www.samajalive.in
Monday, December 8, 2025
27.1 C
Bhubaneswar

ଦୁଃଖ ଦରିଆରେ ସୁଖରାମଙ୍କ ସ୍ୱପ୍ନ; ଦୃଷ୍ଟିବାଧିିତ କ୍ରିକେଟର ଆଜି ଦିନ ମଜୁରିଆ

କୋରାପୁଟ: ଦିନେ ସେ ନିଜ ପ୍ରତିଭା ବଳରେ ଚମକୁଥିଲେ। ତାଙ୍କୁ ନେଇ ସମଗ୍ର ରାଜ୍ୟ ଓ ଦେଶ ଅନେକ ସ୍ୱପ୍ନ ଦେଖିଥିଲା। ଦୃଷ୍ଟିବାଧିତ ଭାରତୀୟ କ୍ରିକେଟ ଦଳରେ ଦକ୍ଷତା ପ୍ରତିପାଦନ କରି ଯିଏ ଦିନେ ସମସ୍ତ କ୍ରିକେଟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରି କୋରାପୁଟ ମାଟିର ସୁନାମକୁ ଢେର ଉଚ୍ଚକୁ ନେଇପାରିଥିଲେ ସେଭଳି ଜଣେ ଦୃଷ୍ଟିବାଧିତ କ୍ରିକେଟର ଆଜି ଦିନ ମଜୁରିଆ। କରୋନା କଟକଣା ଭିତରେ ଦୁଃଖର ଦରିଆରେ ଭାସୁଛି ସୁଖରାମଙ୍କ ସ୍ୱପ୍ନ। ପାଠ ତାଙ୍କ ଠାରୁ ଦୂରେଇବାରେ ଲାଗିଛି, ସରକାରୀ ସହାୟତା ଅପହଞ୍ଚ ହେଉଛି। ଦିନେ ଯିଏ ୱିକେଟ ପଛରେ ବଲ୍‍ ଧରୁଥିଲେ, ଯେଉଁ ହାତ ବ୍ୟାଟ ଧରି ଦେଶ ପାଇଁ ଖେଳୁଥିଲା ଆଜି ସେହି ହାତ ପଥର ବୋହୁଛି, ପେଟପାଟଣା ପାଇଁ କଷ୍ଟର ବୋଝ ମୁଣ୍ଡାଇଛି।

