www.samajalive.in
Monday, December 8, 2025
17.1 C
Bhubaneswar

ବିଦ୍ୟୁତ୍‌‌ ସଂଯୋଗ ଅଭାବରୁ ବ୍ୟବହାରରେ ଲାଗୁନି କୋଟିଏ ଟଙ୍କାର ସରକାରୀ କୋଠା

ପିପିଲି :ପିପିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ସ୍ଥାୟୀ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଗତ ୧୧ ମାସ ତଳୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ସେଠାକୁ ବିଇଓଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇପାରିନାହିଁ। ଫଳରେ ୧କୋଟିରୁ ଊର୍ଦ୍ଧ୍ବ ମୂଲ୍ୟରେ ନିର୍ମିତ ଏହି କାର୍ଯ୍ୟାଳୟ ଏବେ ଅବ୍ୟବହୃତ ହୋଇ ପଡ଼ିରହିଛି। ତେବେ ଉକ୍ତ ନବନିର୍ମିତ କୋଠାକୁ ବିଦ୍ୟୁତ୍‌‌ ସଂଯୋଗ ହୋଇନଥିବାରୁ କାର୍ଯ୍ୟାଳୟ ସ୍ଥାନାନ୍ତରରେ ବିଳମ୍ବ ଘଟୁଥିବା ସୂଚନା ମିଳିଛି।

ପିପିଲିର ହାଟଛକ ଠାରେ ଥିବା ଏକ ପୁରୁଣା ସରକାରୀ ଡାକବଙ୍ଗଳା ଠାରେ ଅସ୍ଥାୟୀ ଭାବେ ପିପିଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବହୁ ବର୍ଷ ଧରି ଚାଲିଥିଲା। ମାତ୍ର ୩ଟି ଛୋଟ ଘର ମଧ୍ୟରେ ଉକ୍ତ କାର୍ଯ୍ୟାଳୟ ଚାଲିଥିବା ବେଳେ ସେଠାକୁ ଆସୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ବସିବାକୁ ସ୍ଥାନର ଅଭାବ ଥିଲା। କାର୍ଯ୍ୟାଳୟର ଆସବାବପତ୍ର ରଖିବାକୁ ମଧ୍ୟ ଆବଶ୍ୟକ ସ୍ଥାନ ନଥିଲା। ତେବେ, ୨୦୧୯ ମସିହା ଫଣି ବାତ୍ୟାରେ ଉକ୍ତ ଡାକବଙ୍ଗଳାର ଆଜବେଷ୍ଟସ ଉଡିଯିବା ସହ ଘର ଭାଙ୍ଗି ଯିବା ପରେ ବିଇଓଙ୍କ କାର୍ଯ୍ୟାଳୟକୁ ସେଠାରୁ ତରବରିଆ ଭାବେ ୮ କିଲୋମିଟର ଦୂରରେ ଥିବା ପୋଡାଗୁଣ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରସ୍ଥ ବିଆର୍‌‌ସିସିଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।

- Advertisement -

ସେଠାକୁ ଗମନାଗମନର କୌଣସି ସ୍ୱତନ୍ତ୍ର ସୁବିଧା ନଥିବା ଯୋଗୁଁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜରୁରୀ କାର୍ଯ୍ୟରେ ସେଠାକୁ ଯିବାରେ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ବନ୍ୟା ସମୟରେ ଉକ୍ତ ପୋଡାଗୁଣ ସ୍ଥିତ ଅସ୍ଥାୟୀ ବିଇଓଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହୁଥିବାବେଳେ ଅଣ୍ଟେ ପାଣିରେ ପଶି ସେଠାକୁ ଶିକ୍ଷକମାନେ ଯାଉଥିଲେ। ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଫଳରେ ପିପିଲିରେ ବିଇଓଙ୍କ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଉକ୍ତ ଅସ୍ଥାୟୀ କାର୍ଯ୍ୟାଳୟକୁ ୨୦୨୨ ମସିହାରେ ପିପିଲିର ଜବାହର ବିଦ୍ୟାପୀଠକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୨୦୨୩ ଫେବୃଆରୀ ୨୨ ତାରିଖରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ବ୍ଲକଛକ ନିକଟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏକ ଅତ୍ୟାଧୁନିକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୯୯ଲକ୍ଷ ୩୫ହଜାର ୯୩୬ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ କରାଯାଇଥିବା ଏହି କୋଠାରେ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ତେବେ ଗତ ଡିସେମ୍ବର ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଗତ ମାର୍ଚ୍ଚ ୧୫ ତାରିଖରେ ଏହାକୁ ଉଦ୍‌‌ଘାଟନ କରାଯାଇଥିଲା।

ଏହି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ କୋଠାର ନିର୍ମାଣ କାର୍ଯ୍ୟ ୧୧ମାସ ପୂର୍ବରୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହା ଶିକ୍ଷା ବିଭାଗକୁ ତଥା ପିପିଲି ବିଇଓଙ୍କୁ ହସ୍ତାନ୍ତର ହୋଇପାରିନାହିଁ। ଏ ସଂପର୍କରେ ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ, ସରକାରୀ ଅଟକଳ ମୂଲ୍ୟ ଓ ଅନୁମୋଦିତ ପ୍ଲାନ୍‌‌ ଅନୁଯାଇ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ଉକ୍ତ କୋଠାକୁ ଆମେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ବହୁଦିନରୁ ସୂଚନା ଦେଇସାରିଛୁ।

ଉକ୍ତ ବିଭାଗୀୟ ଅଧିକାରୀ ଏହାକୁ ଗ୍ରହଣ କରିବାରେ ବିଳମ୍ବ କରୁଛନ୍ତି। ତେଣୁ ବିଭାଗୀୟ ଅଧିକାରୀ ଯେତେବେଳେ ଚାହିଁବେ ଆମେ ତାଙ୍କୁ ଏହି କୋଠାକୁ ତତ୍‌‌କ୍ଷଣାତ୍‌‌ ହସ୍ତାନ୍ତର କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ। ତେବେ ଏ ସଂପର୍କରେ ପିପିଲି ବିଇଓ ରବିନ୍ଦ୍ରନାଥ ନନ୍ଦଙ୍କୁ ପଚାରିବାରେ ସେ କହିଥିଲେ ଯେ, ଉକ୍ତ ନବନିର୍ମିତ କୋଠାକୁ ବିଦ୍ୟୁତ୍‌‌ ସଂଯୋଗ ହୋଇନଥିବାରୁ କାର୍ଯ୍ୟାଳୟ ସ୍ଥାନାନ୍ତରରେ ବିଳମ୍ବ ଘଟୁଛି। ସେଠାରେ ସ୍ଥାୟୀ ବିଦ୍ୟୁତ୍‌‌ ସଂଯୋଗ ପାଇଁ ବିଦ୍ୟୁତ୍‌‌ ବିଭାଗ ୧ଲକ୍ଷ ୪ହଜାର ଟଙ୍କା ପଇଠ କରିବାକୁ ଏଷ୍ଟିମେଟ୍‌‌ ଦେଇଛି। ଉକ୍ତ ଅର୍ଥ ସରକାରୀ ସ୍ତରରେ ଅନୁମୋଦନ ପାଇଁ ପଠାଯିବାକୁ ଥିବା ବେଳେ ଏବେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌‌ ସଂଯୋଗ କରିବା ପାଇଁ ବିଦ୍ୟୁତ୍‌‌ ବିଭାଗରେ ଆବେଦନ କରାଯାଇଛି। ତେଣୁ ଉକ୍ତ କୋଠାକୁ ବିଦ୍ୟୁତ ସଂଯୋଗ ହେବା ପରେ ଆମେ ସେଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତର କରିବୁ ବୋଲି ଶ୍ରୀନନ୍ଦ ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories