ନୂଆଦିଲ୍ଲୀ: ବହୁତ ଦିନର ପ୍ରତୀକ୍ଷା ପରେ ୨୦୨୩ ଦିନିକିଆ ବିଶ୍ବକପ୍ର ଖେଳସୂଚୀ ମଙ୍ଗଳବାର ଘୋଷଣା କରିଛି ଆଇସିସି। ଅବଶ୍ୟ ପୂର୍ବରୁ ସମସ୍ତ କ୍ରିକେଟ୍ ବିଶ୍ୱକପ୍ର ଖେଳସୂଚୀ ବର୍ଷେ ଆଗରୁ ଘୋଷଣା କରା ଯାଉଥିବା ବେଳେ ଚଳିତବର୍ଷ ଭାରତରେ ହେବାକୁ ଥିବା ବିଶ୍ବକପ୍ ଆରମ୍ଭର ଠିକ୍ ୧୦୦ ଦିନ ପୂର୍ବରୁ ଆଇସିସି ଖେଳସୂଚୀ ଘୋଷଣା କରିଛି। ୨୦୨୩ ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ୍ ଅହମ୍ମଦାବାଦର ବିଶ୍ବର ସର୍ବବୃହତ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅକ୍ଟୋବର ୫ରେ ଗତ ବିଶ୍ବକପ୍ର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୩ ଦିନ ପରେ ବିଶ୍ବକପ୍ର ସଫଳତମ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନଇରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ନଭେମ୍ବର ୧୫ରେ ମୁମ୍ବଇରେ ପ୍ରଥମ ଓ ୧୬ରେ କଲକାତାରେ ୨ୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଯଦି ଭାରତ-ପାକିସ୍ତାନ ସେମିଫାଇନାଲ ହୁଏ; ତେବେ ଏହା କଲକାତାରେ ଖେଳାଯିବ। ନଭେମ୍ବର ୧୯ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତ-ପାକିସ୍ତାନ ମୁକାବିଲା ହେବ।
ଏହି ବିଶ୍ବକପ୍ରେ ୧୦ଟି ଦଳ ଭାଗନେବେ। ବିଶ୍ବକପ୍ ସୁପର ଲିଗ୍ ଟେବୁଲ୍ରେ ଥିବା ପ୍ରଥମ ୮ଟି ଦଳଙ୍କ ସହ ଏବେ ଜିମ୍ବାୱେରେ ଚାଲିଥିବା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଦୁଇ ଫାଇନାଲିଷ୍ଟ ବାକି ୨ଟି ଦଳ ଭାବେ ଏହି ବିଶ୍ବକପ୍ ଖେଳିବେ। ତେବେ ଦେଖିବାର କଥା ଯେ ଦୁଇ ପୂର୍ବତନ ବିଶ୍ବ ଚମ୍ପିଆନ୍ ଏବଂ ମିଳିତ ଭାବେ ୩ଟି ବିଶ୍ବକପ୍ ଜିତିଥିବା ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ଏହି ବିଶ୍ବକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରୁଛନ୍ତି କି ନାହିଁ; ତାହା ଦେଖିବାର କଥା। ୨୦୧୯ ବିଶ୍ବକପ୍ ଯେଉଁ ପଦ୍ଧତି ବା ଫର୍ମାଟରେ ଖେଳା ଯାଇଥିଲା; ଏଥର ସମାନ ପଦ୍ଧତିରେ ମ୍ୟାଚ୍ ଖେଳାଯିବ। ରାଉଣ୍ଡ ରବିନ୍ ଲିଗ୍ରେ ସମସ୍ତ ଦଳ ପରସ୍ପର ବିରୋଧରେ; ଏହିପରି ମୋଟ ୯ଟି ମ୍ୟାଚ୍ ଖେଳିବେ। ଲିଗ୍ ପର୍ଯ୍ୟାୟର ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ। ୧୦ଟି ଦଳ ଲିଗ୍ ପର୍ଯ୍ୟାୟରେ ୪୫ଟି ମ୍ୟାଚ୍ ଖେଳିବେ। ୩ଟି ନକ୍ଆଉଟ୍ ମ୍ୟାଚ୍କୁ ମିଶାଇ ମୋଟ ୪୮ଟି ମ୍ୟାଚ୍ ୪୬ ଦିନରେ ଖେଳାଯିବ। ଦିନର ମ୍ୟାଚ୍ ସକାଳ ୧୦.୩୦ରୁ ଏବଂ ଦିବାରାତ୍ର ମ୍ୟାଚ୍ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ଯେଉଁଦିନ ୨ଟି ମ୍ୟାଚ୍ ଥିବ; ସେଦିନ ପଥମ ମ୍ୟାଚ୍ ସକାଳ ୧୦.୩୦ରୁ ଏବଂ ୨ୟ ମ୍ୟାଚ୍ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ଏହି ବିଶ୍ବକପ୍ର ସମସ୍ତ ମ୍ୟାଚ୍ ୧୦ଟି ସହରରେ ଖେଳାଯିବ। ଏହି ୧୦ଟି ସହର ହେଲା- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, କଲକାତା, ଲକ୍ଷ୍ନୌ, ମୁମ୍ବଇ ଓ ପୁଣେ। ଭାରତ ତା’ର ୯ଟି ମ୍ୟାଚ୍ ୯ଟି ସହରରେ ଖେଳିବ। ପାକିସ୍ତାନ ୫ଟି ସହରରେ ତା’ର ୯ଟି ଲିଗ୍ ମ୍ୟାଚ୍ ଖେଳିବ। ଏହି ୫ଟି ସହର ହେଲା ଅହମ୍ମଦାବାଦ, ହାଇଦରାବାଦ, ବେଙ୍ଗାଲୁରୁ, ଚେନ୍ନଇ, କଲକାତା। ଅନ୍ୟ ବଡ଼ ମ୍ୟାଚ୍ ଭାବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁକାବିଲା ଧର୍ମଶାଳାରେ ଅକ୍ଟୋବର ୨୯ରେ, ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା ଅହମ୍ମଦାବାଦରେ ନଭେମ୍ବର ୪ରେ ଓ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମୁକାବିଲା ନଭେମ୍ବର ୧ରେ ପୁଣେରେ ଖେଳାଯିବ। କ୍ରମାଗତ ୩ୟ ଦିନିକିଆ ବିଶ୍ବକପ୍ ଖେଳୁଥିବା ଆଫ୍ଗାନିସ୍ତାନ ଦଳ ଧର୍ମଶାଳାରେ ଅକ୍ଟୋବର ୭ରେ ବାଂଲାଦେଶ ବିପକ୍ଷରେ ଖେଳିବ। ଏହି ବିଶ୍ବକପ୍ ପୂର୍ବରୁ ପ୍ରତିଯୋଗୀ ଦଳମାନେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ହାଇଦରାବାଦ, ଗୁଆହାଟୀ ଓ ତିରୁୱନନ୍ତପୁରମ୍ରେ ଅଭ୍ୟାସ ମ୍ୟାଚ୍ ଖେଳିବେ।



