ଦୁଇ ଯାଆଁଳା ଭଉଣୀଙ୍କ କଥା…ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’, ଲୋକାର୍ପିତ ହେଲା ଅଡିଓ

ଡେସ୍କ: ଦୁଇ ଭଉଣୀ ପୁଣି ଯାଆଁଳା, ଆଭା ଓ ଆରତୀ। ଦୁଇ ଜଣ ଦି ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଜଣେ ଗୃହିଣୀ, ଅନ୍ୟ ଜଣେ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭରଶୀଳ। ଏମିତି କିଛି କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’। ଆପଣମାନେ ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମିରେ ଘରେ ବସି ଦେଖିବେ ଏହି ଚଳଚ୍ଚିତ୍ର। ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଲୋକାର୍ପିତ ହୋଇଛି ଚଳଚ୍ଚିତ୍ର ‘ଟ୍ୱିନ୍ସ’ର ଅଡିଓ।

ଚଳଚ୍ଚିତ୍ର ଟ୍ୱିନ୍ସରେ ରହିଛି ଚୁଲବୁଲି ଅଭିନେତ୍ରୀ ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶଙ୍କ ନୂଆ ଯୋଡି। ପାରମ୍ପରିକ କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ମଜାଦାର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରରେ ସନ୍ତୋଷ ଦାଶ, କୀର୍ତ୍ତି ମହାନ୍ତି ଏବଂ ଲତାସା ଅଭିନୟ କରିଛନ୍ତି।

ଏସ୍‌ପିପି ପ୍ରଡକ୍ସନ ବ୍ୟାନର ନିର୍ମିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଟ୍ଵିନ୍ସ’। ଏହି ଫିଲ୍ମରେ ଗୀତିକାର ସୂର୍ଯ୍ୟ ମହାପାତ୍ରଙ୍କ ଶବ୍ଦକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ଷ୍ଟାଇଲିସ୍ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ସ୍ଵର ଦେଇଛନ୍ତି ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧରୀ ଓ ଶିଶୁ କଣ୍ଠଶିଳ୍ପୀ ସୁଦୀପ୍ତା ବିନ୍ଧାଣୀ। ଫିଲ୍ମର ‘ଆଇ ଲଭ୍ ୟୁ ପ୍ରିୟା’ ଗୀତରେ ସ୍ୱୟଂ ପାଢ଼ୀ ଏବଂ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି। ‘ସଣ୍ଡେ ଫଣ୍ଡେ’ ଗୀତଟି ଅର୍ପିତା ଚୌଧୁରୀ ସୋଲୋ ଗାଇଛନ୍ତି। ଏହା ସହିତ ଚଳଚ୍ଚିତ୍ରରେ ଏକ ଫ୍ୟାମିଲି ଗୀତ ରହିଛି ଯାହାକୁ କଣ୍ଠଶିଳ୍ପୀ ଶାନ୍ତନୁ ନାୟକ, ଲିପ୍ସା ମହାପାତ୍ର ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ଗାଇଛନ୍ତି। ସମସ୍ତ ଗୀତଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ।ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ସାତ୍ୟକି କୁଣ୍ଡୁ।

କାହାଣୀର ଅନ୍ତରାଳେ…
ଆଭା ଓ ଆରତୀ ଦୁଇ ଯାଆଁଳା ଭଉଣୀଙ୍କ କାହାଣୀକୁ ନେଇ ତିଆରି ହୋଇଛି ‘ଟ୍ଵିନ୍ସ’। ଦୁଇ ଜଣ ଦି ଜଣଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଭା ଜଣେ ସଂସାର ରୂପୀ ସମୁଦ୍ର ଭିତରେ ଉବୁଟୁବୁ ହେଉଥିବା ବେଳେ ଆରତୀ ଜଣେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓ ଜଣେ ପ୍ରୋଜେକ୍ଟ ମ୍ୟାନେଜର। ଆଭା ନିଜ ପୁଅ ପାଠପଢା ପାଇଁ ଚିନ୍ତିତ ଥିଲା ବେଳେ ଆରତୀ ଚିନ୍ତିତ ହୋଇଛି ନିଜର ଏକ ସଂସାର କରିବା ପାଇଁ। ସମୟ କାଳକ୍ରମେ ଦୁଇ ଭଉଣୀ ଭେଟ ହୋଇଛନ୍ତି କିନ୍ତୁ ଆଗକୁ ଦୁଇ ଭଉଣୀ କଣ ନିଜ ନିଜର ସ୍ବପ୍ନ ପୂରଣ କରିପାରୁଛନ୍ତି? କଣ ଘଟୁଛି ଦୁଇ ଭଉଣୀଙ୍କ ମଧ୍ୟରେ? କଣ କେହି କାହାର ସାହାଯ୍ୟ ନେଉଛନ୍ତି ନା କିଛି ଅସୁବିଧା ଘଟୁଛି ସେମାନଙ୍କ ସହ? ଏମିତି ବହୁତ କିଛି ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମରେ।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ ଏହି ଫିଲ୍ମଟି ନାରୀର ବିଭିନ୍ନ ରୂପକୁ ବହୁତ ସୁନ୍ଦର ଭାବରେ ଦେଖାଇଛି ଓ ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଯଥେଷ୍ଟ ଭରସା ଅଛି। ଏହି ଲୋକାର୍ପଣ ଉତ୍ସବରେ ଜୀ ସାର୍ଥକ ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ,ଜୀସାର୍ଥକ ମାର୍କେଟିଙ୍ଗ ହେଡ୍ ଶ୍ରାବନ୍ତୀ ରୟ, ଜୀ ସାର୍ଥକ ଫିଲ୍ମସର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ନା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.