ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ ଦ୍ରୁତଗାମୀ ଟ୍ରେଲର ୩ଟି ଗାଡିକୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମଧ୍ୟାହ୍ନରେ ଟ୍ରେଲରଟି ରାୟପୁର ପଟୁ ଜୟପୁର ଆଡ଼କୁ ଯାଉଥିଲା। ଗାଡ଼ିର ବେଗ ଅଧିକ ଥିବାରୁ ଚିଲିଗୁଡ଼ା ମୋଡରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ବୋଲେରୋ, ଟ୍ରାକ୍ଟର ଏବଂ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଗାଡି ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ନିକଟରେ ଥିବା ଲୋକଙ୍କ ଉପରେ ଟ୍ରେଲରଟି ମାଡିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀ ଟ୍ରେଲର ଚାଳକକୁ କାବୁ କରିବା ସହିତ ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁରୁତର ଆହତମାନେ ହେଲେ ଚିଲିଗୁଡା ଗାଁର ପ୍ରଶାନ୍ତ ସିଂ, ଭୋଳା ଶଙ୍କର ନାଏକ ଓ ଶଙ୍କର ନିଆଲ ବୋଲି ଜଣାପଡିଛି। ସଙ୍କଟାପନ୍ନ ଅବସ୍ଥାରେ ପ୍ରଶାନ୍ତ ସିଂଙ୍କୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଟ୍ରେଲର ଚାଳକଙ୍କୁ ଅଟକ ରଖି କୋକସରା ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
Popular Categories



