ଫୁଲବାଣୀ: ଏକ ଗଞ୍ଜେଇ ଚାଲାଣ ମାମଲାରେ ଜଣେ ଅଭିଯୁକ୍ତକୁ ଫୁଲବାଣୀରୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଦିଲ୍ଲୀର ସଫଦରଜଙ୍ଗ ଏନକ୍ଳେଭ ପୁଲିସ ଏକ ଗଂଜେଇ ଚାଲାଣ ମାମଲାରେ ଉତ୍ତରପ୍ରଦେଶ ବେହେରାଇଚ ଗ୍ରାମର ବିନୋଦ କୁମାର ସହିତ ଅନ୍ୟ ୩ ଜଣକୁ ଗିରଫ କରିଥିଲା। ଏ ନେଇ ୮୯/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ସେମାନେ ଫୁଲବାଣୀରୁ ଗଞ୍ଜେଇ କିଣିଥିବା ପ୍ରକାଶ କରିଥିଲେ। ଫଳରେ ଦିଲ୍ଲୀ ପୁଲିସ ଫୁଲବାଣୀ ଆସି କନ୍ଧମାଳ ଏସପି ହରିସ ବିସିଙ୍କ ସହ ଯୋଗାଯୋଗ କରିଥିଲା। ଏସପିଙ୍କ ନିର୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ ପି. ସ୍ୱରୂପ କିଶନଙ୍କ ନେତୃତ୍ୱରେ ୩ଜଣ ଏସଆଇ ପୁଲିସ ଫୋର୍ସ ସହ ଅଭିଯୁକ୍ତର ଜିରିଙ୍ଗପଡାସ୍ଥିତ ବାସଭବନରେ ଚଢାଉ କରି ତାକୁ ଗିରଫ କରିଛି। ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ବିନୋଦ କୁମାର ନିୟମିତ ଭାବେ ଫୁଲବାଣୀରୁ ଗଞ୍ଜେଇ ଚାଲାଣ କରୁଥିବା ଦିଲ୍ଲୀ ପୁଲିସ ଆଗରେ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଦାରିଙ୍ଗବାଡ଼ି ଅଞ୍ଚଳରୁ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ହରିୟାଣା ପୋଲିସ୍ ଜଣକୁ ଉଠାଇ ନେଇଥିବା ବେଳେ ଅନ୍ୟ ଏକ ଥାନା ଅଞ୍ଚଳରୁ ମଧ୍ୟ ଦୁଇଜଣକୁ ଦିଲ୍ଲୀ ପୁଲିସ୍ ବିଗତ ଦିନରେ ଉଠାଇ ନେଇଥିଲା।



