ଦିଲ୍ଲୀ ଡାକ୍ତର ସଂଖ୍ୟା ବିକଶିତ ରାଷ୍ଟ୍ରଠାରୁ ଅଧିକ
ନୂଆଦିଲ୍ଲୀ: ଭାରତରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ଆସୁଛି। ସହରାଞ୍ଚଳର ସ୍ଥିତି ସେତେଟା ଚିନ୍ତାଜନକ ନ ଥିଲେ ମଧ୍ୟ ଗ୍ରାମୀଣ ଭାରତରେ ସ୍ୱାସ୍ଥ୍ୟ ସେବା ଅତି ଦୟନୀୟ। ଜନସଂଖ୍ୟା ବା ରୋଗୀ ତୁଳନାରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସରକାରୀ ଭାବେ କୁହାଯାଉଛି। ଅପରପକ୍ଷରେ କେତେକ ରାଜ୍ୟରେ ଏଥିରେ ବ୍ୟତିକ୍ରମ ରହିଛି। ଅର୍ଥାତ୍ ଆବଶ୍ୟକଠାରୁ ସେଠାରେ ଅଧିକ ସଂଖ୍ୟକ ଡାକ୍ତର ଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ଲୋକସଂଖ୍ୟା-ଡାକ୍ତର ଅନୁପାତଠାରୁ ଦେଶର ୬ଟି ରାଜ୍ୟରେ ଅଧିକ ସଂଖ୍ୟକ ଡାକ୍ତର ରହିଛନ୍ତି। ସେଥିମଧ୍ୟରୁ ତାମିଲନାଡ଼ୁର ଲୋକସଂଖ୍ୟା-ଡାକ୍ତର ଅନୁପାତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ହୋଇଥିବା ବେଳେ ଦିଲ୍ଲୀରେ ସେହି ଅନୁପାତ ଆମେରିକା ଓ ଇଂଲଣ୍ଡ ଭଳି ବିକାଶିତ ଦେଶଠାରୁ ମଧ୍ୟ ଅଧିକ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାପଦଣ୍ଡ ଅନୁଯାୟୀ ପ୍ରତି ଅଞ୍ଚଳରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବା ନିହାତି ଆବଶ୍ୟକ। ଲୋକସଂଖ୍ୟା-ଡାକ୍ତର ଅନୁପାତ ୧୦୦୦:୧ ଠାରୁ ଯେତେ କମ୍ ହେବ ସ୍ୱାସ୍ଥ୍ୟସେବାର ମାନ ସେତେ ନିମ୍ନମାନର ବୋଲି ବିବେଚନା କରାଯିବ।
ଲୋକସଂଖ୍ୟା ତୁଳନାରେ ବିଶ୍ୱର ସର୍ବାଧିକ ଡାକ୍ତର ନିଯୁକ୍ତ ପାଇଛନ୍ତି ନରୱେ ଓ ସ୍ୱିଡେନ୍ରେ। ସେହି ଦୁଇ ଦେଶରେ ଜନସଂଖ୍ୟା-ଡାକ୍ତର ଅନୁପାତ ଯଥାକ୍ରମେ ୧୦୦୦:୪.୩ ଓ ୧୦୦୦: ୪.୨। ଭାରତର ତାମିଲନାଡ଼ୁ ଏହି ପାଖାପାଖି ସ୍ଥାନରେ ରହିଛି। ତାମିଲନାଡ଼ୁରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଅଛନ୍ତି ୪ ଜଣ ଡାକ୍ତର। ଦିଲ୍ଲୀରେ ଜନସଂଖ୍ୟା-ଡାକ୍ତର ଅନୁପାତ ହେଉଛି ୧୦୦୦: ୩। ଆମେରିକା, ଇଂଲଣ୍ଡ, କାନାଡ଼ା, ଜାପାନ୍ ପରି ବିକଶିତ ଦେଶମାନଙ୍କର ଅନୁପାତ ଦିଲ୍ଲୀଠାରୁ କମ୍। କେରଳ ଓ କର୍ଣ୍ଣାଟକରେ ଜନସଂଖ୍ୟା-ଡାକ୍ତର ଅନୁପାତ ପ୍ରତି ୧ ହଜାରରେ ୧.୫ ଥିବା ବେଳେ ପଞ୍ଜାବ ଓ ଗୋଆରେ ପ୍ରତି ହଜାରେ ଲୋକଙ୍କ ପାଇଁ ଡାକ୍ତର ଅନୁପାତ ହେଉଛି ୧.୩।
ଅପରପକ୍ଷରେ ଝାଡ଼ଖଣ୍ଡ, ହରିଆନା, ଛତିଶଗଡ଼, ଉତ୍ତରପ୍ରଦେଶ, ବିହାର ଓ ହିମାଚଳ ପ୍ରଦେଶରେ ଲୋକସଂଖ୍ୟା ତୁଳନାରେ ଡାକ୍ତର ସଂଖ୍ୟା ବହୁତ କମ୍। ଝାଡ଼ଖଣ୍ଡରେ ପ୍ରତି ୮୧୮୦ ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବା ବେଳେ ହରିଆନାରେ ପ୍ରତି ୬,୦୩୭ ଜଣ, ଛତିଶଗଡ଼ରେ ୪,୩୩୮ ଜଣ, ଉତ୍ତରପ୍ରଦେଶରେ ୩,୭୬୭ ଜଣ, ବିହାରରେ ୩,୨୦୭ଜଣ, ହିମାଚଳପ୍ରଦେଶରେ ୩,୧୨୪ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି।