www.samajalive.in
Monday, December 8, 2025
20.1 C
Bhubaneswar

ଠିକାଦାର-କନିଷ୍ଠ ଯନ୍ତ୍ରୀଙ୍କ ମନମାନୀ ଯୋଗୁଁ ଯମ ଯନ୍ତ୍ରଣା ଭୋଗୁଛନ୍ତି ପଥଚାରୀ

ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡକୁ ରାଜ୍ୟ ସରକାରଙ୍କ କୁବେର ପୁରୀ କୁହାଯାଉଛି। ଏହି ଉପଖଣ୍ଡରୁ ସରକାରଙ୍କ ପାଖକୁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ଯାଉଛି ସତ, କିନ୍ତୁ ଏହି ଉପଖଣ୍ଡର ଜନସାଧାରଣ ଯାତାୟତ ପାଇଁ ଯମ ଯନ୍ତ୍ରଣା ଭୋଗୁଛନ୍ତି। ରାଜ୍ୟ ରାଜକୋଷକୁ ଯାଉଥିବା ଅର୍ଥରେ ସରକାର ରାସ୍ତାଗୁଡିକର ଉନ୍ନତିକରଣ କରିବା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି। ହେଲେ ରାସ୍ତା କାମ କରୁଥିବା ଠିକାଦାର ଏବଂ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ରାସ୍ତାଗୁଡିକୁ ମରାମତି କରିବାରେ ଅହେତକୁ ବିଳମ୍ବ କରିବା ସହିତ ରାସ୍ତା କାମ ଅତ୍ୟନ୍ତ ନିମ୍ନ ମାନର କରି ସରକାର ପ୍ରଦାନ କରିଥିବା ଅର୍ଥକୁ ହରିଲୁଟ କରୁଥିବା ଅଭିଯୋଗ ହୋଇଛି।

ଝୁମ୍ପୁରା ବ୍ଲକର ଅସନପାଟ ପଚାୟତର ଚିତ୍ରପୁରଠାରୁ ଚମ୍ପୁଆ ବ୍ଲକର ସିଲୁପୁଞ୍ଜି ପର୍ଯ୍ୟନ୍ତ ୯ କି.ମିରୁ ଉର୍ଦ୍ଧ୍ବ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡକରେ ସାମିଲ କରିଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ତରଫରୁ ୬୫୪.୭୭ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ୧୦.୧.୨୦୨୨ରେ ଆରମ୍ଭ ହୋଇ୯.୧୦.୨୦୨୨ରେ ଶେଷ କରିବା ପାଇଁ ବିଭାଗ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ରାସ୍ତା କାମ କରୁଥିବା ଠିକାଦାର ଏବଂ କାମକୁ ତଦାରଖ କରୁଥିବା ଉଖୁଣ୍ଡା ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାନନ୍ଦ ମହାନ୍ତଙ୍କ ଅପାରଗତା ଯୋଗୁଁ ଆଜି ରାସ୍ତା କାମର ୨୦ ପ୍ରତିଶତ ମଧ୍ୟ ହୋଇପାରିଲା ନାହିଁ। ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତାକୁ ଠିକାଦାର ଜେସିବି ମେସିନ ସାହାଯ୍ୟରେ ଖୋଳି ଦେଇଛି, ଯାହା ଫଳରେ ରାସ୍ତା ଉପରେ ମେଟାଲଗୁଡିକ ବିଛାଇ ହୋଇ ପଡ଼ିଛି। ମେଟାଲଗୁଡିକ ପଡ଼ିଥିବାରୁ ସାଇକେଲ ଯାତାୟତ ଏକ ପ୍ରକାର ବନ୍ଦ ହୋଇ ଯାଇଥିବା ବେଳେ ବାଇକ ଏବଂ ଚାରି ଚକିଆ ଗାଡିଗୁଡିକ ଅତି କଷ୍ଟରେ ଯାତାୟତ କରୁଛି। ଏହି ରାସ୍ତା କାମ କରୁଥିବା ଠିକାଦାର ରାସ୍ତା କାମ କରୁନଥିବାରୁ ନଭେମ୍ବର ମାସରେ ଝୁମ୍ପୁରାଠାରେ ଅନୁଷ୍ଠିତ ହୋଇଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ସମାଜସେବୀ ସାଧୁ ଚରଣ ମହାନ୍ତ ରାସ୍ତା କାମ କରୁଥିବା ଠିକାଦାର କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି କରିବା ସହିତ ରାସ୍ତା କାମକୁ ତୁରନ୍ତ ଶେଷ କରିବା ପାଇଁ ପୂର୍ବତନ ଜିଲାପାଳ ଆଶିଷ ଠାକରେଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ରାସ୍ତା କାମ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ। ବିଭାଗୀୟ ଅଧିକାରୀ କନିଷ୍ଠ ଯନ୍ତ୍ରୀକୁ ଅନ୍ୟତ୍ର ବଦଳି କରିବା ସହିତ ରାସ୍ତା କାମ କରୁଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଡା ନିର୍ଦେଶ ଦେଇଥିଲେ। ଅଧିକାରୀମାନେ ଜିଲାପାଳଙ୍କୁ ପ୍ରତିଶୃତି ଦେଇଥିଲେ ସତ, କିନ୍ତୁ କୌଣସି ପଦକ୍ଷେପ ନେଲେନାହିଁ। ଚମ୍ପୁଆ, ଝୁମ୍ପୁରା, ଉଖୁଣ୍ଡା, ଯୋଡା,ପାଟଣା, କେନ୍ଦୁଝର ସହିତ ପଡୋଶୀ ଜିଲା ମୟୂରଭଞ୍ଜ ଏବଂ ପଡେଶୀ ରାଜ୍ୟ ଝାରଖଣ୍ଡକୁ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଯାତାୟତ କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ଠିକାଦାର ରାସ୍ତାକୁ ଖୋଳିବା ପରେ ରୋଲର ମଡାଇ ରାସ୍ତାକୁ ସମତୁଲ ନକରି ବେଶ ଆରାମରେ ଶୋଇ ରହିଛନ୍ତି। ଠିକାଦାର ରାସ୍ତାକୁ ଖୋଳି ଦେଇଥିବାରୁ ପ୍ରତିଦିନ ଏଠାରେ ଛୋଟ ମୋଟ ଦୁର୍ଘଟଣା ଘଟିବାର ନଜିର ରହିଛି। ରାସ୍ତା କାମ କରୁଥିବା ଠିକାଦାରଙ୍କୁ କଳାତାଲିକା ଭୁକ୍ତ କରିବା ସହିତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି କରିବା ଦିଗରେ ଜିଲାପ୍ରଶାସନ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories