www.samajalive.in
Monday, December 8, 2025
27.1 C
Bhubaneswar

ଆଇସିୟୁରେ ବିଜୟ ମହାନ୍ତି : ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଆଶୁ ଆରୋଗ୍ୟ କାମନା କଲା ଓଲିଉଡ ପରିବାର

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ବନ୍ଦ୍ବୀ ଅଭିନେତା, ନିର୍ଦେଶକ ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ହାଇଦରାବାଦର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଆଇସିୟୁରେ ଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ଶ୍ରୀ ମହାନ୍ତି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଅ​‌େ​‌ସ୍ତ୍ରାପଚାର ହେବା ସହ ଡାଇବେଟିସ୍‌ଜନିତ ସମସ୍ୟା ରହିଥିଲା। ତେବେ ସେ ସୁସ୍ଥ ହୋଇ ଆସୁଥିବାବେଳେ ସୋମବାର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହାଇଦରାବାଦର ଗ୍ଲୋବାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୪/୫ ବର୍ଷ ଧରି ହାଇଦରାବାଦରେ ତାଙ୍କ ଝିଅ ପାଖ​ରେ ରହୁଥିଲେ।
୧୯୫୦ରେ କେନ୍ଦ୍ରାପଡ଼ାରେ ଜନ୍ମିତ ଶ୍ରୀ ମହାନ୍ତିଙ୍କ ପିଲାଦିନ କଳାଭୂମି ବାରିପଦାରେ ବିତିଥିଲା। ସ୍କୁଲରେ ପଢ଼ିବା ସମୟରୁ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ଏନ୍‌ଏସ୍‌ଡିରୁ ଶିକ୍ଷାପ୍ରାପ୍ତ ଶ୍ରୀ ମହାନ୍ତି ସତୁରୀ ଦଶକରେ ଓଲିଉଡରେ ପାଦ ରଖିଥିଲେ। ତାଙ୍କର ପ୍ରଥମ ଚିତ୍ର ଥିଲା ‘ଚିଲିକା ତୀରେ।’ ଏଥିରେ ଅଭିନେତ୍ରୀ ତନ୍ଦ୍ରା ରାୟ ମଧ୍ୟ ଅଭିନୟ କରିଥିଲେ। ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଚିତ୍ରଟି ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତି ଚଳଚ୍ଚିତ୍ର, ଟେଲିଭିଜନ, ମଞ୍ଚ ଓ ଯାତ୍ରା ଜଗତ ସହ ସମ୍ପର୍କ ଯୋଡ଼ିଥିଲେ। ଜଣେ ଅଲରାଉଣ୍ଡର ଭାବେ ସେ ପରିଚିତ ଥିଲେ। ନାୟକ, ଖଳନାୟକ, ଚରିତ୍ର ଅଭିନେତା, ହାସ୍ୟାଭିନେତା ଭାବେ ସେ ନିଜକୁ ଅପ୍ରତିଦ୍ବନ୍ଦ୍ବୀ ପ୍ରମାଣିତ କରିଥିଲେ। ପ୍ରତିଟି ଚରିତ୍ରକୁ ଜୀବନ୍ତ କରିବାରେ ସେ ଥିଲେ ମାହିର। ଅନେକ ଅଭିନେତାଙ୍କ ଆଦର୍ଶ ପାଲଟିଥିଲେ ଶ୍ରୀ ମହାନ୍ତି। ‘ଭୁଲି ହୁଏନା’ ଚିତ୍ରରେ ସେ ନିର୍ଦେଶନା ଦେଇଥିବାବେଳେ ତାଙ୍କ ଅଭିନୀତ ଚିତ୍ର ମଧ୍ୟରେ – ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଆରତୀ, ମମତା ମାଗେ ମୂଲ, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା ପ୍ରଭୃତିକୁ ଦର୍ଶକ ବେଶ୍‌ ଭଲ ପାଇବା ଦେଇଛନ୍ତି। ନିଜର ଉଲ୍ଲେଖନୀୟ ଅଭିନୟ ପ୍ରତିଭା ପାଇଁ ଶ୍ରୀ ମହାନ୍ତି ଜୟଦେବ ପୁରସ୍କାର ସହ ଏକାଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ସେ ସିନେ କଳାକାର ସଂଘର ସଭାପତି ଭାବେ କାର୍ଯ୍ୟ କରିଥିଲେ ହେଁ ଶାରୀରିକ ଅସୁସ୍ଥତା ଯୋଗୁଁ ସେଥିରୁ ଓହରିଯାଇ ଅନ୍ୟ କର୍ମକର୍ତ୍ତାଙ୍କୁ ଅନୁପ୍ରେରିତ କରୁଥିଲେ। ସେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁରତରଙ୍ଗ’ର ମୁଖ୍ୟ ଉପଦେଷ୍ଟା ଥିଲେ। ୨୦୧୪ରେ କଂଗ୍ରେସରେ ସାମିଲ ହୋଇ ଭୁବନେଶ୍ବର ଲୋକସଭା ଆସନରୁ ଲଢ଼ିଥିଲେ ହେଁ ପରାଜିତ ହୋଇଥିଲେ। ପରେ ରାଜନୀତିରୁ ଓହରି ଯାଇ ସେ ଅଭିନୟରେ ମନୋନିବେଶ କରିଥିଲେ।
ସିନେ କଳାକାର ସଂଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, କିଛି ଦିନ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ନେଇ ମୁଁ ଫୋନ୍‌ରେ କଥା ହୋଇଥିଲି। ଜଗନ୍ନାଥଙ୍କ କୃପାରୁ ସେ ଶୀଘ୍ର ଭଲ ହୋଇ ଫେରିବେ। ପୂରା ଚଳଚ୍ଚିତ୍ର ଜଗତ ତାଙ୍କ ସହ ରହିଛି। ଅନ୍ୟପକ୍ଷରେ ଓଲିଉଡ ପରିବାର ପକ୍ଷରୁ ଶ୍ରୀ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories