୯ଟି ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା

ପାଟଣା : ପାଟଣା ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ଏକ ଗୋଠଛଡ଼ା ଦନ୍ତାର ଉତ୍ପାତ ଚରମ ସୀମାରେ ପହଞ୍ଚିଛି। ସୋମବାର ରାତ୍ରିରେ ଗୋଠ ଛଡା ଦନ୍ତାଟି ଖମୁଁଆ ଗାଁ ଝାଟିଆଳି ସାହିର ନନ୍ଦିନୀ ଗିରିଙ୍କ ଟାଇଲ ଘର ଭାଙ୍ଗି ଦେଇଛି। ଘର ଭିତରେ ଥିବା ସ୍ୱାମୀ ସ୍ତ୍ରୀଙ୍କ ସହ ୨ନାବାଳକ ସନ୍ତାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରିବାର ନିଘୋଡ଼ ନିଦରେ ଶୋଇଥିବା ବେଳେ ହାତୀଟି ଘର କାନ୍ଥକୁ ଠେଲି ଦେବାରୁ କାନ୍ଥ ଖସି ପଡ଼ିଥିଲା। ଦନ୍ତାଟି ଘରେ ପଶି ଧାନ ଚାଉଳ ଖାଇବା ସହିତ ଟିଭି ଫ୍ୟାନକୁ ଭାଙ୍ଗି ଦେଇଛି। ସେହିଭଳି ମାଧପୂର ଗ୍ରାମର ଚନ୍ଦ୍ର ମୋହନ ମୁଣ୍ଡା, ଦଶମା ମୁଣ୍ଡା,ଦାଶରଥି ମୁଣ୍ଡା , ସୋମବାରୀ ମୁଣ୍ଡା, ଜିଆଣିସାହିର କର୍ମୁ ଚରଣ ମହାନ୍ତ, ମୂଷାଖୋରୀର କିରାଣୀ ଦାସ ଓ ଶରତ ଦାଶଙ୍କ ଘର କାନ୍ଥ କବାଟକୁ ଦନ୍ତା ଭାଙ୍ଗି ଦେଇଛି। ରାତିସାରା ଦନ୍ତାଟି ଗାଁକୁ ଗାଁ ବୁଲି ତାଣ୍ଡଵ ରଚିଥିଲା। ଲୋକେ ହାତୀ ଭୟରେ ଘର ଆଗରେ ନିଆଁ ଜାଳି ଜଗି ରହିବା ପାଇଁ ବାଧ୍ୟ ହୋଇଥିଲେ। ବନ ବିଭାଗ ହାତୀ ପଛରେ ଥିଲେ ମଧ୍ୟ ଦନ୍ତାକୁ ଘଉଡାଇବାରେ ବିଫଳ ହୋଇଛି। ଗାଁ ନିକଟରେ ହାତୀ ବୁଲୁଥିବାରୁ ଲୋକେ ଆତଙ୍କିତ ଅଛନ୍ତି। ବନ ବିଭାଗ ହାତୀଙ୍କୁ ଘଉଡାଇବା ପାଇଁ ଦାବି କରିଛନ୍ତି। ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେଥିପ୍ରତି ଉପରିସ୍ଥ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
Comments are closed.