କୋରାପୁଟ ବ୍ଲକ ଉମୁରୀ ପଞ୍ଚାୟତ ଅନ୍ତର୍ଗତ ସୁକ୍ରିଗୁଡ଼ାରେ ବାସ କରନ୍ତି ସୁଖରାମ ମାଝି। ଦୃଷ୍ଟିବାଧିତ ସୁଖରାମ କୋରାପୁଟସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ପାଠପଢ଼ା ସମୟରୁ ତାଙ୍କଠାରେ କ୍ରିକେଟ ପ୍ରତିଭା ଦେଖିବାକୁ ମିଳିଥିଲା। ଜିଲା, ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିବା ପରେ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଦେଶ ପାଇଁ ଖେଳିଛନ୍ତି ଏହି ପ୍ରତିଭାବାନ କ୍ରିକେଟର। ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଉପଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି ସୁଖରାମ। କେବଳ ସେତିକି ନୁହେଁ ୨୦୧୬ ମସିହାରେ ଦୃଷ୍ଟିବାଧିତ ଏସିଆ କପ୍‍ରେ ଭାରତ ଚମ୍ପିଆନ୍‍ ହୋଇଥିବାବେଳେ ଏହି ଦଳରେ ସାମିଲ୍‍ ଥିଲେ ସୁଖରାମ। ୨୦୧୭ ମସିହାରେ ଦୃଷ୍ଟିବାଧିତ ଟି-୨୦ବିଶ୍ୱକପ୍‍ କ୍ରିକେଟ ପ୍ରତିଯୋଗିତାରେ ଭାରତ ଦଳରେ ସାମିଲ୍‍ ହୋଇଥିବାବେଳେ ଭାରତ ବିଶ୍ୱକପ ଚମ୍ପିଆନ୍‍ ହୋଇପାରିଥିଲା। ଜଣେ ଦକ୍ଷ ୱିକେଟକିପର କ୍ରିକେଟର ଭାବେ ସେ ବେଶ୍‍ ଜଣାଶୁଣା। ଏବେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପିଜି ଅଧ୍ୟୟନ କରୁଛନ୍ତି। ଲକଡାଉନ ପରେ କଲେଜ ବନ୍ଦ ହୋଇଯିବା ପରେ ପୁଣିଥରେ ଭିଟାମାଟିକୁ ଫେରିଥିଲେ ସୁଖରାମ। ଗାଁକୁ ଫେରିବା ପରେ ବଦଳିଯାଇଥିଲା ତାଙ୍କର ଜୀବିକା। ପାଠ ନାହିଁ କି ଖେଳ ନାହିଁ। କେବଳ ସକାଳେ ଟିକିଏ ଅଭ୍ୟାସ ଜାରି ରଖିଥିବାବେଳେ ଦୃଷ୍ଟିବାଧିତ ମା’ଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ପଥର ମଧ୍ୟ ବୋହୁଛନ୍ତି। ଏପରିକି ଦିନ ବେଳା କାମ ମିଳିଲେ କୁଲି ମଜୁରି ଖଟିବାକୁ ପଡ଼ୁଥିବା ସୁଖରାମ କହନ୍ତି। ତେବେ ଏହା ପାର୍ଟଟାଇମ ବୋଲି କହିଥିଲେ ହେଁ ତାଙ୍କ କଥାରୁ ଅଭାବ ଅନଟନର କଥା ବୁଝି ହେଉଥିଲା। ଏତେସବୁ ପରେ ମଧ୍ୟ ସୁରରାମ ଗାଁର ଶିକ୍ଷା ବିକାଶରେ ଆଲୋକର ବର୍ତ୍ତିକା ସାଜିଛନ୍ତି। କରୋନା କଟକଣା ଭିତରେ ଲକଡାଉନ ପରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ପରେ ପିଲାଙ୍କ ପାଠରେ ଡୋରି ବନ୍ଧା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସମୟରେ ସଞ୍ଜ ନଇଁବା ପରେ ସୁଖରାମ ଘର ଘର ବୁଲି ପିଲାଙ୍କୁ ଡକାଇ ଗୋଟିଏ ସ୍ଥାନରେ କରୋନା ନିୟମ ଅନୁପାଳନ ପୂର୍ବକ ସେମାନଙ୍କୁ ପାଠ ପଢ଼ାଉଛନ୍ତି। ତେବେ ଭୋକିଲା ପେଟରେ ଏସବୁ ଅଧୁରା ମନେ ହେଉଛି।

- Advertisement -

ବିଶ୍ୱବିଜେତା ହେବା ପରେ ଯାହାକିଛି ସରକାରୀ ସହାୟତା ମିଳିଥିଲା ସେସବୁ ଶେଷ ହୋଇଗଲାଣି। ୨୦୧୭ ମସିହା ପରେ ଆଉ ସେଭଳି ଜାତୀୟ କିମ୍ବା ଆନ୍ତର୍ଜାତିକ ମ୍ୟାଚ ଖେଳିବାକୁ ସୁଯୋଗ ମିଳିନାହିଁ, ସରକାରୀ ପ୍ରୋତ୍ସାହନ ମଧ୍ୟ ଶୂନ।
କରୋନା ତାଙ୍କର ସୁନେଲି ସ୍ୱପ୍ନକୁ ଦୁଃଖ ଦରିଆକୁ ଠେଲି ଦେଇଥିବାବେଳେ ସରକାରୀ ସହାୟତା ଓ ପ୍ରୋତ୍ସାହନ ମିଳିଲେ ସୁଖରାମଙ୍କ ସ୍ୱପ୍ନ ସାକାର ହୋଇପାରନ୍ତା ବୋଲି ତାଙ୍କର ମତ। ଅନ୍ୟପକ୍ଷରେ ପିଲାଟି ବେଳୁ ତାଙ୍କୁ ତାଲିମ ଦେଇ ଆଜି ଏହି ସ୍ତରକୁ ଆଣିପାରିଥିବା ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ଦଳର କୋଚ ଚନ୍ଦ୍ରଶେଖର ପଟ୍ଟନାୟକ ସୁଖରାମଙ୍କ ଏଭଳି ଅବସ୍ଥା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସରକାର ଦୃଷ୍ଟିହୀନ କ୍ରୀଡ଼ାବିତ୍‍ଙ୍କୁ ପ୍ରତ୍ୟେକ ମାସରେ ପ୍ରୋତ୍ସାହନ ରାଶି ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କଲେ ଏଭଳି ଚିତ୍ର ସାମ୍ନାକୁ ଆସନ୍ତା ନାହିଁ ବୋଲି ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories