www.samajalive.in
Monday, December 8, 2025
27.1 C
Bhubaneswar

‘ସମାଜ’ର ପ୍ରଭାବ : ୧୫ଘଣ୍ଟା ପରେ ଶବ ସତ୍କାର ଘଟଣା, ଅନାଥ ଭାଇଭଉଣୀଙ୍କ ଦାୟିତ୍ୱ ନେବ ପ୍ରଶାସନ

ବଡ଼ସାହି : ପ୍ରଶାସନର ହସ୍ତକ୍ଷେପ ପରେ ମୟୂରଭଞ୍ଜ ଜିଲା ସୀମାନ୍ତ ଭୀମଦା ପଞ୍ଚାୟତର ମଙ୍ଗଳପୁର ଫାଦରସାହିର ସୁରେଶ ସିଂ(୩୫)ଙ୍କର ଶବ ସତ୍କାର ୧୫ଘଣ୍ଟା ପରେ ସମ୍ପନ୍ନ ହୋଇଥିଲା। ମୃତକଙ୍କ ପତ୍ନୀ ଦ୍ୱିତୀୟ ବିବାହ କରିଥିବାରୁ ସୁରେଶଙ୍କ ମୃତ୍ୟୁ ପରେ ତାଙ୍କର ୨ପୁଅ ଓ ଜଣେ ଝିଅର ଭାଗ୍ୟ ଆକାଶରେ କଳାବାଦଲ ଦେଖାଦେଇଥିଲା। ଏନେଇ ଖବର ପ୍ରକାଶିତ ହେବା ପରେ ଶୁକ୍ରବାର ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳଙ୍କ ନିର୍ଦ୍ଦଶରେ କାଉନସେଲର ଦିଲ୍ଲୀପ କୁମାର ପଣ୍ଡା ଓ ବାହ୍ୟ କର୍ମୀ ଶାନ୍ତିଦେବ ସାମଲ ମୃତ ସୁରେଶଙ୍କ ଘରେ ପହଞ୍ଚି ଥିଲେ। ଭୀମିଦା ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ଉପସ୍ଥିତିରେ ସେମାନେ ମୃତକଙ୍କ ଆତ୍ମୀୟ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସୁରେଶଙ୍କ ଅସୁସ୍ଥତାରୁ ପରିବାରର ଅଭାବ ମେଣ୍ଟାଇବାକୁ ବଡ଼ପୁଅ ଅର୍ଜୁନ ଗୁଜୁରାଟରେ ଦାଦନ ଖଟୁଥିବା ବେଳେ ଗୁରୁବାର ବାପାଙ୍କ ମୃତ୍ୟୁ ଖବର ପାଇ ଗାଁକୁ ଫେରୁଥିବା ଜାଣିବାକୁ ପାଇଛନ୍ତି। ମଝିଆ ପୁଅ ଅରୁଣ(୧୧) ବାଲେଶ୍ୱର ଜିଲାର ଏକ ଆଶ୍ରମ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ସାନଝିଅ ସୁଭଦ୍ରାଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢୁଛି। ଶୁଦ୍ଧିକ୍ରିୟା କର୍ମ ଶେଷ ପରେ ସୁଭଦ୍ରାକୁ ଏକ ଭଲ ଅନାଥ ଶିଶୁ ଥଇଥାନ ଅନୁଷ୍ଠାନରେ ଆବାସିକ ଶିକ୍ଷା ଦେବା ସହିତ ଲାଳନପାଳନ ପାଇଁ ପ୍ରଶାସନ ଦାୟିତ୍ୱ ନେବ ବୋଲି କାଉନସେଲର ପ୍ରତିଶୃତି ପ୍ରଦାନ କରିଥିବା ବେଳେ ଆଶ୍ରମସ୍କୁଲ ଛାତ୍ରାବାସରେ ପଢୁଥିବା ଅରୁଣଙ୍କର ଭବିଷ୍ୟତ ଶିକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଶାସନ ଦାୟିତ୍ୱ ଗ୍ରହଣ କରିବ। ତେବେ ଗୁଜୁରାଟ ଫେରନ୍ତା ଅର୍ଜୁନ ଆସିବା ପରେ ତା’ର ବୟସକୁ ବିଚାର କରି ପ୍ରଶାସନ ସମୀକ୍ଷା କରିବ ବୋଲି ଶ୍ରୀ ପଣ୍ଡା ଆମ ପ୍ରତିନିଧିଙ୍କୁ କହିଛନ୍ତି। ଅନ୍ୟ ପକ୍ଷରେ ପିଲାମାନଙ୍କର ଅଭିଭାବକ ଭାବେ ଗ୍ରାମରେ ଥିବା କକା ଦାୟିତ୍ୱ ନେବେ ବୋଲି ସମସ୍ତଙ୍କ ନିକଟରେ ସମ୍ମତି ଜଣାଇଛନ୍ତି। ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବଡ଼ସାହି ବିଡିଓ ଦିଲ୍ଲୀପ ମହାରଣା ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ମୃତ ସୁରେଶଙ୍କ ସ୍ୱର୍ଗତ ବାପା ଧର୍ମ ପରିବର୍ତ୍ତନ ପାଇଁ ଗୁରୁବାର ପୁଅର ମୃତଦେହ ୧୫ଘଣ୍ଟା ପଡ଼ିରହିଥିଲା। ଖବର ପାଇ ଆମ ପ୍ରତିନିଧି ବିଡ଼ିଓଙ୍କୁ ଜଣାଇବା ପରେ ତାଙ୍କ ନର୍ଦ୍ଦେଶରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଙ୍ଗଳପୁରରେ ପହଞ୍ଚି ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସରପଞ୍ଚ ଓ ନାଏବ ସରପଞ୍ଚ ମଧ୍ୟ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ଖ୍ରୀଷ୍ଟ ଧର୍ମ ନୀତିରେ ସୁରେଶଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ତେବେ ସୁରେଶଙ୍କର ଘରଟିଏ ନଥିବା ବେଳେ ଭଙ୍ଗା କୁଡ଼ିଆରେ ରହିବା ଓ ତାଙ୍କ ମୃତ୍ୟୁ ପରେ ଅନାଥ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ଦାବି ଥିବା ନେଇ ‘ସମାଜ’ରେ ଶୁକ୍ରବାର ବିସ୍ତୃତ ଖବର ପ୍ରକାଶ ପାଇଥିଲା।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories