ପୁଞ୍ଜି ଯୋଗାଡ କରିବ ଭୋଡାଫୋନ୍ ଆଇଡିଆ, ୪୫ ହଜାର କୋଟି ଟଙ୍କା ପାଇଁ ଯୋଜନା

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ(ଇିଆଇ)ର ବୋର୍ଡ ଇକ୍ବିଟି ଏବଂ ଋଣ ମାଧ୍ୟମରେ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ଏକାଠି କରିବାକୁ ମଞ୍ଜୁରି ଦେଇଦେଇଛି । କମ୍ପାନୀ ମଙ୍ଗଳବାର ଏକ୍ସଚେଞ୍ଜ ଫାଇଲିଂରେ ଏନେଇ ସୂଚନା ଦେଇଛି । କମ୍ପାନୀ କହିଛି କି ଭିଆଇ ଇକ୍ବିଟିରେ ୨୦ ହଜାର କୋଟି ଟଙ୍କା ଜୁଟାଇବ । ଏହା ବ୍ୟତୀତ କମ୍ପାନୀ ବାକି ଫଣ୍ଡ ଋଣ ଜରିଆରେ ଏକାଠି କରିବ ।

କମ୍ପାନୀ କହିଛି କି ସେ ୨ ଏପ୍ରିଲ ୨୦୨୪ରେ ନିଜ ଭାଗିଦାରୀଙ୍କୁ ନେଇ ଏକ ବୈଠକ ଡାକିବ । ସମସ୍ତଙ୍କ ମଞ୍ଜୁରି ପରେ କମ୍ପାନୀକୁ ଆସିବାକୁ ଥିବା ତ୍ରୈମାସିକରେ ଇକ୍ବିଟି ଫଣ୍ଡ ମିଳିବା ଆଶା ରହିଛି । ତେବେ କମ୍ପାନୀ ପ୍ରାୟ ୪୫ ହଜାର କୋଟି ଟଙ୍କା ଏକତ୍ର କରିବା ନେଇ ଯୋଜନା କରିଛି । ପୁଞ୍ଜି ମିଳିବା ପରେ କମ୍ପାନୀ ନିଜ ୫ଜି କ୍ଷମତାକୁ ବଢାଇବା ପାଇଁ ପ୍ରସ୍ତୁତ ହେବ ।

ପୁଞ୍ଜି ଯୋଗାଡ କରିବା ଖବର ଆସିବା ପୂର୍ବରୁ ଭୋଡାଫୋନ୍ ଆଇଡିଆର ସେୟାର ମଙ୍ଗଳବାର ୪.୪୫ ପ୍ରତିଶତ ହ୍ରାସ ସହିତ ୧୬.୧୦ ଟଙ୍କାରେ ବନ୍ଦ ହୋଇଥିଲା । ତେବେ କମ୍ପାନୀର ସେୟାର ଗତ ଏକ ମାସରେ ନିଜ ନିବେଶକଙ୍କୁ ପ୍ରାୟ ୧୦ ପ୍ରତିଶତ ଏବଂ ୬ ମାସରେ ପ୍ରାୟ ୮୦ ପ୍ରତିଶତ ରିଟର୍ଣ୍ଣ ଦେଇଛି । କହିରଖୁଛୁ କମ୍ପାନୀ ୨ଜି, ଥ୍ରୀଜି, ଏବଂ ୪ଜି ପ୍ଲାଟଫର୍ମରେ ସାରା ଭାରତରେ ଭଏସ୍ ଏବଂ ଡାଟା ସେବା ଯୋଗାଇ ଆସୁଛି ।

Comments are closed.