୪ ବର୍ଷ ହେଲା ଫ୍ଲାଏ ଓଭର ଫାଇଲ୍ ଖତ ଖାଉଛି; ଅସମ୍ପୂର୍ଣ୍ଣ ବାଇପାସ୍ ପାଲଟିଛି ଗୋଦାମ ଓ ପାର୍କିଂ ଜୋନ୍

ରେଙ୍ଗାଲି: ସରକାର ଜନହିତକର ବିକାଶ ଯୋଜନା ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଓ ଉଦାସୀନତା ଯୋଗୁଁଁ ଅନେକ ଯୋଜନା ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହୁଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ହୀରାକୁଦ ଜଳଭଣ୍ଡାର ଉପରେ ବହୁ ପ୍ରତୀକ୍ଷିତ ସପନେ ସେତୁ ନିର୍ମାଣ ହେଲା ପରେ ସମ୍ବଲପୁରରୁ ରେଙ୍ଗାଲି ଦେଇ ଲଖନପୁର ବ୍ଲକ, ବେଲପାହାଡ ଏବଂ ଛତିଶଗଡ଼ ପ୍ରଦେଶକୁ ସର୍ଟ୍ କଟ୍ ରାସ୍ତା ସଂଯୋଗୀକରଣ ପାଇଁ ରେଙ୍ଗାଲି ଏଲଆଇସି ଛକରୁ ବାଇପାସ୍ ରାସ୍ତା ନିର୍ମାଣ କାମ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ସମ୍ପୂର୍ଣ୍ଣ ହୋଇସାରିଛି। ତେବେ ସମ୍ବଲପୁରରୁ ରେଙ୍ଗାଲି ଦେଇ ଝାରସୁଗୁଡ଼ାକୁ ସଂଯୋଗ କରିଥିବା ରେଳ ଲାଇନ ଉପରେ ଫ୍ଲାଏ ଓଭର ନିର୍ମାଣ ପାଇଁ ରେଲଓ୍ବେ ବିଭାଗର ଅନୁମତି ମିଳୁ ନ ଥିବାରୁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ରେଳ ଲାଇନ ଉପରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହୋଇ ପାରୁନାହିଁ। ଫଳରେ ରେଙ୍ଗାଲି ରେଳ ଲାଇନରୁ ଏଲଆଇସି ଛକ ପର୍ଯ୍ୟନ୍ତ ରାସ୍ତା ଯାନବାହାନଗୁଡ଼ିକର ପାର୍କିଂ ଜୋନ୍ ପାଲଟିଛି ଏବଂ ଜଳଯୋଗାଣ ପାଇଁ ବ୍ୟବହାର ହେଉଥିବା ପାଇପର ଷ୍ଟକ୍ପ ୟାର୍ଡରେ ପରିଣତ ହୋଇଛି। ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ୪/୫ବର୍ଷ ହେଲା ରେଳ ବିଭାଗକୁ ପ୍ଲାନ୍ ଡିଜାଇନ ପ୍ରସ୍ତୁତ କରି ଫାଇଲ୍ ଡିପୋଜିଟ ଦିଆଯାଇଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଖାମଖିଆଲ ମନୋଭାବ ଯୋଗୁଁଁ ଫ୍ଲାଏ ଓଭର ବ୍ରିଜ ପାଇଁ ରେଳ ବିଭାଗ ଅନୁମତି ଦେଉ ନଥିବାରୁ ବିକାଶ ପ୍ରକଳ୍ପ ଠପ୍ ହୋଇ ପଡ଼ିଛି। ଫ୍ଲାଏ ଓଭର ବ୍ରିଜ ଫାଇଲରେ ମୋଟା ଅଳନ୍ଧୁ ଜମାଟ ବାନ୍ଧି ଖତ ଖାଉଛି। ଅସମ୍ପୂର୍ଣ୍ଣ ପ୍ରକଳ୍ପ ଯୋଗୁଁଁ ଲଖନପୁର ବେଲପାହାଡ ଓ ଛତିଶଗଡ଼ ପ୍ରଦେଶକୁ ଗମନାଗମନ ସୁବିଧା ବ୍ୟାହତ ହେଉଛି। ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହେଲେ କମ୍ ସମୟରେ ଲଖନପୁର, ଇବ୍ ଥର୍ମାଲ୍, ବନ୍ଧବାହାଲ, ବେଳପାହାଡ, କନକତୋରା, ରାୟଗଡ଼ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଭାରିଯାନ ଯାତ୍ରୀବାହୀ ବସ୍ ଆଦି ଯାନବାହନ ଚଳାଚଳର ସୁବିଧା ଉପଲବ୍ଧ ହେବ। ରେଳ ଲାଇନ ଉପରେ ଫ୍ଲାଇ ଓଭର ବ୍ରିଜ ନଥିବାରୁ ଲେଭଲ୍ କ୍ରସିଂରେ ଦିନ ରାତି ଟ୍ରାଫିକ ଜାମ୍ ସମସ୍ୟାରେ ଲୋକେ ଅତିଷ୍ଠ ହେଉଛନ୍ତି। ସହର ଭିତର ସଂକୀର୍ଣ୍ଣ ରାସ୍ତାରେ ଯାନବାହାନ ଚଳାଚଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ରାଜ୍ୟରେ ଏବେ ଡବଲ୍ ଇଞ୍ଜିନ୍ ସରକାର କ୍ଷମତାସୀନ। ସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିଦେଇ ରେଲଓ୍ବେ ବିଭାଗ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Comments are closed.