www.samajalive.in
Monday, December 8, 2025
27.1 C
Bhubaneswar

ଦିନକୁ କୋଟିଏ

ଗତ ବୁଧବାର କେନ୍ଦ୍ର ସରକାର ମାଗଣାରେ କୋଭିଡ଼-୧୯ ଟିକାର ‘ପ୍ରିକସନ୍‌’ ବା ବୁଷ୍ଟର୍‌ ପାନ ପ୍ରଦାନ ନେଇ ଘୋଷଣା କରିବା ପରେ ଶୁକ୍ରବାରଠାରୁ ଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗର ଲୋକଙ୍କ ପାଇଁ ଏହା ମାଗଣା ମିଳୁଥିବାବେଳେ ଅନ୍ୟମାନଙ୍କୁ ଏହା କିଣିବାକୁ ପଡ଼ୁଥିଲା। ଗତ ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର୍‌ ପାନ ଟିକା ଦେବାପାଇଁ ଘୋଷଣା କରାଯାଇଥିଲେ ହେଁ ଏଥିପ୍ରତି ଜନସାଧାରଣଙ୍କ କୁଣ୍ଠା ଦେଖିବାକୁ ମିଳିଥିଲା। ସମ୍ଭବତଃ ସରକାର ସେଥିପାଇଁ ବାଧ୍ୟହୋଇ ଏହାକୁ ୧୮-୫୯ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି, ଯାହା ସ୍ବାଗତଯୋଗ୍ୟ। ପୂର୍ବରୁ ହିଁ ଏହି ନିଷ୍ପତ୍ତି ନେଇଥିଲେ ଭଲ ହୋଇଥା’ନ୍ତା ଓ ଦେଶରେ ବୁଷ୍ଟର୍‌ ଟିକାକରଣ ଅନେକ ପରିମାଣରେ ଆଗେଇଥାନ୍ତା। ଦେଶର ୭୭ କୋଟି ଲୋକଙ୍କୁ ବୁଷ୍ଟର୍‌ ପାନ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧ ଶତାଂଶ ଲୋକଙ୍କୁ ଏହା ଦିଆଯାଇଛି। ଏଥିରୁ ଏହି କାର୍ଯ୍ୟର ମନ୍ଥରତା ଅନୁମେୟ। ସେ ଯାହାହେଉ, ଆମେ ଆଶା କରିବା ଯେ ଲୋକେ ଏବେ ସ୍ବତଃପ୍ରବୃତ୍ତ ଭାବେ ଟିକାଦାନ କେନ୍ଦ୍ରକୁ ଆସି ପୂର୍ବଭଳି କରୋନା ମାର୍ଗଦର୍ଶିକାର ଅନୁପାଳନ କରି ଟିକା ନେବେ। ବୁଷ୍ଟର୍‌ ପାନ ନେବାର ବ୍ୟବଧାନ ଅବଧି ଅଧିକ ଥିବାରୁ ଅନେକ ଚାହିଁଲେ ମଧ୍ୟ ଏହି ତୃତୀୟ ପାନ ଟିକା ନେଇ ପାରୁନଥିଲେ। ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ସମ୍ବନ୍ଧୀୟ ଜାତୀୟ ପରାମର୍ଶଦାତା ମଣ୍ଡଳୀର ସୁପାରିସରେ ଏହି ଅବଧିକୁ ନଅ ମାସରୁ ଛଅ ମାସକୁ ହ୍ରାସ କରିଛନ୍ତି। ଫଳରେ ଅଧିକ ସଂଖ୍ୟକ ଲୋକ ଏହି ଟିକା ନେବାକୁ ଯୋଗ୍ୟ ବିବେଚିତ ହେବେ। ଉଲ୍ଲେଖଯୋଗ୍ୟ, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଗବେଷଣା ସଙ୍ଗଠନଗୁଡ଼ିକ କହିଆସୁଛନ୍ତି ଯେ କୋଭିଡ଼ ଟିକାର ରୋଗ ପ୍ରତିରୋଧୀ ପ୍ରଭାବ ପ୍ରାୟ ଛଅ ମାସ ହିଁ ରହିଥାଏ। ଏହି ତଥ୍ୟକୁ ଗୁରୁତ୍ବ ଦେଲେ ଦ୍ବିତୀୟ ପାନ ଟିକା ନେବାର ଛଅ ମାସ ପରେ ବୁଷ୍ଟର ପାନ ଦିଆଯିବା ବିଧେୟ।
ଭାରତ ସରକାର ପ୍ରଥମେ ପ୍ରଥମେ ସର୍ବସାଧାରଣ କୋଭିଡ଼-୧୯ ଟିକାକରଣ ନେଇ ଅନେକ ଅପରିଣାମଦର୍ଶୀ ପଦକ୍ଷେପ ନେଇଥିଲେ ହେଁ କିଛି ମାସ ପରେ ଏଥିରେ ସଂସ୍କାର ଆଣି ପ୍ରତ୍ୟେକଙ୍କ ନିକଟରେ ଟିକା ପହଞ୍ଚାଇବାରେ ସଫଳ ହୋଇଛନ୍ତି। ଏଥିପାଇଁ ଅନେକ ନୂଆ ଅଭିଯାନର ମଧ୍ୟ ଆୟୋଜନ କରିଛନ୍ତି। ‘ହର୍‌ ଘର୍‌ ଦସ୍ତକ୍‌’ ଏଥିରୁ ଗୋଟିଏ। ବୁଷ୍ଟର୍‌ ପାନ ଟିକାକରଣକୁ ବଢ଼ାଇବା ପାଇଁ ଏହା ଉଦ୍ଦିଷ୍ଟ। ଏହି ଅଭିଯାନରେ ୬୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଘରକୁ ଘର ଯାଇ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଗତ ୧ ଜୁନରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଏହା ଏବେ ମଧ୍ୟ ଜାରି ରହିଛି। ତେବେ ଅନେକ ରାଜ୍ୟରେ ଏହାର କାର୍ଯ୍ୟକାରିତା ନିରାଶାଜନକ ରହିଛି। ଓଡ଼ିଶାରେ ଗତ ୧୪ ଜୁଲାଇ ସୁଦ୍ଧା ମୋଟ ୧୮ ଲକ୍ଷ ୪୧ ହଜାର ପ୍ରିକସନ/ବୁଷ୍ଟର୍‌ ପାନ ଟିକା ଦିଆଯାଇଥିବା ସରକାରୀ ତଥ୍ୟ କହୁଛି। ଏହା ନିଶ୍ଚିତଭାବେ ଉତ୍ସାହଜନକ ନୁହେଁ। ମାଗଣା ଟିକା ଦିଆଯିବା ଦ୍ବାରା ଅବଶ୍ୟ ଲୋକେ ପୂର୍ବଭଳି ଟିକା ନେବାକୁ ମନ କରିବେ ବୋଲି ଆଶା କରାଯାଇପାରେ। ତେବେ ଟିକାଦାନ କେନ୍ଦ୍ର ଓ ଡାକ୍ତରଖାନାଗୁଡ଼ିକୁ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖାଯିବା ଦରକାର। ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ପଞ୍ଜୀକରଣ ଦ୍ବାରା ଏହି ଟିକା ଦିଆଯିବା କଥା କୁହାଯାଇଛି; କିନ୍ତୁ ଶୃଙ୍ଖଳିତ ଭାବେ କିପରି ଏହି କାର୍ଯ୍ୟ ସଂପନ୍ନ ହେବ, ତାହା ଗୁରୁତ୍ବପୂର୍ଣ୍ଣ। ସରକାର ତ ବୁଷ୍ଟର ପାନ ଟିକା ଦେବାପାଇଁ ୭୫ ଦିନର କଣ୍ଟ ରଖିଛନ୍ତି। ତେବେ ଏହି ୭୫ ଦିନରେ ପ୍ରାୟ ୭୫ କୋଟି, ଅର୍ଥାତ ଦିନକୁ କୋଟିଏ ଲୋକଙ୍କୁ କିପରି ଏହି ଟିକା ଦିଆଯାଇପାରିବ, ତାହା ଏକ ବଡ଼ ଆହ୍ବାନ।
କୋଭିଡ଼-୧୯ ମହାମାରୀ ଭୟ ଏ ପର୍ଯ୍ୟନ୍ତ ପୃଥିବୀରୁ ଯାଇନାହିଁ। ଅବଶ୍ୟ ଏହାର ପ୍ରକୋପ ହ୍ରାସ ପାଇଥିବା ସ୍ପଷ୍ଟ ହେଲାଣି। ‘ଇଣ୍ଡିଆନ ସାର୍ସ-କୋଭ୍‌-୨ କନସୋର୍ଟିଅମ୍‌ ଅନ୍‌ ଜିନୋମିକ୍ସ’ (ଇନ୍‌ସାକୋଗ୍‌) ତା’ର ସଦ୍ୟତମ ବୁଲେଟିନ୍‌ରେ କହିଛି ଯେ ଜାନୁଆରୀ ୨୦୨୨ରେ ସମଗ୍ର ବିଶ୍ବରେ କୋଭିଡ଼ ମାମଲା ଉଚ୍ଚ ସ୍ତରରେ ପହଞ୍ଚିଥିଲାବେଳେ ବର୍ତ୍ତମାନ ନୂତନ ସାପ୍ତାହିକ ସଂକ୍ରମଣ କମିକମି ଚାଲିଛି। ଏବେ ଓମିକ୍ରନର ବିଏ.୨ କିସମର ଭୂତାଣୁ ଦ୍ବାରା ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ଦେଶ ଓ ରାଜ୍ୟରେ ଅବଶ୍ୟ ଗତ କେଇ ସପ୍ତାହ ହେଲା ସଂକ୍ରମଣ ବୃଦ୍ଧି ପାଉଛି। ଓଡ଼ିଶାରେ ଦୈନିକ ସଂକ୍ରମଣ ୧ ଜୁଲାଇରେ ୨୦୪ ଥିବାବେଳେ ୧୫ ତାରିଖରେ ଏହା ହଜାରେକୁ ଟପିଯାଇଛି। ଏହା ନିଶ୍ଚୟ ଚିନ୍ତାଜନକ। ଆଶ୍ବାସନାର କଥା ଯେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିବା ଭଳି ରୋଗୀଙ୍କ ସଂଖ୍ୟା ଅଳ୍ପ। କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣ କୋଭିଡ଼-ଉପଯୁକ୍ତ ବ୍ୟବହାର ଆପଣାଇବା ସହ ଟିକା ନେବା ଜରୁରୀ। ସ୍ବାସ୍ଥ୍ୟ ବିଭାଗ ଜନସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ବାଞ୍ଛନୀୟ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories