ଦାଦନ ମୁକ୍ତ ଗାଁ ଗୁଞ୍ଜିଗୁଡ଼ା

ଜୟପୁର: ପଛୁଆ ଅଞ୍ଚଳ ଭାବେ ପରିଚିତ କୋରାପୁଟ ଜିଲାର ଦାଦନମୁକ୍ତ ଗାଁ ଗୁଞ୍ଜିଗୁଡା। ଏହି ଗାଁକୁୁ ଗମନାଗମନର ସୁବିଧା ନ ଥିଲେ ହେଁ ଲୋକେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଲୋକଙ୍କୁ କୁଲି କାମ ପାଇଁ ସୁଯୋଗ ମିଳୁନି। ତଥାପି ସେମାନେ ଭିଟାମାଟିରେ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହୋଇଛନ୍ତି। ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉ ନାହାନ୍ତି। ଗ୍ରାମର ପୁରୁଷ ଆତ୍ମନିର୍ଭରଶୀଳ ହେବା ପଛରେ ରହିଛି ନାରୀ ଶକ୍ତିର ହାତ। ଗୁଞ୍ଜିଗୁଡା ଗ୍ରାମର ପ୍ରାୟ ସମସ୍ତ ମହିଳା ବାଉଁଶରେ ଭଳିକି ଭଳି ଉପକରଣ ତିଆରି କରି ତାହାକୁ ବଜାରରେ ବିକ୍ରି ପାଇଁ ପଠାଉଛନ୍ତି। ବର୍ଷ ତମାମ୍‌ ବାଉଁଶରେ ନିର୍ମିତ ଚାଙ୍ଗଡା, ଛପା, କାଉଡି ବିକ୍ରି କରି ନିଜ ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି। ଗାଁର ମହିଳାଙ୍କଦ୍ୱାରା ପ୍ରସ୍ତୁତ ବାଉଁଶ ସାମଗ୍ରୀଗୁଡିକୁ ପୁରୁଷମାନେ ବିକ୍ରି କରିବାରେ ସହାୟତା କରନ୍ତି। ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ ଅଧୀନରେ ଗୁଞ୍ଜିଗୁଡା ଗ୍ରାମ ରହିଛି। ଗାଁକୁ ଯାତାୟାତ ପାଇଁ ସୁବିଧା ନାହିଁ। ଗାଁର ଭୌଗଳିକସ୍ଥିତି ଏମିତି ରହିଛି ଯେ ପଶ୍ଚିମପଟକୁ ଟ୍ରେନ୍‌ ଲାଇନ ଓ ପୂର୍ବପଟକୁ ଖଡପା କେନାଲ ରାସ୍ତା ରହିଛି। ଗାଁଠାରୁ ଦୁଇ କିଲୋମିଟର ଯାଏ ଚାଲି ଚାଲି ଗଲେ ପଞ୍ଚାୟତ କିମ୍ବା ପୂର୍ତ୍ତ ବିଭାଗ ରାସ୍ତା ପଡୁଛି। ଗ୍ରାମରେ ମୁଦୁଲିସାହି, ତଳସାହି ଓ ଉପରସାହି ରହିଛି। ପ୍ରାୟ ୬୦ ପରିବାର ବାସ କରୁଛନ୍ତି। ସମସ୍ତେ ଆଦୀବାସୀ ସମ୍ପ୍ରଦାୟର। ବାଉଁଶରେ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଘୋରେଇ ଓ ଚାଷ ଉପଯୋଗୀ ସାମଗ୍ରୀ। ବାଉଁଶ ସାମଗ୍ରୀ ପ୍ରସ୍ତୁତ କରିବାକୁ ଆବଶ୍ୟକ କଞ୍ଚାମାଲ ଗୁଞ୍ଜିଗୁଡାରେ ମିଳୁ ନ ଥିବାରୁ କୋରାପୁଟ ଜିଲାର କୁନ୍ଦ୍ରା, ବୈପାରିଗୁଡା ଅଞ୍ଚଳରୁ ପୁରୁଷମାନେ କିଣି ଆଣନ୍ତି। ଉକ୍ତ ବାଉଁଶକୁ ସାଇତି ରଖି ମହିଳାମାନେ ପ୍ରସ୍ତୁତ କରନ୍ତି କୁଲା, ଚାଙ୍ଗଡା, ଛପା, ଡାଲା କାଉଡି। ବର୍ଷର ଆଠ ମାସ ବାଉଁଶରୁ ବିଭିନ୍ନ ଉପକରଣ ପ୍ରସ୍ତୁତ କରୁଛନ୍ତି। ବାଉଁଶ ନିର୍ମିତ ଉପକରଣ ବିଶେଷ କରି ଜୟପୁର ଉପଖଣ୍ଡର ବିଭିନ୍ନ ହାଟକୁ ନେଇ ବିକ୍ରି କରନ୍ତି। ଏଥିରେ ଆତ୍ମସନ୍ତୋଷ ମିଳୁଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡୁ ନ ଥିବା ଗ୍ରାମର ଘାସିରାମ ମୁଦୁଲି, ଜୟରାମ ମୁଦୁଲି, ଭାଲୁ ଜାନି, ପର୍ଶୁ ପୁରଶତି, ବଦା ଜାନି, ବଣ୍ଡକା ଜାନି, ସୁଭଦ୍ରା ମୁଦୁଲି, କମଲା ମୁଦୁଲି, ମଙ୍ଗଳଦେଇ ଜାନି, ବିଶୁ ଜାନୀ, ତ୍ରୀନାଥ ଜାନି, ପରର୍ଶୁ ମୁଦୁଲି ମଙ୍ଗୁଳୁ ଜାନି କହିଛନ୍ତି। ରୋଜଗାରକ୍ଷମ ହୋଇଥିବାରୁ ପୁରୁଷମାନେ ଦାଦନ ଖଟିବାକୁ ଯିବାକୁ ଇଛା ପ୍ରକାଶ କରୁ ନ ଥିବା ଗ୍ରାମର ମହିଳା ମୋତି ମୁଦୁଲି, ଗୋରୀ ମୁଦୁଲି, ଦଶାଇ ପୂଜାରୀ, ଡେମା ଜାନୀ, ତୁଳସା ଜାନୀ, ବଇଦି ଜାନୀ, ରମା ମୁଦୁଲି, ସୁମିତା ମୁଦୁଲି ସୂଚନା ଦେଇଛନ୍ତି। ଏହି ଗାଁକୁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେଠାକାର ଲୋକଙ୍କୁ ସ୍ୱାବଲମ୍ବି ହେବା କ୍ଷେତ୍ରରେ ଅଧିକ ସହାୟକ ହେଲେ ଗୁଞ୍ଜିଗୁଡା ଜିଲା ଓ ରାଜ୍ୟରେ ନୁହେଁ ସାରା ଦେଶରେ ଉଦାହରଣ ସୃଷ୍ଟି କରିପାରିବ ବୋଲି କୁହାଯାଉଛି। ଅଦ୍ୟାବଧି ଗାଁର କେହି ଦାଦନ ଖଟିବାକୁ ଯାଉ ନ ଥିବାରୁ ଗୁଞ୍ଜିଗୁଡାକୁ ଦାଦନମୁକ୍ତ ଗାଁ ବୋଲି ଲୋକେ କହୁଛନ୍ତି।

Comments are closed.