ସାଉଦାଥମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଆୟୋଜିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ର ପ୍ରଥମ ଦିନ ଖେଳ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଶୁକ୍ରବାର ପ୍ରଥମ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଜୋର୍ରେ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ପଡ଼ିଆରେ ପାଣି ଜମି ରହିଥିଲା। ବର୍ଷା ବନ୍ଦ ହେବା ପରେ ଗ୍ରାଉଣ୍ଡ ଷ୍ଟାଫ୍ମାନେ ପଡ଼ିଆକୁ ଶୁଖାଇବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ କ୍ରମାଗତ ଭାବେ ବର୍ଷା ହେବାରୁ ପାଣି ଜମି ରହିଥିଲା।
ଅମ୍ପାୟାର ସମୟ ବ୍ୟବଧାନରେ ପଡ଼ିଆକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ପଡ଼ିଆରେ ପାଣି ରହିଥିବାରୁ ଖେଳ ଆରମ୍ଭ କରିବା ସମ୍ଭବପର ହୋଇପାରିବ ନାହିଁ ବୋଲି ହୃଦୟଙ୍ଗମ କରି ଶେଷରେ ପ୍ରଥମ ଦିନ ଖେଳକୁ ବାତିଲ କରି ଦେଇଥିଲେ। ଏହି ଟେଷ୍ଟ ମ୍ୟାଚ୍ ନିମନ୍ତେ ରିଜର୍ଭ ଦିନ (୬ଷ୍ଠ ଦିବସ) ରଖାଯାଇଛି। ଯଦି ଆବଶ୍ୟକ ହୁଏ ତେବେ ଏହାର ବ୍ୟବହାର କରାଯିବ।



