ଭୁବନେଶ୍ବର: ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଆଉ ଜଣଙ୍କୁ ଗିରଫ ନେଇ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ମୋଟ ଗିରଫଦାରି ୭କୁ ବୃଦ୍ଧି ପାଇଛି।
କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍ ଆଜି ମାହାଙ୍ଗା ହତ୍ୟାକାଣ୍ତରେ ରାଜଗାଙ୍ଗପୁରରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଉମେଶ ଖଟୁଆ। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳରୁ ଆଜି ପୁଲିସ ଗିରଫ କରିଥିବା ବେଳେ ହତ୍ୟାକାଣ୍ତରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏବେ ବି ଗ୍ରାମାଞ୍ଚଳ ପୁଲିସ ଖୋଜୁଥିବା ସୂଚନା ମିଳିଛି।
ଗତ ୨ ତାରିଖ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ପାଞ୍ଚ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ଜଣକ ପରେ ଜଣଙ୍କୁ ପୁଲିସ ଗିରଫ କରି ଚାଲିଛି। ଆଜି ଗିରଫ ଅଭିଯୁକ୍ତଙ୍କୁ ମିଶା ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହିତ ଏହି ହତ୍ୟାକାଣ୍ତରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବା ଜଣାପଡ଼ିଛି।



