ହାତୀ ନଦୀରୁ ବେଆଇନ ବାଲି ଚାଲାଣବେଳେ ୩ ଟ୍ରାକ୍ଟର ଜବତ

କଲମପୁର : ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ହାତୀ ନଦୀ । ଅନେକ ସମୟରେ  ଶହ ଶହ ସଂଖ୍ୟାର ଟ୍ରାକ୍ଟରରେ ହାତୀ ନଦୀର ବିଭିନ୍ନ ଘାଟରୁ ବାଲି ଉଠାଯାଇ ଥୁଆମୁଳ ରାମପୁର, ଜୟପାଟଣା, କୋକସରା, ଜୁନାଗଡ ସମେତ ପଡୋଶୀ ରାୟଗଡା ଜିଲ୍ଲାର କାଶିପୁର ଏବଂ ରାଜ୍ୟ ବାହାରକୁ ବାଲି ଚାଲାଣ କରାଯାଉଛି । ପୂର୍ବରୁ ରାଜସ୍ୱ ବିଭାଗ ମାଧ୍ୟମରେ ବାଲି ସୌରାତ ସବୁ ପରିଚାଳିତ ହେଉଥିଲା । ରାଜସ୍ୱ ବିଭାଗ ପକ୍ଷରୁ କାଁ ଭାଁ ଚଢାଉ କରି ଜରିମନା ଆଦାୟ କରାଯାଉଥିଲା । ବର୍ତ୍ତମାମ ବାଲି ସୌରାତ ଖଣି ବିଭାଗ ଅଧିନରେ । ପର୍ଯ୍ୟାପ୍ତ କର୍ମଚାରୀ ଅଭାବ ଯୋଗୁଁ ବାଲି ଚୋରା ଚାଲାଣ ରୋକିବା ସମ୍ଭବ ହେଉନାହିଁ । କଲମପୁର ବ୍ଲକର ୧୦ ଗୋଟି ସ୍ୱୀକୃତ ବାଲି ସୌରାତ ରହିଥିବାବେଳେ ବେନିୟମ ଭାବେ ଅନେକ ବାଲି ଖାଦାନରୁ ବାଲି ଚୋରାଚାଲାଣ କରାଯାଉଛି । ଯେଉଁଥିପାଇଁ ଗୁରୁବାର ଦିନ ଖଣି ବିଭାଗ ଉପନିର୍ଦ୍ଦେଶକ ବିଶ୍ୱନାଥ ସୋରେନଙ୍କ ନେତୃତ୍ୱରେ କନିଷ୍ଟ ଖଣି ବିଭାଗ ଅଧିକାରୀ ବିକାଶ ପଟ୍ଟନାୟକ, ଚେକଗେଟ କ୍ଲର୍କ ମଳୟ କୁମାର ବିଶ୍ୱାଳ ପ୍ରମୁଖ ହାତୀ ନଦୀ ପାତ୍ରବସା ଘାଟ ଠାରୁ ଓଡି ୦୮କ୍ୟୁ ୮୫୧୯ରେ ବେନିୟମ ଭାବେ ବାଲି ବୋଝେଇ କରି ଚାଲାଣ କରାଯାଉଥିବା ବେଳେ ଟ୍ରାକ୍ଟରକୁ ଅଟକ ରଖିଥିଲେ । ଏହାସହ ୩୦ ହଜାର ଟଙ୍କା ଜରିମନା ଆଦାୟ କରିଥିଲେ ।

ଏହାପରେ ବାଲି ବୋଝେଇ ପାଇଁ ନିୟୋଜିତ ଥିବା ଓଡି୦୮ ପି ୭୩୭୪ ଏବଂ ଓଡି୦୮ ଟି ୨୫୦୪ ନମ୍ବର ବିଶିଷ୍ଟ ଦୁଇଟି ଟ୍ରାକ୍ଟରକୁ ଜବତ କରି କଲମପୁର ପୁଲିସ ଥାନାରେ ଜିମା ଦେଇଛନ୍ତି । ଉକ୍ତ ଦୁଇଟି ଟ୍ରାକ୍ଟରରୁ ଧାର୍ଯ୍ୟ ଜରିମନା ଦ୍ୱେୟ ପ୍ରଦାନ କରିବା ପରେ ଟ୍ରାକ୍ଟର ମାଲିକଙ୍କୁ ହସ୍ତାନ୍ତର କରାଯିବ । ଖଣି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଲମପୁରର ୧୦ ଗୋଟି ବାଲି ସୌରାତରୁ ଶ୍ରମିକ ମାଧ୍ୟମରେ ବାଲି ଉଠାଣ ସହ ଟ୍ରାକ୍ଟର ଯୋଗେ ବାଲି ପରିବହନ ପାଇଁ ନିୟମ ରହିଛି । ଏହାସହ କୌଣସି ପୋଲ ଅଥବା ଅନ୍ୟ ନିର୍ମାଣ ସ୍ଥାନର ୨୫୦ ମିଟର ଦୂରତ୍ୱରୁ ବାଲି ଉଠାଣର ନିୟମାବଳୀରେ ଦର୍ଶାଯାଇଛି । କିନ୍ତୁ ପରିତାପର ବିଷୟ ହାତୀ ନଦୀରେ ଥିବା ପାନୀୟ ଜଳ ପ୍ରକଳ୍ପ ଏବଂ ପୋଲ ନିକଟରୁ ବାଲି ଉଠାଣ କରାଯାଉଛି । ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ନେଇ ବିଭାଗ ସୂଚନା ଦେଇଛନ୍ତି ।

Comments are closed.