www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ ବନଖଣ୍ଡରେ ବ୍ୟାପକ ଦୁର୍ନୀତି ଅଭିଯୋଗ; ମୁଖ୍ୟନିର୍ବାଚନ କମିଶନରଙ୍କୁ ଦାବିପତ୍ର

ବୌଦ୍ଧ: ବୌଦ୍ଧ ବନଖଣ୍ଡରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସାଧାରଣ ଜନତାଙ୍କ ଦ୍ୱାରା ବୁଧବାର ସିବିଆଇ ତଦନ୍ତ ଦାବି କରିବା ସହ ବନଖଣ୍ଡ ଅଧିକାରୀଙ୍କ ବଦଳି ଦାବି କରି ଏକ ଦାବିପତ୍ର ବୌଦ୍ଧ ଜିଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ୨୦୨୧ ମସିହାରୁ ବୌଦ୍ଧ ବନଖଣ୍ଡରେ ଯୋଗଦାନ କରିବା ଦିନଠାରୁ ଜିଲା ଜଙ୍ଗଲ ବିଭାଗରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି କରି କୋଟି କୋଟି ଟଙ୍କା ହଡପ କରିଛନ୍ତି। ବୌଦ୍ଧ ବନଖଣ୍ଡରେ କାମ୍ପା ଦୁର୍ନୀତି, ଜେଆଇସିଏ ପ୍ରୋଜେକ୍ଟରେ ଦୁର୍ନୀତି ଓ ଇକୋଟୁରିଜିମରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ବନଖଣ୍ଡ ଅଧିକାରୀଙ୍କ ବିରୋଧରେ ବହୁବାର ଅଭିଯୋଗ ହୋଇଥିଲେ ସୁଧା ବିଭାଗୀୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କାରଣ ବନଖଣ୍ଡ ଅଧିକାରୀ ଟଙ୍କା ହଡପ କରି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦେଉଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ବନଖଣ୍ଡ ଅଧିକାରୀ ଶ୍ରୀ କମ୍ପଙ୍କ ଶ୍ବଶୁର ଘର ବୌଦ୍ଧ ଜିଲାରେ। ସେ ନିଜର ସଂର୍ପକୀୟ ଓ ବିଜେଡି ଦଳର ସମର୍ଥକଙ୍କ ଜରିଆରେ କାମ କରିଆସୁଥିବାବେଳେ ମୃତ ବ୍ୟକ୍ତି, ଠିକାଦାର ଓ ଚାକିରିଆ ନାମରେ ଜାଲିଆତି କରି ଟଙ୍କା ହଡପ କରୁଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ସେ ପୁର୍ବରୁ ଟିଟିଲାଗଡ଼ ଠାରେ କେନ୍ଦୁପତ୍ର ଡିଭିଜନରେ ଡିଏଫଓ ଥିବାବେଳେ ୧୨ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ ତଦନ୍ତ ଚାଲିଥିବା ମଧ୍ୟ ଅଭିଯୋଗ କରାଯାଇଛି। ବୁଧବାର ବରିଷ୍ଠ ରାଜନୈତିକ ନେତା ସୁବାସ ପ୍ରଧାନଙ୍କ ନେତୃତ୍ୱରେ ବହୁ ସାଧାରଣଲୋକ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବୀ ପତ୍ର ଜିଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିବାସହ ଦୁର୍ନୀତିର ସବିଆଇ ତଦନ୍ତ ଓ ତୁରନ୍ତ ଡିଏଫଓଙ୍କୁ ବଦଳି ଦାବୀ କରିଥିଲେ। ଦାବୀପତ୍ରକୁ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଗ୍ରହଣ କରିଥିଲେ। ଦାବି ପତ୍ର ପ୍ରଦାନ ସମୟରେ ସୁଧାଂଶୁ ଡାଙ୍ଗ, ପ୍ରଶାନ୍ତ ନନ୍ଦ ବେହେରା, ସନ୍ତୋଷ ପ୍ରଧାନ, ଗଣେଶ ନାଏକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ଥିଲେ। ତେବେ ନିର୍ବାଚନ ବିଗୁଲ ବାଜି ସାରିଥିବାବେଳେ ଜଙ୍ଗଲ ମନ୍ତ୍ରୀଙ୍କ ଜିଲାରେ ଜଙ୍ଗଲ ବିଭାଗର ଡିଏଫଓଙ୍କ ବିରୋଧରେ ଅଣାଯାଇଥିବା ଦୁର୍ନୀତି ଅଭିଯୋଗ ଏବଂ ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ପଛରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି। ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟକୁ ନେଇ ରାଜ୍ୟ ଓ ଜାତୀୟସ୍ତରରେ ଉଭୟ ଦଳର ନେତାଙ୍କ ମଧ୍ୟରେ ମାନସ ମନ୍ଥନ ଚାଲିଥିବାବେଳେ ବୌଦ୍ଧଜିଲାରେ ଶାସକ ଦଳ ବରିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଏହି ବିକ୍ଷୋଭ ସମାବେଶରେ ବିଜେପି ଦଳର ଅନେକ ସକ୍ରିୟ କର୍ମୀ ସାମିଲ ଥିବା ଦେଖାଯାଇଥିଲା। ତେଣୁ ଡିଏଫଓଙ୍କ ଦୁର୍ନୀତି ତଦନ୍ତ ଏକ ବାହାନା, ମନ୍ତ୍ରୀ ପ୍ରଦିପ ଅମାତ ବିକ୍ଷୋଭକାରୀଙ୍କ ପ୍ରକୃତ ନିଶାନା ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଅଛି।

ପ୍ରକାଶଯୋଗ୍ୟ ଯେ, ତିନିଦିନ ପୂର୍ବରୁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଅନୁରୂପ ଭାବରେ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀଅମାତ ଓ ହରଭଙ୍ଗା ବ୍ଲକର ପୂର୍ବତନ ବିଡିଓ ମିଳିତ ଭାବରେ ମନରେଗା ଯୋଜନା ମାଧ୍ୟମରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ଆଣିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଯଦି ନିର୍ବାଚନ କମିଶନ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ବନ ବିଭାଗ ଓ ପଞ୍ଚାୟତିରାଜ ବିଭାଗରେ ହୋଇଥିବା ଦୁର୍ନୀତିର ତଦନ୍ତର ଆଦେଶ ଦେଉଛନ୍ତି ତ ଏଥିରେ ସିଧସାଳଖ ମନ୍ତ୍ରୀ ଶ୍ରୀଅମାତଙ୍କ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ଏବଂ ଏହା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ପଞ୍ଚାୟତିରାଜ ଓ ଜଙ୍ଗଲ ବିଭାଗରେ ହୋଇଥିବା ଦୁର୍ନୀତିର ତଦନ୍ତ କରାନଗଲେ ଆଗାମୀ ଦିନରେ ପ୍ରତି ଗ୍ରାମରେ ଜନସଚେତନତା ବିକ୍ଷୋଭ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତି ଚାଲିଥିବା ଆଲୋଚନା ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories