ସମାଜ ପୋର୍ଟାଲ ଡେସ୍କ: ୟେସ୍ ବ୍ୟାଙ୍କର ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହି ବ୍ୟାଙ୍କ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବେ କାର୍ଯ୍ୟକ୍ଷମ ହେବ। ବ୍ୟାଙ୍କର ନଗଦ ସମସ୍ୟା ଏବେ ନାହିଁ। ସବୁ ଶାଖା ଏବଂ ଏଟିଏମଗୁଡିକରେ ଯଥେଷ୍ଟ ପରିମାଣର ଅର୍ଥ ମହଜୁଦ ରହିଛି। ତେଣୁ ବ୍ୟାଙ୍କର ଗ୍ରାହକ ଓ ଜମାକାରୀ ଏହାର ଆର୍ଥିକ ସ୍ଥିତି ନେଇ ଚିନ୍ତିତ ହେବାର ଅବକାଶ ନାହିଁ। ଯେଉଁମାନେ ଏହି ବ୍ୟାଙ୍କରେ ଅର୍ଥ ଜମା ରଖିଛନ୍ତି, ସେମାନଙ୍କର ପୁଞ୍ଜି ସୁରକ୍ଷିତ ରହିଛି ବୋଲି ସେ ପୁଣି ଥରେ କହିଛନ୍ତି। ରହିତାଦେଶ ଜାରି ପୂର୍ବରୁ ଜମାକାରୀମାନେ ବ୍ୟାଙ୍କରୁ ଯେଉଁଭଳି ସେବା ପାଉଥିଲେ, ଆଜି ସନ୍ଧ୍ୟାରୁ ଅନୁରୂପ ସେବା ପାଇବେ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରଶାନ୍ତ କୁମାର ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଅଧିକାରୀ। ବ୍ୟାଙ୍କ ସଂକଟର ସମ୍ମୁଖୀନ ହେବା ପରେ ତାଙ୍କୁ ସରକାର ୟେସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଚଳିତ ମାସ ୨୬ ତାରିଖରେ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ବ୍ୟାଙ୍କର ଯେଉଁସବୁ ଅନାଦାୟ ଋଣ ରହିଛି, ସେଥିମଧ୍ୟରୁ ମାର୍ଚ୍ଚ ତ୍ରୈମାସିକ ସୁଦ୍ଧା ୮ ହଜାର ୫୦୦ରୁ ୧୦ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ସେ ଆଶାବାଦୀ। ଏଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।



