www.samajalive.in
Monday, December 8, 2025
27.1 C
Bhubaneswar

ଅଭିଜିତଙ୍କୁ ଗିରଫ ପରେ ଟୁଇଟର୍‍କୁ ଚିଠି ଲେଖିଲା ପୁଲିସ

ଭୁବନେଶ୍ୱର: ଅଭିଜିତ ଆୟାର ମିତ୍ରଙ୍କୁ ଗିରଫ କରିବା ପରେ ଆଇନତଃ ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି କମିସନରେଟ୍‍ ପୁଲିସ। ନିଜ ଟୁଇଟର ଆକାଣ୍ଟରେ ଅଭିଜିତ ଓଡ଼ିଶା ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଓଡ଼ିଆ ଅସ୍ମିତା ପ୍ରତି ବିଦ୍ରୁପ ଏବଂ ଓଡ଼ିଶାବାସୀଙ୍କୁ ଅସମ୍ମାନ ବୋଲି ଉଲ୍ଲେଖ କରିବା ପାଇଁ ଭାଷାବିତ୍‌ଙ୍କ ସହଯୋଗ ଲୋଡ଼ିବ ପୁଲିସ୍‌। ଭାଷାବିତଙ୍କ ଏହି ମତାମତକୁ ପୁଲିସ୍ ଅଦାଲତରେ ଦାଖଲ କରିବ। ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଭିଜିତ ତାଙ୍କ ଟୁଇଟର୍‍ ଆକାଉଣ୍ଟରେ ଏକାଧିକ ପୋଷ୍ଟ କରିଥିଲେ। ଅଭିଜିତ ତାଙ୍କ ପ୍ରଥମ ପୋଷ୍ଟରେ, ଓଡ଼ିଶାକୁ ବଙ୍ଗୀୟମାନେ ଆବିଷ୍କାର କରିଥିଲେ। ‘ଓରିଶାଲା’ ମତକୁ ନେଇ ଓଡ଼ିଶାର ନାମକରଣ ହୋଇଛି। ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଗଙ୍ଗମାନେ ନିର୍ମାଣ କରିଥିଲେ। ସେମାନେ ବିତାଡ଼ିତ ତାମିଲି ପଲ୍ଲବ। ଓଡ଼ିଶା ବୋଲି କିଛି ନାହିଁ, ବଙ୍ଗଳାର ଦକ୍ଷିଣାଞ୍ଚଳ ଭାବେ ପରିଚୟ ପାଇଛି ଏଭଳି ନାନା ପ୍ରକାର ଅରୁଚିକର ମନ୍ତବ୍ୟ ଟୁଇଟ୍‍ କରିଥିଲେ। ସେହିପରି ଅଭିଜିତ ତାଙ୍କ ଦ୍ୱିତୀୟ ଟୁଇଟ୍‍ରେ ‘ଶ୍ରୀଜଗନ୍ନାଥ କଲକାତାର ଦେବତା, କଳିଙ୍ଗର ରାଜା ମୂର୍ତ୍ତି ଚୋରି କରି ଆଣିଛନ୍ତି’ ବୋଲି ଉଲ୍ଲେଖ କରିଥିଲେ। ଏଭଳି ଟୁଇଟ୍‍କୁ ନେଇ ମନୋରଞ୍ଜନ ସ୍ୱାଇଁ ନାମକ ଜଣେ ଆଇନ ଛାତ୍ର ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ମାମଲାରେ ସହିଦନଗର ଥାନା ପୁଲିସ ଟୁଇଟରକୁ ଅଭିଜିତଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ଦେବା ଲାଗି ଚିଠି ଲେଖିଛନ୍ତି। ପୁଲିସ କମିସନର ସତ୍ୟଜିତ ମହାନ୍ତି ଏହା ସ୍ୱୀକାର କରିଛନ୍ତି। କୋଣାର୍କ ପୁଲିସ ପୂର୍ବରୁ ଅଭିଜିତଙ୍କ ମୋବାଇଲ୍‍ ଫୋନ୍‍କୁ ଜବତ କରିଛି। ଉକ୍ତ ଫୋନ୍‍କୁ ମଧ୍ୟ ସହିଦନଗର ପୁଲିସ ତଦନ୍ତ ପରିସରଭୁକ୍ତ କରିବ।
ଅଭିଜିତଙ୍କ ଯେଉଁ ମୋବାଇଲ୍‍ ଫୋନ୍‍ ନମ୍ବର ବ୍ୟବହାର କରୁଥିଲେ ତାକୁ ସେ ନିଜର ବୋଲି ଉଲ୍ଲେଖ କରିଛନ୍ତି। ତଥାପି ଉକ୍ତ ନମ୍ବର ସବିଶେଷ ତଥ୍ୟକୁ ସହିଦନଗର ଥାନା ପୁଲିସ ସଂଗ୍ରହ କରିବାକୁ ଉକ୍ତ ଟେଲିଫୋନ୍‍ ସଂସ୍ଥାକୁ ଚିଠି ଲେଖିଛି। ସେହିପରି ତାଙ୍କ ଇ-ମେଲ୍‍ ଆକାଉଣ୍ଟ୍‍ର ତଥ୍ୟ ଲୋଡା ଯାଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। କୋଣାର୍କ ଥାନାରେ ବିମ୍ବାଧର ବେହେରା ନାମକ ଜଣେ ବ୍ୟକ୍ତି କୋଣାର୍କ ମନ୍ଦିରକୁ ନେଇ ଅଭିଜିତ ଦେଇଥିବା ଟିପପଣୀକୁ ଏକ ଫେସ୍‍ବୁକ୍‍ ଆକାଉଣ୍ଟ୍‍ରେ ପୋଷ୍ଟ କରିଥିବାରୁ ଏହାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଉକ୍ତ ମାମଲାରେ ଅଭିଜିତ ଗିରଫ ହୋଇଛନ୍ତି। ଏହି ମାମଲାରେ ପଚରାଉଚରା ଲାଗି କୋଣାର୍କ ଥାନା ପୁଲିସ ଗତକାଲି ସ୍ଥାନୀୟ ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ଆବେଦନ କରିଥିଲା। ୭ଦିନ ହେପାଜତରେ ନେବାକୁ ଆବେଦନ ଉପରେ ଶୁଣାଣି କରି ଏସ୍‍ଡିଜେଏମ୍‍ ୪ ଦିନ ପାଇଁ ମଞ୍ଜୁର କରିଛନ୍ତି। ଆସନ୍ତାକାଲିଠାରୁ ଅଭିଜିତ୍‍ଙ୍କୁ କୋଣାର୍କ ଥାନା ପୁଲିସ ୪ ଦିନ ହେପାଜତରେ ନେବ। ଗତକାଲି ଅଭିଜିତ୍‍ଙ୍କ ଜାମିନ୍‍ ଆବେଦନ ଖାରଜ ହୋଇଯାଇଥିବାରୁ ତାଙ୍କ ଆଇନଜୀବୀ ନିଖିଲ୍‍ ମେହେରା ଦୌରାଜଜ୍‍ଙ୍କ କୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories