ଯିଏ ଯାହା କହୁ ଶୁଣିବି, ଲହୁ ଲୁହ ଦେଇ ଦଳକୁ ତିଆରି କରିବି: ପିସିସି ସଭାପତି

ଭୁବନେଶ୍ଵର: ମୋତେ ଯିଏ ଯାହା କହୁ ମୁଁ ସବୁ ଶୁଣିବାକୁ ପ୍ରସ୍ତୁତ। ଲହୁ ଲୁହ ଦେଇ ଦଳକୁ ତିଆରି କରିବି। ବିଭିନ୍ନ ରାଜ୍ୟରେ ବହୁ ବଡ଼ ଦାୟିତ୍ୱ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ମୋତେ ଦେଇଛନ୍ତି। ଦଳ ତିଆରି କରି ତାଙ୍କ ଋଣ ସୁଝିବି। ଭକ୍ତ ଚରଣ ଦାସ ଶୁକ୍ରବାର ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ଵ ଗ୍ରହଣ କରିବାପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହା କହିଛନ୍ତି। ସେ କହିଛନ୍ତି, ବିଜେପି, ବିଜେଡି ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ। ସେ ଆହୁରି କହିଛନ୍ତି, ସଂଗଠନକୁ ସୁଦୃଢ କରିବା ପାଇଁ କିଛି ନୂଆ କରିବାକୁ ଚେଷ୍ଟା କରିଛୁ। ସେଥିପାଇଁ ବିମାନ ବନ୍ଦରରୁ ସିଧା ଜଗନ୍ନାଥ ମନ୍ଦିରକୁ ଚାଲିଥିଲୁ। ପଦ ଯାତ୍ରାର ସକଳ୍ପ ଥିଲା ସମର୍ପଣ ଭାବ। ଜଗନ୍ନାଥଙ୍କ ମାର୍ଗ ଦର୍ଶନ ରହିଛି ଗରିବଙ୍କ ପାଇଁ କାମ କରିବୁ। ସମସ୍ତଙ୍କ ସହଯୋଗ ମୋ ସହ ଅଛି। ରାଜ୍ୟବାସୀଙ୍କୁ ନିବେଦନ ଆପଣଙ୍କ ସହଯୋଗ ଦରକାର।

ଅପରପକ୍ଷେ, କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି ଯେ, ୩ ଦିନରେ ପଦଯାତ୍ରା ସମ୍ପର୍ଣ୍ଣ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମେ ଫେରିଛୁ, ଜନତାଙ୍କ ସମସ୍ୟାର ସମାଧାନ ପାଇଁ ଲଢେଇ କରିବୁ। ରାଜ୍ୟରେ ଦାୟିତ୍ଵବାନ ବିରୋଧୀ ଭାବରେ କଂଗ୍ରେସ ଦଳ କାର୍ଯ୍ୟ କରିବ। ଦଳକୁ ମଝବୁତ କରିବାକୁ ହେଲେ ତୃଣମୂଳସ୍ତରରେ କଂଗ୍ରେସକୁ ମଝବୁତ କରିବାକୁ ପଡ଼ିବ। ଜିଲ୍ଲା କଂଗ୍ରେସକୁ ଅଧିକ କ୍ରିୟାଶୀଳ କରାଯିବ।

ଏଥିସହ ରାଜ୍ୟରେ ୪ ବର୍ଷରେ ୩୬ ହାଜର ମହିଳା ନିଖୋଜ ଅଛନ୍ତି, ଅନେକ ଶିଶୁ ନିଖୋଜ ଅଛନ୍ତି, ସରକାର କରୁଛନ୍ତି କ’ଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାରୀ ଲଲ୍ଲୁ। ଗୃହମନ୍ତ୍ରୀ କଣ କରୁଛନ୍ତି ? ସଦନରେ ଏହି ପ୍ରସଙ୍ଗ ନେଇ କଂଗ୍ରେସ ଲଢେଇ ଜାରି ରଖିଛି ଏବଂ ରଖିବ। ଖଣି ଖାଦାନ ଲୁଟ୍ ହୋଇଛି। ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାରେ ଲଢେଇ କରିବ ବୋଲି କହିଛନ୍ତି ଅଜୟ କୁମାର ଲଲ୍ଲୁ।

Comments are closed.