ହରଭଙ୍ଗା: ପଞ୍ଚାୟତ ନିର୍ବଚନରେ ଉଚ୍ଚଶିକ୍ଷିତା ପ୍ରାର୍ଥୀ । ସରପଞ୍ଚ ପାଇଁ ଲଢ଼ୁଛନ୍ତି ପ୍ରଜ୍ଞାପରମିତା । ବୈଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୁଣ୍ଡୁରିସାହି ଭଳି ଏକ ଛୋଟ ଗାଁରେ ପ୍ରଜ୍ଞା ଜନ୍ମ ନେଇଥିବା ବେଳେ, ପାଠ ଓ ଲୋକଙ୍କ ସେବାପ୍ରତି ରହିଛି ତାଙ୍କର ଅହେତୁକ ଦର୍ବଳତା । ମାଆ ମୋହିନି ବେହେରା ଓ ବାପା ଶିକ୍ଷକ ଯାମିନୀକାନ୍ତ ବେହେରାଙ୍କ ଏକମାତ୍ର ଝିଅ ହେଉଛନ୍ତି ପ୍ରଜ୍ଞାପରମିତା ବେହେରା । ସେ ବର୍ତମାନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆନ୍ଥ୍ରୋପୋଲଜିରେ ପୋଷ୍ଟ ଗ୍ରାଜୁଏଟ କରୁଥିବା ଶେଷବର୍ଷର ଛାତ୍ରୀ । ପାଠ ପଢ଼ିବା ସହ ଲୋକଙ୍କ ସେବାକରିବାକୁ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ପ୍ରଜ୍ଞା ।
ଗାଁର ମାଟି ,ପାଣି,ପବନରେ ବଢିଛନ୍ତି ପ୍ରଜ୍ଞାପରମିତା ।ପିଲାଟିବେଳୁ ଗାଁରେଥିବା ପିଇବା ପାଣି ସମସ୍ୟା ଠାରୁ ଆରମ୍ଭ କରି ରାସ୍ତା ଘାଟ,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ଅନେକ ମୌଳିକ ସମସ୍ୟା ସହିତ ସେ ବେଶ ଜଡିତ । ପ୍ରଜ୍ଞାଙ୍କ କହିବା ଅନୁସାରେ, ପାଠପଢି ଚାକିରି କଲେ କେବଳ ନିଜ ପାଇଁ କିଛି କରିପାରିବି ।ମାତ୍ର ରାଜନୀତିରେ ଲୋକଙ୍କ ସେବା ସହିତ ସମାଜର ଉନ୍ନତି କରିହେବ । ପ୍ରାର୍ଥୀ ହୋଇ ସମାଜସେବା କରିବା ସହିତ ଗାଁ ଗାଁରେ ରହିଥିବା ମୌଳିକ ସମସ୍ୟା ଦୂର କରିବା ପାଇଁ ସେ ସ୍ୱପ୍ନ ଦେଖିଛନ୍ତି ।
ସରପଂଚ ପ୍ରାର୍ଥିନୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇଛନ୍ତି ପ୍ରଜ୍ଞାପରମିତା ।ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଭୋଟରଙ୍କୁ ଗାଁରେଥିବା ସମସ୍ୟା ଓ ସରକାରୀ ସୁବିଧା ବିଷୟରେ ଜଣାଉଛନ୍ତି । ତାହା ସହ ଲୋକଙ୍କୁ ନିଜ ପାଇଁ ଭୋଟ୍ ମାଗିବା ପରିବର୍ତ୍ତେ ଜଣେ ଯୋଗ୍ୟ ପ୍ରାର୍ଥୀକୁ ଭୋଟ ଦେବା ପାଇଁ ପ୍ରଜ୍ଞାପରମିତା କହୁଛନ୍ତି । ଚଳିତ ନିର୍ବାଚନରେ ଛତ୍ରଙ୍ଗ ପଂଚାୟତରୁ ୮ଜଣ ସରପଂଚ ପାଇଁ ନିର୍ବାଚନ ଲଢୁଥିବାବେଳେ ସବୁଠୁ ଉଚ୍ଚଶିକ୍ଷିତା ଯୁବତୀ ହେଉଛନ୍ତି ପ୍ରଜ୍ଞାପରମିତା । ହେଲେ ଏଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବତୀକୁ ପଂଚାୟତବାସୀ କିଭଳି ଗ୍ରହଣ କରୁଛନ୍ତି ତାହା ନିର୍ବାଚନ ମତଦାନ ପରେ ସ୍ପଷ୍ଟ ହେବ ।



