ବୌଦ୍ଧ : ବୌଦ୍ଧଗଡଜାତର ଗଣପର୍ବ ରାମଲୀଳା ଯାତ୍ରା ଅବସରରେ ବୌଦ୍ଧ କଚେରୀ ପଡିଆ ଠାରେ ବୌଦ୍ଧଜିଲ୍ଲା ପ୍ରଶାସନ, ଓରମାସ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବୌଦ୍ଧ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା ଆରମ୍ଭ ହୋଇଛି । ଗତକାଲି ତୃତୀୟ ସଂଧ୍ୟାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସିନେତାରକା ମନୋଜ ମିଶ୍ର, ସିନେ ଅଭିନେତା ନିର୍ଦ୍ଦେଶକ ତଥା ବୌଦ୍ଧ ମାଟିର ପରିଚୟ ଚିନ୍ମୟ ମିଶ୍ର(ପପୁ), ସିନେ ତାରକା ମମତା ନନ୍ଦ, ଓଡିଆ ସାହିତ୍ୟ ଓ ସଂସ୍କୃତି ଗବେଷକ ସୂଦର୍ଶନ ପୁଜାରୀ, ସାହିତ୍ୟିକ ରାମକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇଥିଲେ । କାହିଁ ପୂରାତନ ରାଜା ରାଜୁଡା ସମୟରୁ ମହା ଆଡମ୍ବରରେ ପାଳିତ ହୋଇଆସୁଥିବା ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା ଦିନକୁ ଦିନ ଅଧିକ ଆକର୍ଷଣୀୟ ହେବା ସହିତ ଏହା ଜିଲାର ଗଣପର୍ବ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଅତିଥିମାନଙ୍କୁ ଜିଲ୍ଲା ପ୍ରଶାସନ ତଥା ମେଳା ଆୟୋଜକ କମିଟି ପକ୍ଷରୁ ଉତ୍ତରୀୟ ଓ ସମ୍ବର୍ଦ୍ଧନା ପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଲୋଇସିଙ୍ଗା ଶଙ୍କର ଏବଂ ସାଥୀମାନଙ୍କ ଦ୍ୱାରା ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ, ବୌଦ୍ଧର ଗେହ୍ଲା ମା’ କଳାନିକେତନ ଦ୍ୱାରା ପଞ୍ଚ ମହାଦେବୀ ନୃତ୍ୟ, ବୌଦ୍ଧର ପ୍ରଣାମ ଅନୁଷ୍ଠାନର ମାତୃମଣ୍ଡଳୀ ଦ୍ୱାରା ସମ୍ବଲପୁରୀ ଚୁଟକୁଚୁଟା, ପ୍ରାଣୀ କଲ୍ୟାଣ ମଂଚ ପକ୍ଷରୁ ପତରସଉରା ଓ ଗୋବିନ୍ଦପୁର ସଂକିର୍ତିନ ଦର୍ଶକମାନଙ୍କୁ ମଞ୍ଚ ସହିତ ବାନ୍ଧି ରଖିଥିଲା । ପ୍ରମୋଦ ପ୍ରଧାନ ସଂଯୋଜନା କରିଥିବାବେଳେ ବସନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ।



