ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ୟାସ’ ଧାମରା ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ଭୋର ସୁଦ୍ଧା ବାତ୍ୟା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଦ୍ବିପ୍ରହର ବେଳକୁ ସ୍ଥଳଭାଗ ଅତିକ୍ରମ କରିବ। ଧାମରାର ଉତ୍ତରକୁ ଏବଂ ବାଲେଶ୍ଵରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ବାଲେଶ୍ଵର ଯିବାକୁ ନିର୍ଦେଶ ଦେଇଛନ୍ତି। ସେଠାରେ କ୍ୟାମ୍ପ ପକାଇ ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଇଏମଡି ସୂଚନା ଅନୁସାରେ, ବାତ୍ୟା ଯୋଗୁ ଧାମରା ଏବଂ ଚାନ୍ଦବାଲିରେ ସବୁଠୁ ବେଶି କ୍ଷତି ଘଟିବ। ୨୬ ତାରିଖ ସକାଳୁ ଉପକୂଳରେ ବାତ୍ୟାର ପ୍ରଭାବ ପଡ଼ିବ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅଧିକ ପ୍ରଭାବ ପଡ଼ିବ। ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପରବର୍ତ୍ତୀ ୬ ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ।
ବାତ୍ୟା ପ୍ରଭାବରେ ଆଜି ମଧ୍ୟରାତ୍ରିରୁ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। କାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ ବୋଲି ସୂଚନା ଦିଆଯାଇଛି।



