ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନ୍ନତାବାଦୀ ସଂଗଠନ ଜାମ୍ମୁ-କାଶ୍ମୀର ଲିବରେଶନ ଫ୍ରଣ୍ଟ(ଜେକେଏଲଏଫ)ର ୟାସିନ ମଲିକଙ୍କର ତିହାର ଜେଲରେ ମୃତ୍ୟୁ ଘଟିଥିବା ଖବରକୁ ଜେଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଜେଲ ଡିଜି ସନ୍ଦୀପ ଗୋୟଲ କହିଛନ୍ତି, ଏହା ଏକ ଗୁଜବ। କିଛି ପାକିସ୍ତାନୀ ଗଣମାଧ୍ୟମରେ ବି ଏଭଳି ଖବର ପ୍ରସାରଣ ହୋଇଛି। କିନ୍ତୁ ୟାସିନ ମଲିକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି।
ୟାସିନ ମଲିକଙ୍କୁ ଗତ ଏପ୍ରିଲରେ ତିହାର ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତ କିଛିଦିନ ହେବ ସେ ରହୁଥିବା ଜେଲ କୋଠରୀରୁ ବିଭିନ୍ନ ପ୍ରକାର ଚିତ୍କାର ଶୁଣିବାକୁ ମିଳିଥିଲା। ଏହାକୁ ନେଇ ମହିଳା କଏଦୀମାନେ ଭୟଭୀତ ରହୁଥିଲେ। ଏହାକୁ ନେଇ ୟାସିନଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହୋଇଥିଲା। ୟାସିନଙ୍କ ପତ୍ନୀ ମୁଶାଲ ହୁସେନ ମଲିକ ବି ଏକ ଭିଡିଓ ଜାରି କରି ୟାସିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ଥିବା କହିଥିଲେ। ତେବେ ୟାସିନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଜେଲ୍ ଡିଜି କହିଛନ୍ତି।



