ଆବାସ ହିତାଧିକାରୀ ଚୟନ ସର୍ବେକ୍ଷଣ ଆରମ୍ଭ
ଲାଞ୍ଚ କାରବାର ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପିପିଲି: ରାଜ୍ୟର ସମସ୍ତ ଯୋଗ୍ୟ ପରିବାର ପାଇଁ ପକ୍କା ଘରର ବାସ୍ତବତା ପୂରଣ ହେବାକୁ ଯାଉଛି । ନିଜର ପକ୍କା ଘରଟିଏ କରିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ। ରାଜ୍ୟ ସରକାର ଏହି ସ୍ୱପ୍ନକୁ ବାସ୍ତବ କରିବାକୁ ସଂକଳ୍ପବଦ୍ଧ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଶୁକ୍ରବାର ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନସିଂହପୁର ଗ୍ରାମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ବେକ୍ଷଣର ଶୁଭାରମ୍ଭ କରି ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ନାୟକ ଏହା କହିଛନ୍ତି। ସର୍ବେକ୍ଷଣ ସମୟରେ ତ୍ରୁଟି କିମ୍ବା ଲାଞ୍ଚ କାରବାର ହେବାର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏହି ଅବସରରେ ଆବାସ ପ୍ଲସ ମୋବାଇଲ ଆପ୍ ଜରିଆରେ ଉକ୍ତ ଗ୍ରାମର ନୂତନ ହିତାଧିକାରୀ ଉମା ବେହେରା, ଝୁନା ବେହେରା, ମମତା ବେହେରା, କୁମର ବେହେରା ଓ ସଞ୍ଜୁ ବେହେରାଙ୍କୁ ଯୋଜନାରେ ତାଲିକାଭୁକ୍ତ କରାଯାଇଥିଲା। ସେମାନଙ୍କ ସମସ୍ୟା ଓ ଏହି ନୂତନ ଆବାସ ପ୍ଲସ ମୋବାଇଲ ଆପ୍ ବ୍ୟବହାରର କୌଶଳ, ଏହାର ଫାଇଦା ଓ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ହିତାଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ।

ଏହାପରେ ସାତଶଙ୍ଖ ମେଳଣ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମନ୍ତ୍ରୀ ନାୟକ କହିଥିଲେ ଯେ, ଏ ସରକାର ହେଉଛି ଲୋକଙ୍କ ସରକାର । ଆବାସ ପ୍ଲସ ମୋବାଇଲ ଆପ୍ ଜରିଆରେ ହିତାଧିକାରୀମାନେ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ଆବେଦନ କରିପାରିବେ। ୧୪ହଜାର ସରକାରୀ ଅଧିକାରୀ ଓ କର୍ମଚାରୀ ଏହି ସର୍ଭେ କାର୍ଯ୍ୟର ତଦାରଖ କରିବେ। ଉପଯୁକ୍ତ ତଦନ୍ତ ପରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଗତ ସରକାର ସମୟରେ ଅନେକ ଗରିବ ହିତାଧିକାରୀ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ପକ୍କାଘର ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଆମ ସରକାର ଯତ୍ନବାନ ଅଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ସର୍ଭେ କାର୍ଯ୍ୟରେ ଅବହେଳା, ତ୍ରୁଟି କିମ୍ବା ଲାଞ୍ଚ କାରବାରର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀନାୟକ କହିଥିଲେ। ଦୟାନଦୀରେ ମିଶୁଥିବା ଗଙ୍ଗୁଆନଦୀର ଅପରିଷ୍କାର ଜଳକୁ ବିଶୋଧନ ପାଇଁ ଫିଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଥିବା ସଂପର୍କରେ ମନ୍ତ୍ରୀ ସୂଚନା ଦେବା ସହ କଣାସ, ଡେଲାଙ୍ଗ, ପିପିଲି ଓ ସତ୍ୟବାଦୀର ବିଭିନ୍ନ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ସଂପର୍କରେ ଆଲୋକପାତ କରି ପୁରୀ ଲୋକସଭା ସାଂସଦ ଡ଼ାକ୍ତର ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର କହିଥିଲେ ଯେ, ଦଳ, ମତ ନିର୍ବିଶେଷରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦିଆଯିବ। ତେଣୁ ସରକାର, ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମନ୍ୱୟ ରଖାଯାଇ କାର୍ଯ୍ୟ କରାଯିବ। ଆବାସ ପ୍ଲସ ମୋବାଇଲ ଆପ୍ରେ ଆବେଦନ ପାଇଁ ପୂର୍ବ ତୁଳନାରେ ଅଧିକ ସହଜ ପ୍ରକ୍ରିୟା କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କମିଶନର ତଥା ଶାସନ ସଚିବ ଏସ୍.ଏନ୍ ଗିରିଶ ସ୍ୱାଗତ ଭାଷଣ ଦେଇ ଘରକୁ ଘର ବୁଲି ସର୍ଭେ କରିବାକୁ ୧୪ ହଜାର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ହିତାଧିକାରୀଙ୍କ ଦାୟିତ୍ୱ ସଂପର୍କରେ ସୂଚନା ଦେଇଥିଲେ। ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉପନିର୍ଦ୍ଦେଶକ କୁଳମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨୦୨୪-୨୫ ଆର୍ଥିକ ବର୍ଷରେ ସଂପୂର୍ଣ୍ଣ ହୋଇଥିବା ଆବାସ ଯୋଜନାର ୧୦ଜଣ ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ନୂତନ ଗୃହର ଚାବିକାଠିକୁ ମନ୍ତ୍ରୀ ଓ ଅତିଥିମାନେ ହସ୍ତାନ୍ତର କରିଥିଲେ। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସମେତ ପୁରୀ ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା ଓ ଜିଲାସ୍ତରୀୟ ଅଧିକାରୀ, ପିପିଲି ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.