OMC 1 banner

ଯୋଗ ଏକ ଜୀବନ ଦର୍ଶନ

ଭୁବନେଶ୍ଵର:    ଜୁନ୍ ୨୧, ୨୦୨୫। ଏହି ଦିନଟି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳିତ ହେଉଛି, ଯାହା ଭାରତର ପ୍ରାଚୀନ ଯୋଗ ପରମ୍ପରାକୁ ଏକ ସାର୍ବଜନୀନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିଛି। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତିସଂଘରେ ଦିଆଯାଇଥିବା ପ୍ରସ୍ତାବ ଫଳରେ ୨୦୧୫ ମସିହାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ୨୦୨୫ ମସିହାରେ ଏହା ଏକାଦଶ ବର୍ଷରେ ପହଞ୍ଚିଛି, ଯାହା ଭାରତ ତଥା ଓଡ଼ିଶା ପାଇଁ ଗର୍ବ ଓ ଆତ୍ମବିଶ୍ୱାସର ଏକ ମହତ୍ତ୍ୱପୂର୍ଣ୍ଣ ଅବସର। ଅନେକ ଲୋକ ଯୋଗକୁ କେବଳ କିଛି ଶାରୀରିକ ବ୍ୟାୟାମ ବା ଶରୀରକୁ ସୁସ୍ଥ ରଖିବା ଅଭ୍ୟାସ ଭାବେ ଦେଖନ୍ତି; କିନ୍ତୁ ଯୋଗ ଏହାଠାରୁ ଅନେକ ଅଧିକ। ଏହା ଏକ ଜୀବନ ଦର୍ଶନ, ଯାହା ଶରୀର, ମନ ଓ ଆତ୍ମାକୁ ଏକତ୍ର ସଂଯୋଗ କରେ। ପତଞ୍ଜଳିଙ୍କ ଯୋଗସୂତ୍ରରେ ଯୋଗକୁ ଚିତ୍ତର ବୃତ୍ତିକୁ ନିରୋଧ କରିବାର ବିଜ୍ଞାନ ଭାବେ ବର୍ଣ୍ଣନା କରାଯାଇଛି। ଏହା କେବଳ ଆସନ ବା ପ୍ରାଣାୟାମ ନୁହେଁ, ବରଂ ଯମ, ନିୟମ, ଧ୍ୟାନ, ଧାରଣା ଓ ସମାଧି ଆଦି ଅଷ୍ଟାଙ୍ଗ ଯୋଗର ଏକ ସମ୍ପୂର୍ଣ୍ଣ ପଦ୍ଧତି।
ସଂପ୍ରତି ଯୋଗକୁ ପ୍ରାୟତଃ ଶାରୀରିକ ଆସନ ଓ ନିଶ୍ଚିତ କେତେକ ଭଙ୍ଗୀ ସହିତ ଜଡ଼ିତ କରାଯାଏ, କିନ୍ତୁ ଏହାର ଆଧ୍ୟାତ୍ମିକ ଓ ମାନସିକ ଦିଗ ଅଧିକ ଗୁରୁତ୍ୱପୂର୍ଣ୍ଣ। ପତଞ୍ଜଳିଙ୍କ ଅଷ୍ଟାଙ୍ଗ ଯୋଗରେ ଯମ (ସାମାଜିକ ନୈତିକତା) ଓ ନିୟମ (ବ୍ୟକ୍ତିଗତ ଶୃଙ୍ଖଳା) ଜୀବନରେ ଭାରସାମ୍ୟ ଓ ନୈତିକତା ଆଣିଥାଏ। ଯମରେ ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ ଆଦି ଅନ୍ତର୍ଭୁକ୍ତ, ଯାହା ସାମାଜିକ ସମ୍ପର୍କକୁ ମଜଭୁତ କରେ। ନିୟମରେ ଶୌଚ, ସନ୍ତୋଷ, ତପସ୍ୟା, ସ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ ରହିଛି, ଯାହା ବ୍ୟକ୍ତିକୁ ଆତ୍ମଶୁଦ୍ଧି ଓ ଆଧ୍ୟାତ୍ମିକ ଉନ୍ନତି ଆଡ଼କୁ ନେଇଯାଏ।ଏହି ଦିଗଗୁଡ଼ିକ ଯୋଗକୁ କେବଳ ମାତ୍ର ଶାରୀରିକ ଅଭ୍ୟାସରୁ ଏକ ସମ୍ପୂର୍ଣ୍ଣ ଜୀବନଶୈଳୀରେ ପରିଣତ କରେ।
ଆସନ ଓ ପ୍ରାଣାୟାମ ଯୋଗର ବାହ୍ୟ ଅଙ୍ଗ ହୋଇଥିବାବେଳେ ଧ୍ୟାନ, ଧାରଣା ଓ ସମାଧି ଏହାର ଅନ୍ତର୍ନିହିତ ଆଧ୍ୟାତ୍ମିକ ସାର। ଧ୍ୟାନ ମନରେ ଶାନ୍ତି ଆଣେ, ଆତ୍ମଜ୍ଞାନ ବୃଦ୍ଧି କରେ ଏବଂ ବ୍ୟକ୍ତିକୁ ନିଜର ଅସ୍ତିତ୍ୱର ଗଭୀର ଅର୍ଥ ବୁଝିବାକୁ ସହାୟକ ହୁଏ। ଏହା କେବଳ ଶରୀରକୁ ନମନୀୟ କରିବା ନୁହେଁ, ବରଂ ଜୀବନରେ ଭାରସାମ୍ୟ, ଶାନ୍ତି ଓ ସମୃଦ୍ଧି ଆଣିବାରେ ସହାୟକ ହୋଇଥାଏ। ଓଡ଼ିଶାରେ, ଯେଉଁଠାରେ ଆଧ୍ୟାତ୍ମିକତା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯୋଗର ଏହି ଗଭୀର ଦିଗଗୁଡ଼ିକ ସ୍ୱାଭାବିକ ଭାବେ ଜନଜୀବନରେ ମିଶି ରହିଛି।
ଯୋଗ ଶାରୀରିକ ସ୍ୱାସ୍ଥ୍ୟରେ ଅପୂର୍ବ ଉପକାର ପ୍ରଦାନ କରେ। ଭାରତରେ, ଯେଉଁଠାରେ ଜୀବନଶୈଳୀ ସମ୍ବନ୍ଧୀୟ ରୋଗଗୁଡ଼ିକ ଯଥା ମଧୁମେହ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ ମେଦବୃଦ୍ଧି ଆଦି ସମସ୍ୟା ସମୂହ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେଠାରେ ଯୋଗ ଏକ ପ୍ରାକୃତିକ ଓ ଖର୍ଚ୍ଚ ବିହୀନ ସମାଧାନ। ଆସନଗୁଡ଼ିକ ଯେପରି କି ସୂର୍ଯ୍ୟ ନମସ୍କାର, ଭୁଜଙ୍ଗାସନ, ପଶ୍ଚିମୋତ୍ତାନାସନ ଓ ତ୍ରିକୋଣାସନ ଶରୀରର ନମନୀୟତା ବୃଦ୍ଧି କରୁଥିବାବେଳେ, ପେଶୀ ଓ ହାଡ଼କୁ ମଜଭୁତ କରାଇବାରେ ସହାୟକ ହୋଇଥାଏ। ଖାଲି ସେତିକି ନୁହେଁ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦିଏ। ପ୍ରାଣାୟାମ, ଯେପରି କି କପାଳଭାତି ଓ ଅନୁଲୋମ-ବିଲୋମ, ଶ୍ୱାସତନ୍ତ୍ରକୁ ସୁସ୍ଥ ରଖେ ଓ ରକ୍ତ ସଞ୍ଚାଳନକୁ ସୁଧାରିବାରେ ବେଶ୍‌ ସହାୟକ ସିଦ୍ଧ ହୁଏ। ଗବେଷଣା ଅନୁସାରେ, ନିୟମିତ ଯୋଗାଭ୍ୟାସ ରକ୍ତଚାପ ନିୟନ୍ତ୍ରଣ, ମଧୁମେହ ନିୟନ୍ତ୍ରଣ ଓ ମେଟାବୋଲିଜମ ସୁଧାରରେ ଅନେକ ସହାୟକ ହୋଇଥାଏ।
ମାନସିକ ସୁସ୍ଥତା ଆଧୁନିକ ଜୀବନର ଦ୍ରୁତଗତି ଓ ଚାପପୂର୍ଣ୍ଣ ପରିବେଶରେ ମାନସିକ ସ୍ୱାସ୍ଥ୍ୟ ଏକ ବଡ଼ ଚାଲେଞ୍ଜ ହୋଇଛି। ଯୋଗର ଧ୍ୟାନ ଓ ପ୍ରାଣାୟାମ ଏହି ସମସ୍ୟାଗୁଡ଼ିକୁ ମୁକାବିଲା କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ। ଭ୍ରାମରୀ ପ୍ରାଣାୟାମ ଓ ଧ୍ୟାନ ମସ୍ତିଷ୍କରେ କର୍ଟିସୋଲ (ଚାପହରମୋନ) ସ୍ତରକୁ କମାଇ ସେରୋଟୋନିନ ଓ ଡୋପାମାଇନ୍ ଉତ୍ପାଦନକୁ ବୃଦ୍ଧି କରେ, ଯାହା ମାନସିକ ଶାନ୍ତି ଓ ଆନନ୍ଦ ପ୍ରଦାନ କରିଥାଏ।
ଯୋଗର ଅନେକ ଲାଭ ଥିବା ସତ୍ତ୍ୱେ ଏହାର କିଛି ଚାଲେଞ୍ଜ ଓ ଅସୁବିଧା ମଧ୍ୟ ରହିଛି, ଆସନ୍ତୁ ସେଥିପ୍ରତି ଦୃଷ୍ଟି ଦେବା। ଅଯଥା ଅଭ୍ୟାସର ଝୁଙ୍କ ଅଯଥା ବା ଭୁଲ ଅଭ୍ୟାସ ଦ୍ୱାରା ଶାରୀରିକ କ୍ଷତି ହୋଇପାରେ। ଅନୁଚିତ ଭାବେ ଆସନ କରିବା ଦ୍ୱାରା ପେଶୀରେ ଟାଣ, ମେରୁଦଣ୍ଡରେ ଆଘାତ ବା ଅନ୍ୟ ସମସ୍ୟା ସବୁ ଦେଖା ଦେଇପାରେ। ଉଦାହରଣ ସ୍ୱରୂପ, ଶୀର୍ଷାସନ ବା ସର୍ବାଙ୍ଗାସନ ପରି ଜଟିଳ ଆସନ ପ୍ରଶିକ୍ଷଣ ବିନା କରିବା ବିପଜ୍ଜନକ ସିଦ୍ଧ ହୋଇଛି। ଏହାକୁ ଏଡ଼ାଇବା ପାଇଁ ପ୍ରଶିକ୍ଷିତ ଶିକ୍ଷକଙ୍କ ତତ୍ତ୍ୱାବଧାନ ଆବଶ୍ୟକ; କିନ୍ତୁ, ଓଡ଼ିଶାର ଗ୍ରାମାଞ୍ଚଳରେ ଯୋଗଶିକ୍ଷକଙ୍କ ଅଭାବ ଏହାର ପ୍ରମୁଖ ବାଧକ।
ଆଧୁନିକ ସମୟରେ ଯୋଗ ଏକ ବିଶାଳ ବ୍ୟବସାୟରେ ପରିଣତ ହୋଇଯାଇଛି। ବଡ଼ବଡ଼ ଯୋଗ ଷ୍ଟୁଡିଓ, ଅନ୍‌ଲାଇନ କ୍ଲାସ ଓ ଯୋଗ ଉତ୍ସବରେ ଉଚ୍ଚଶୁଳ୍କ ଲାଗୁ ହେଉଛି, ଯାହା ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ପାଇଁ ଅସୁବିଧାଜନକ ହୋଇପଡୁଛି। ଯୋଗର ମୂଳ ଉଦ୍ଦେଶ୍ୟ ଥିଲା ସମସ୍ତଙ୍କ ପାଇଁ ସୁଲଭ ହେବା, କିନ୍ତୁ ବାଣିଜ୍ୟିକୀକରଣ ଏହି ଲକ୍ଷ୍ୟକୁ ପ୍ରଭାବିତ କରୁଛି। ଓଡ଼ିଶାରେ, ପୁରୀ ଓ ଭୁବନେଶ୍ୱରରେ ଆୟୋଜିତ କିଛି ଯୋଗ କାର୍ଯ୍ୟକ୍ରମ ମାଗଣା ହେଲେ ମଧ୍ୟ, ଅନେକ ବ୍ୟୟବହୁଳ କ୍ଲାସ ସାଧାରଣ ଜନତାଙ୍କ ପାଇଁ ଦୂରବର୍ତ୍ତୀ ହୋଇଯାଉଛି। କେତେକ ଲୋକଙ୍କ ମଧ୍ୟରେ ଯୋଗ ସମ୍ବନ୍ଧରେ ଭ୍ରାନ୍ତଧାରଣା ସବୁ ବସା ବାନ୍ଧି ରହିଛି। କେହିକେହି ଏହାକୁ କେବଳ ଧାର୍ମିକ ଅଭ୍ୟାସ ଭାବେ ଦେଖନ୍ତି, ଯାହା ବିଭିନ୍ନ ଧର୍ମର ଲୋକଙ୍କୁ ଏହା ଗ୍ରହଣ କରିବାରୁ ନିବୃତ୍ତ କରେ। ଯୋଗ ଏକ ସାର୍ବଜନୀନ ବିଜ୍ଞାନ, ଯାହା ସମସ୍ତ ଧର୍ମ ଓ ସଂସ୍କୃତିର ଲୋକଙ୍କ ପାଇଁ ଉପଯୁକ୍ତ। ଏହି ଭ୍ରାନ୍ତଧାରଣା ଦୂର କରିବାପାଇଁ ଯୋଗର ବୈଜ୍ଞାନିକ ଓ ସାର୍ବଜନୀନ ଦିଗ ଉପରେ ଅଧିକ ଜୋର ଦେବା ଆବଶ୍ୟକ।

Comments are closed.