ଟ୍ରଲର ଚଢ଼ି ଯୁବକଙ୍କ ମୃତ୍ୟୁ

କେନ୍ଦୁଝରଗଡ଼: ସଦର ଥାନା ଅଧିନ ୨୦ନଂ ଜାନୀୟ ରାଜପଥ ପଳାଶପଙ୍ଗା ପଞ୍ଚାୟତ ଅଧିନ ବାଙ୍କମାରୁଣୀଠାରେ ରବିବାର ଏକ ଟ୍ରଲର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଯିବା ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଯୁବକଙ୍କ ଉପରେ ଚଢ଼ିଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। କଇରା ମୁଣ୍ଡାଙ୍କ ପୁଅ ରାଜେଶ(୩୨) ସବୁଦିନ ଭଳି ସକାଳ ପ୍ରାୟ ୮ଟାରେ ଘର ସମ୍ମୁଖ ଅଗଣାରେ ଦାନ୍ତ ଘଷୁଥିବାବେଳେ କେନ୍ଦୁଝର ପଟୁ ବଡବିଲ ଅଭିମୁଖେ ଯାଉଥିବା ଏକ ଟ୍ରଲର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଯିବା ସହ ରାଜେଶଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ରାଜେଶଙ୍କର ମୃତ୍ୟୁ ଘଟିଥିବାବେଳେ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ପୁଲିସ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି।

Comments are closed.