www.samajalive.in
Monday, December 8, 2025
27.1 C
Bhubaneswar

ମାନବାଧିକାର ଆୟୋଗରେ ଦୁଇ ଦୁଇଟି ମାମଲା

ଭୁବନେଶ୍ବର/ନୂଆଦିଲ୍ଲୀ/କଟକ : କଟକ ସହରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମୟରେ ନାଳରେ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗରେ ଦୁଇଟି ମାମଲା ରୁଜୁ ହୋଇଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଭବିଷ୍ୟତରେ ଏଭଳି ଅଘଟଣକୁ ରୋକିବା ଲାଗି ସଠିକ୍‌‌ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦେଶ ଦେବାକୁ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏବଂ ରବୀନ୍ଦ୍ର ମିଶ୍ର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୀର୍ଘ ବର୍ଷ ଧରି ଚାଲିଥିବା ଜାଇକା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବାରୁ ୧୦ ବର୍ଷରେ ୩୦ରୁ ଊର୍ଦ୍ଧ୍ବ ନିରୀହ ଲୋକଙ୍କ ପ୍ରାଣହାନି ଘଟିଲାଣି ବୋଲି ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି।
ଅନୁରୂପଭାବେ ବୁଧବାର ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ମଧ୍ୟ ଦୁଇ ଦିନରେ ଘଟିଥିବା ୨ଟି ଅଘଟଣକୁ ନେଇ ମାମଲା ଦାୟର ହୋଇଛି। ପ୍ରଶାସନ ଓ ବିଭାଗୀୟ ଅବହେଳାରୁ ଲୋକଙ୍କ ଜୀବନହାନି ହେଉଥିବା ଦର୍ଶାଇ ଆଇନଜୀବୀ ଶିବଶଙ୍କର ମହାନ୍ତି ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ମାମଲା ଦାୟର କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ, ଜଳସମ୍ପଦ ବିଭାଗ ପକ୍ଷରୁ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କରାଯାଉଛି। ନିର୍ମାଣସ୍ଥଳୀରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏପରିକି ସଚେତନତା ଫଳକ ଲଗାଯାଇ ନାହିଁ। ଠିକ​ା ସଂସ୍ଥା ମନଇଚ୍ଛା କାର୍ଯ୍ୟ କରୁଛି। ସୋମବାର ମାତୃଭବନ ନିକଟରେ ଏକ କାର କେନାଲକୁ ଖସିପଡିଥିଲା। ଏଥିରେ ବ୍ୟବସାୟୀ ଜ୍ଞାନରଞ୍ଜନ ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଅଞ୍ଜନା ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି। ମଙ୍ଗଳବାର କେଶରପୁର ଗହ୍ମାଡିଆ ଠାରେ ମୁଖ୍ୟ ନର୍ଦମା କେନାଲରେ ବକ୍ସ ଡ୍ରେନ୍‌ ନିର୍ମାଣ ଚାଲିଥିବା ବେଳେ ଆଉ ଏକ ଅଘଟଣ ଘଟିଥିଲା। ରାଉସପାଟଣା ଅଞ୍ଚଳରୁ ଯୁକ୍ତ ଦୁଇ ଛାତ୍ରୀ ଏନ. ମୋହିନୀ(୧୭) କେନାଲ ପାର ହୋଉଥିବା ବେଳେ ଖସିପଡିଥିଲେ। ସେଠାରେ ଥିବା ଲୁହା ପାଇପ୍‌ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ଚାପି ହୋଇ ରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଜାଇକା ଓ ସିଏମ୍‌ସିର ଅବହେଳାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉଭୟ ସ୍ଥାନରେ ଠକା ସଂସ୍ଥାର ବେପରୁଆ କାର୍ଯ୍ୟ ଯୋଗୁଁ ଏପରି ଅଘଟଣ ଘଟିଥିବା ବେଳେ ନିର୍ମାଣ ସ୍ଥଳୀରେ କ’ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଜାଇକାର ମୁଖ୍ୟ ଯନ୍ତ୍ରୀ, ସିଏମ୍‌ସି ଏବଂ ତାଳଦଣ୍ଡା କେନାଲ ଘଟଣାରେ ଜଳସମ୍ପଦ ବିଭାଗ, ପୂର୍ତ୍ତବିଭାଗ ଓ ପୁଲିସକୁ ପକ୍ଷଭୁକ୍ତ କରି କାରଣ ଦର୍ଶାଇବା ନିମନ୍ତେ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories