ମୁମ୍ବଇ: କେନ୍ଦ୍ର ଆୟକର ବିଭାଗ ଦେଶରେ କୋଭିଡ ଚିକିତ୍ସା ନିମନ୍ତେ ଦାଖଲ କରାଯାଉଥିବା ନଗଦ ଅର୍ଥ କ୍ଷେତ୍ରରେ ଆୟକର ଆଇନରେ କିଛିଟା କୋହଳ କରିଛନ୍ତି। ଏଣିକି ଡାକ୍ତରଖାନାଗୁଡିକରେ କୋଭିଡ ଚିକିତ୍ସା ବାବଦରେ ଯଦି ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥାଏ ତେବେ ସେହି ଅର୍ଥ ନଗଦ ଆକାରରେ ଦିଆଯାଇପାରିବ। ସୂଚନାଯୋଗ୍ୟ ଯେ ଆୟକର ଆଇନରେ ଘରୋଇ ଡାକ୍ତରଖାନା ଏବଂ ନର୍ସିଂ ହୋମ ଗୁଡିକୁ ଚିକିତ୍ସା ଖର୍ଚ୍ଚ ବାବଦରେ ୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ନଗଦ ଆକାରରେ ଗ୍ରହଣ କରିବା ଉପରେ ଅଙ୍କୁଶ ଲଗାଯାଇଥିଲା। ଏଥିରେ ଚଳିତ ମଇ ମାସ ୩୧ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି।
କିଛି ରୋଗୀଙ୍କ ପରିବାରବର୍ଗ ଚେକ୍ ଏବଂ ଡିଜିଟାଲ ନେଣଦେଣ ସମ୍ପର୍କରେ ବିଶେଷ ଭାବରେ ଅବଗତ ନଥିବାରୁ ସେମାନେ ଏହି ଅର୍ଥ ଦାଖଲ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାସହିତ ଅଧିକାଂଶ ଘରୋଇ ଡାକ୍ତରଖାନା ସେମାନଙ୍କ ପ୍ରାପ୍ୟ ଅର୍ଥ ଚେକ୍ ଆକାରରେ ଗ୍ରହଣ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ନଗଦ ଅର୍ଥ ପ୍ରଦାନ କ୍ଷେତ୍ରରେ ଅର୍ଥ ଦେଉଥିବା ରୋଗୀଙ୍କର ପାନ୍ ଅଥବା ଆଧାର ସଂଖ୍ୟା ଏବଂ ନେଉଥିବା ଡାକ୍ତରଖାନା ଅଥବା ନର୍ସିଂହୋମ୍ ପାନ୍ ଅଥବା ଆଧାର ସଂଖ୍ୟା ଉଲ୍ଲେଖ କରିବାକୁ କୁହାଯାଇଛି।
ଆୟକର ଆଇନରେ କୋହଳ; କୋଭିଡ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ଆକାରରେ ଦାଖଲ କରାଯାଇପାରିବ
Popular Categories



