www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଫେରିବା ଅନିଶ୍ଚିତ, ଅଧିକ ସୁଧ ଲୋଭରେ ବୁଡିବ ମୁଳପୁଞ୍ଜି

ପୁରୀ : ପ୍ରଶାସନିକ ଅଧିକାରୀଙ୍କ ଅଧିକ ସୁଧ ପାଇବା ଲୋଭ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ବିପଦ ମୁହଁକୁ ​‌ଠେଲିହୋଇ ଯାଇଛି। ୟେସ୍‌ ବ୍ୟାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଏହି ଅର୍ଥ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି। ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏସବୁ ସତ୍ତ୍ବେ ନିଧଡକ ହୋଇ ବସିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ଏତେଗୁଡାଏ ଟଙ୍କା କିପରି ଫେରିବ ସେଥିନେଇ ଏପର୍ଯ୍ୟନ୍ତ ତତ୍ପରତା ପ୍ରକାଶ ପାଇନାହିଁ। କ୍ଷମତାର ଦୁରୂପଯୋଗ କରି ପରିଚାଳନା କମିଟି ଅନୁମୋଦନ ବିନା ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଶହ ଶହ କୋଟି ଟଙ୍କା ଜମା ରଖିଥିବା ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।

ୟେସ୍‌ ବ୍ୟାଙ୍କର ପୁରୀ ଶାଖାରେ ଏବେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ୫୪୫ କୋଟି ଟଙ୍କା ସ୍ଥାୟୀଜମା ରହିଛି। ଏହାକୁ କେନ୍ଦ୍ରକରି ଗତ ଫେବୃଆରୀ ୫ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । ୟେସ୍‌ ବ୍ୟାଙ୍କରେ ଜମାଥିବା ଟଙ୍କା ଉଠାଇ ଏକ ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ବୈଠକରେ ସ୍ଥିର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ୫୯୨କୋଟି ଟଙ୍କା ମଧ୍ୟରୁ ମନ୍ଦିର ପ୍ରଶାସନ ଏହାପରେ ୪୭କୋଟି ଟଙ୍କା ଉଠାଇ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଜମା କରିଛନ୍ତି। ଅବଶିଷ୍ଟ ୫୪୫ କୋଟି ଟଙ୍କାର ଜମା ଅବଧି ଶେଷହେବା ତାରିଖ ଚଳିତମାସ ୧୯ରୁ ୩୦ତାରିଖ ମଧ୍ୟରେ ରହିଛି। ତେବେ ୟେସ୍‌ ବ୍ୟାଙ୍କରୁ ଜମାଟଙ୍କା ଉଠାଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ହଠାତ୍‌ କଟକଣା ଜାରି କରିବା ପରେ ଶ୍ରୀଜଗନ୍ନାଥଙ୍କ ଏତେଗୁଡାଏ ଟଙ୍କା କିପରି ଫେରିବ ସେଥିନେଇ ସମସ୍ୟା ଦେଖାଦେଇଛି। ପ୍ରଶାସନର ଏଭଳି ଖାମଖିଆଲ ନୀତି ଏବଂ ଦାୟିତ୍ବହୀନତା ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି।

- Advertisement -

ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମାଟଙ୍କା କିପରି ଫେରିବ ସେ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ପୂର୍ବତନ ଆଇନମନ୍ତ୍ରୀ ମହେଶ୍ବର ମହାନ୍ତି ପରାମର୍ଶ ଦେଇଛନ୍ତି। ଶୁକ୍ରବାର ସେ ଗଣମାଧ୍ୟମକୁ କହିଲେ ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କର ପ୍ରାୟ ୬ଶହ କୋଟି ଟଙ୍କା ଜମା ରଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୟେସ୍‌ ବ୍ୟାଙ୍କରେ ଟଙ୍କାଜମା ପୂର୍ବରୁ ପରିଚାଳନା କମିଟିର ମତାମତ ନିଆଯିବା ଉଚିତ ଥିଲା। ମହାପ୍ରଭୁଙ୍କ ଟଙ୍କା କିପରି ଫେରିବ ସେ ସମ୍ପର୍କରେ ଏବେ ଚିନ୍ତା କରିବାର ବେଳ ଆସିଥିବା ଶ୍ରୀ ମହାନ୍ତି କହିଛନ୍ତି। ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ରଖିଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟା​‌ନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି।

ପରିଚାଳନା କମିଟି ନିଷ୍ପତ୍ତି ସତ୍ତ୍ବେ ୟେସ୍‌ ବ୍ୟାଙ୍କରୁ ଏକକାଳୀନ ୫୯୨କୋଟି ଟଙ୍କା କାହିଁକି ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପରିଚାଳନା କମିଟି ଅନୁମୋଦନ ବିନା ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଶହ ଶହ କୋଟି ଟଙ୍କା ଜମା ରଖାଯିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦଇତାପତି ନିଯୋଗ ପୂର୍ବତନ ଯୁଗ୍ମ ସମ୍ପାଦକ ବିନାୟକ ଦାସମହାପାତ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହଙ୍କୁ ପଚାରିବାରୁ ଏହା ମନ୍ଦିର ପ୍ରଶାସନ କଥାବୋଲି କହି କୌଣସି ମତାମତ ଦେବାକୁ ସେ ମନା କରିଛନ୍ତି। ୟେସ୍‌ ବ୍ୟାଙ୍କ ପୁରୀ ଶାଖା ବ୍ୟବସାୟୀକ ମୁଖ୍ୟ ସନ୍ତୋଷ କୁମାର ଅଗସ୍ତିଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା। ଏ ସମ୍ପର୍କରେ କେବଳ ବ୍ୟାଙ୍କର ଲୋକସମ୍ପର୍କ ଅଧିକାରୀ କିମ୍ବା ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories