www.samajalive.in
Monday, December 8, 2025
27.1 C
Bhubaneswar

ଅର୍ଥକରୀ ଫସଲ ଚାଷ ବୃଦ୍ଧି କରିପାରିବ କୃଷକଙ୍କ ଆୟ

ଭୁବନେଶ୍ୱର: ଫସଲ ଉତ୍ପାଦନରେ ବିବିଧିକରଣ କରାଯାଇ ଡାଲି ଓ ତୈଳବୀଜ ପରି ଅର୍ଥକରୀ ଫସଲ ଚାଷ କରାଗଲେ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ। ସମନ୍ୱିତ କୃଷି ସଂପର୍କରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହିତ ମୃତ୍ତିକା ପରୀକ୍ଷଣ ଓ ଫସଲର ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାକୁ ସହଜରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ। ଚାଷୀମାନେ ଠିକ୍‌ ସମୟରେ ଓ ସଠିକ୍‌ ପରିମାଣର ଉନ୍ନତ ବିହନ, ସାର ଆଦି କୃଷି ଉପକରଣ ଯେପରି ପାଇବେ ସେଥି ନିମନ୍ତେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।
ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ମୁଖ୍ୟ ଜିଲା କୃଷି ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ସାରର ଚାହିଦା ଓ ଯୋଗାଣ ସଂପର୍କରେ ଆଗୁଆ ପଦକ୍ଷେପ ନେବା ପାଇଁ କହିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ପକ୍ଷରୁ ସାର ଓ କୀଟନାଶକ ଯୋଗାଣ ସଂପର୍କରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ନିମନ୍ତେ ପ୍ରତ୍ୟେକ ଜିଲାରେ ଆଶାୟୀ କୃଷି ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରସ୍ତୁତ ସହିତ ସେମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ।

 

- Advertisement -

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ କୋଭିଡ୍‌-୧୯ ସତ୍ତ୍ବେ ରାଜ୍ୟରେ ଫସଲ ଉତ୍ପାଦନ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିବା ସହିତ ବିଗତ ୨୦ ବର୍ଷ ମଧ୍ୟରେ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି କହିଥିଲେ। ଅନେକ ପନିପରିବା ଉତ୍ପାଦନରେ ଓଡ଼ିଶା ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ଆଗୁଆ ଥିବାବେଳେ ମାଛ, ମାଂସ, ଦୁଗ୍ଧ ଓ ଅଣ୍ଡା ଉତ୍ପାଦନରେ ଅନେକ ଅଗ୍ରଗତି ଲାଭ କରିଛି। ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ପ୍ରାଥମିକତା ଦେଇ କୃଷିନୀତି ୨୦୨୦ ‘ସମୃଦ୍ଧି’ ପ୍ରଣୟନ କରିଥିବାବେଳେ ମନ୍ତ୍ରୀ ଡ. ସାହୁ ଏହାର ସଠିକ ରୂପାୟନ ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀମାନଙ୍କୁ କହିଥିଲେ।
ବଳରାମ ଯୋଜନାରେ ହିତାଧିକାରୀମାନେ ଯେପରି ସହଜରେ ଓ ସୁବିଧାରେ ଋଣ ପାଇପାରିବେ ସେଥି ନିମନ୍ତେ ମୁଖ୍ୟ ଜିଲା କୃଷି ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରି ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଥିଲେ।  ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ମୁଖ୍ୟ ଜିଲା କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହିତ ବ୍ଲକ୍‌ସ୍ତରରେ ବୈଷୟିକ ବୈଠକ ଯେପରି ନିୟମିତ ଆୟୋଜନ ହୁଏ ସେଥି ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଜିଲାରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଦିଆଯାଇଥିବା ଅର୍ଥକୁ ମାର୍ଚ୍ଚ ମାସ ସୁଦ୍ଧା ଖର୍ଚ୍ଚ କରିବାକୁ ମନ୍ତ୍ରୀ ମୁଖ୍ୟ ଜିଲା କୃଷି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥିସହିତ ‘ଆତ୍ମା’ର ପରିଚାଳନା ବୈଠକ ନିୟମିତ ଆୟୋଜନ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ।

Pic courtesy :: indiamart.com

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ରାଜ୍ୟରେ ଶୋରିଷ ତେଲ, କୁଣ୍ଡାତେଲ ଆଦି ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଶିଳ୍ପର ଯଥେଷ୍ଟ ସୁଯୋଗ ରହିଥିବାବେଳେ ଚାଷୀମାନଙ୍କୁ ଶୋରିଷ, ସୋୟାବିନ୍‌, ଚିନାବାଦାମ ଏବଂ ଝୋଟ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ମୁଖ୍ୟ ଜିଲା କୃଷି ଅଧିକାରୀମାନଙ୍କୁ ସଚିବ ଡ. ଗର୍ଗ କହିଥିଲେ। ଏଥି ସହିତ ରାଜ୍ୟରେ ମିଲେଟ୍‌ ମିଶନ୍‌ରେ ଅଧିକରୁ ଅଧିକ ମାଣ୍ଡିଆଜାତୀୟ ଫସଲ ଚାଷ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ୩୦ଟି ଜିଲ୍ଲାର ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories