ଶ୍ରୀନଗର: ଜାମ୍ମୁକାଶ୍ମୀର ବୁଡଗାମ୍ ଜିଲାରେ ସେନା ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରପକ୍ଷରେ ସେନା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସ୍ଥାନୀୟ ଲୋକ ସୁରକ୍ଷା କର୍ମୀଙ୍କ ଉପରକୁ ପଥରରେ ଆକ୍ରମଣ କରିଛନ୍ତି।
ଜାଗୁ ଆରିଜାଲ୍ ଅଞ୍ଚଳରେ ଏକ ଘରେ କିଛି ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ସେନା ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ସେନା ଗୁଳିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସେମାନଙ୍କ ନିକଟରୁ ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ବୋମା ଖଞ୍ଜି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେଣୁ ବୋମା ନିଷ୍କ୍ରିୟକାରୀ ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଟିମ୍ ସବୁଜ ସଙ୍କେତ ନ ଦେବା ପର୍ଯ୍ୟନ୍ତ ସେଠାକୁ ଯିବା ପାଇଁ ଜନସାଧାରଣଙ୍କୁ ପୁଲିସ ପକ୍ଷରୁ ବାରଣ କରାଯାଇଛି।
ସେନା ଅପରସେନ୍ ସରିବାର କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳର କେତେକ ମୁଖା ପିନ୍ଧା ଲୋକ ସୁରକ୍ଷା କର୍ମୀଙ୍କ ଉପରକୁ ଅଚାନକ ପଥର ମାଡ଼ କରିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରେ କିଛି ମହିଳା ଥିବା ସନ୍ଦେହ କରାଯାଉଛି।
ସେନା ଗୁଳିରେ ୨ ଆତଙ୍କବାଦୀ ନିହତ
Popular Categories



