ୍ୟ ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଅଖଣ୍ଡ ବତୀ ମନ୍ଦିରରେ ଝାଡଦୀପ ପ୍ରଜ୍ୱଳିତ ହୋଇଛି। ଅପରାହ୍ନ ସାଢେ ୫ଟାରେ ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ପ୍ରଥମେ ଝାଡଦୀପ ପ୍ରଜ୍ୱଳିତ ହୋଇଥିଲା।
ମଙ୍ଗଳବାର ପ୍ରାତଃ ବ୍ରାହ୍ମମୂହୂର୍ତ୍ତ ପର୍ଯ୍ୟନ୍ତ ଚତୁର୍ଦ୍ଦଶୀ ଝାଡ ଜଳୁଥିବା ବେଳେ ବଡଘଣ୍ଟି ବାଜିବା ପରେ ନୀତି ସେବକ ସନ୍ନ୍ୟାସୀମାନେ ସମବେତ ହୋଇଥିଲେ। ଝାଡୁନୀତି ସମାପନ କରାଯାଇ ମାଘ ପୂର୍ଣ୍ଣମୀ ନୀତି ଆରମ୍ଭ କରାଯାଇଥିଲା। ମହାଳ ମୂଳ ପ୍ରଭୁ ଘର କୂଅରୁ ରୂପାଗରାରେ ପାଣି ଅଣାଯାଇ ମନ୍ଦିର ଚତୁଃପାର୍ଶ୍ବରେ ସୁନା ଢାଳରେ ସିଞ୍ଚା ଯାଇଥିଲା। ସୁନା ଗିନାରେ ଶ୍ରୀ ଚନ୍ଦନ ଓ ଶ୍ରୀ କର୍ପୂର ଏବଂ ରୁପା ଗିନାରେ ଶ୍ରୀଅଗୁର ଓ ଶ୍ରୀକର୍ପୂର ଆଦି ମନ୍ଦିରର ଚତୁଃପାର୍ଶ୍ବରେ ସିଞ୍ଚନ କରାଯିବା ପରେ ଆକୁଳିବାବା, ନରେନ୍ଦ୍ରବାବା, ପ୍ରଭାସ ବାବା, ଚିତ୍ତରଞ୍ଜନ ବାବା ପ୍ରମୁଖ ୫ ମୂର୍ତ୍ତି ବଳ୍କଳଧାରୀ ସନ୍ନ୍ୟାସୀ ଛେରାପହଁରା କରିଥିଲେ। ସିଦ୍ଧ ବଳ୍କଳଧାରୀ ସନ୍ନ୍ୟାସୀ ମାନଙ୍କ ଦ୍ୱାରା ସାତ ମୁଠା ସୁନା ଚାମର ଓ ଅବଶିଷ୍ଟ ରୁପାଚାମରାର ଚାମର ନୀତି କରାଯାଇଥିଲା। ମହିମା ଗାଦୀର ଗୋଶାଳାରୁ ମାଟି ଠେକିରେ କ୍ଷୀର ଅଣାଯାଇ ଭୋର ସାଢେ ୪ଟାରେ କ୍ଷୀର ନୀତି କରାଯାଇଥିଲା। ସକାଳେ ଅହ୍ମେଣିଆ ମଣ୍ଡପରେ ପ୍ରସାଦ ଅର୍ପଣ କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏହି ସମୟରେ ସନ୍ନ୍ୟାସୀ ସାଧୁ ଭକ୍ତମାନେ ଗୁରୁବ୍ରଂହ୍ମ ମହିମା ସ୍ୱାମୀଙ୍କ ଶରଣ ଦର୍ଶନ କରୁଥିବାର ଦୃଶ୍ୟ ଦେଖାଦେଇଥିଲା। ଯେଉଁମାନେ ମାଘ ଶୁକ୍ଲ ଚତୁର୍ଦ୍ଦଶୀରେ ମହିମାଗାଦିରେ ଅହୋରାତ୍ର ଉପସ୍ଥିତ ରହି ଝାଡଦୀପ ପ୍ରଜ୍ୱଳନ କରିଥିଲେ ସେମାନଙ୍କ ମଧ୍ୟରୁ କେତେକ ଶ୍ରଦ୍ଧାଳୁ ମହିମା ସନ୍ନ୍ୟାସୀଙ୍କ ନିକଟରୁ ଆଶୀର୍ବାଦ ନେଇ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ମଙ୍ଗଳବାର ଦେଶ ପୂର୍ଣ୍ଣିମାରେ ଝାଡ ଜାଳିବା ପାଇଁ ମହିମାଗାଦିକୁ ଆସି ଝାଡ ଦ୍ୱୀପରେ ଘୃତାହୃତି କରିଛନ୍ତି। ବିଭିନ୍ନ ଉପାସନା ପୀଠ ଓ ମହିମାସ୍ୱାମୀଙ୍କ ଏକୋଇଶହାତିଆ ଟୁଙ୍ଗି, ଶୂନ୍ୟ ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଅଖଣ୍ଡ ବତୀ ମନ୍ଦିରରେ ଝାଡଦୀପରେ ଘୃତାହୂତି ପ୍ରଦାନ କରିଛନ୍ତି। ଅଖଣ୍ଡ ଧୂନୀ ମନ୍ଦରରେ ଜଳୁଥିବା ଧୂନୀରେ ନାରିକେଳ ଓ ଘୃତ ଅର୍ପଣ କରି ପରଂବ୍ରହ୍ମଙ୍କ ନିକଟରେ ଆରାଧନା କରିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାର ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ ସମେତ ପଡୋଶୀ ରାଷ୍ଟ୍ର ନେପାଳ ଏବଂ ଅନ୍ୟାନ୍ୟ ଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଯୋରନ୍ଦା ମେଳା ବୁଲି ଦେଖିଛନ୍ତି। ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କୁ ଏଥର ମେଳାରେ ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories