ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର : ନରେନ୍ଦ୍ର ସିଂ ତୋମାର

-ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାରେ ଓଡ଼ିଶାରୁ ୫୨ ହଜାର ଚାଷୀ ପଞ୍ଜିକୃତ
-ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୩୦ ଲକ୍ଷ ଚାଷୀଙ୍କୁ ମିଳୁଛି ବାର୍ଷିକ ୬ ହଜାର ଟଙ୍କା ସହାୟତା
-୨୦୨୨ ସୁଦ୍ଧା ସରକାରୀ ସହାୟତାରେ ଚାଲୁଥିବା ନଡିଆ ଉଦ୍ୟୋଗ ସଂଖ୍ୟାକୁ ଦ୍ୱିଗୁଣିତ କରିବା ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ବର : ରାଜ୍ୟର ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ। ଫନିରେ ରାଜ୍ୟର ନଡ଼ିଆ ଚାଷ
କ୍ଷତିଗ୍ରସ୍ତ ଅଂଚଳ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଓଡ଼ିଶାରେ ନଡ଼ିଆ ଚାଷର ବିକାଶ ପାଇଁ ନାରିକେଳ ଉନ୍ନୟନ ବୋର୍ଡ ୨୯.୬୫୯ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଏତଦ୍‍ବ୍ୟତୀତ କେନ୍ଦ୍ର ସରକାର ଓଡ଼ିଶାକୁ ସିଆରଏଫ ସହାୟତା ରାଶି ମଧ୍ୟ ପ୍ରଦାନ କରିବେ। ଓଡ଼ିଶାରେ ପ୍ରାୟ ୫୧ ହଜାର ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଛି ଏବଂ ରାଜ୍ୟରେ କୃଷି କ୍ଷେତ୍ରର ବିକାଶରେ ନଡିଆ ଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ତୋମାର କହିଛନ୍ତି।

ସୋମବାର ଭୁବନେଶ୍ୱରର କିଟ୍‍ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନାରିକେଳ ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ତୋମାର କହିଛନ୍ତି, ଓଡ଼ିଶାରୁ ୩୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ବାର୍ଷିକ ୬ ହଜାର ଟଙ୍କା ସହାୟତା ପାଉଛନ୍ତି । ବଳକା ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇବାକୁ ସେ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଆଗାମୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରାୟ ୧୦ ଲକ୍ଷ କୃଷକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ ଓଡ଼ିଶାରୁ ବର୍ତମାନ ସୁଦ୍ଧା ୫୨ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ଯୋଜନା ଅନ୍ତର୍ଗତ ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଚାଷୀ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ରଖିବେ। ଭାରତ ସରକାର ସମାନ ରାଶି ଉକ୍ତ ଚାଷୀଙ୍କ ଖାତାରେ ଯୋଡିବେ। ଚାଷୀଙ୍କୁ ୬୦ ବର୍ଷ ହେଲା ପରେ ମାସକୁ ସର୍ବାଧିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ।

ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିଭିନ୍ନ ଶସ୍ୟଜାତୀୟ ଉତ୍ପାଦ ଉପରେ ଏମଏସପି ଦେଢଗୁଣା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ।  ଆମ ଦେଶରେ ଏକ କୋଟି ନଡ଼ିଆ ଚାଷୀ ରହିଛନ୍ତି ଓ ଭାରତ ବିଶ୍ୱର ଅଗ୍ରଣୀ ନଡିଆ ଉତ୍ପାଦନକାରୀ ରାଷ୍ଟ୍ର ବୋଲି ମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି। ସମସ୍ତ କୃଷି ଉତ୍ପାଦନ ମଧ୍ୟରୁ ନାରିକେଳରେ ସର୍ବାଧିକ ମୂଲ୍ୟ ଯୁକ୍ତ (ସମ୍ବର୍ଦ୍ଧନ) ହୋଇପାରିବ। ତେଣୁ ନଡିଆ ଚାଷକୁ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି। ବିଶ୍ୱ ବଜାରରେ ଭାରତର ନଡ଼ିଆ ଓ ଆନୁସଙ୍ଗିକ ପଦାର୍ଥର ଚାହିଦା ବୃଦ୍ଧି ଲାଗି ଆଗାମୀ ଦିନରେ ଦେଶବ୍ୟାପୀ ୧୦ ହଜାର ଏଫପିଓ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଏଫପିଓ କେନ୍ଦ୍ର ଦ୍ୱାରା ଚାଷୀମାନଙ୍କୁ ବିଭିନ୍ନ
ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ସହାୟତା ପ୍ରଦାନ କରାଯିବ। ଏହି କେନ୍ଦ୍ରଗୁଡ଼ିକ ନଡ଼ିଆ ଚାଷୀଙ୍କ ଦକ୍ଷତା ବିକାଶରେ ମଧ୍ୟ ସହାୟକ ହେବ। ବର୍ତମାନ ଦେଶରେ ସରକାରୀ ସହାୟତାରେ ୪୮୪ଟି ନଡିଆ ଉଦ୍ୟୋଗ ଚାଲୁଅଛି। ୨୦୨୨ ସୁଦ୍ଧା ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ନଡ଼ିଆ ଚାଷୀମାନଙ୍କୁ ଷ୍ଟାର୍ଟଅପ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପୋତ୍ସାହିତ କରିବେ।

ଏହି ସମାରୋହରେ ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ, ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲ, ଓଡିଶା ସରକାରଙ୍କ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ନାରିକେଳ ଉନ୍ନୟନ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ଭି.ଉଷାରାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ନାରିକେଳ ଉନ୍ନୟନ ବୋର୍ଡ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୁସ୍ତିକା ଓ ପତ୍ରିକାର ଉନ୍ମୋଚିତ ହୋଇଥିଲା। ସମାରୋହରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ତେଲଙ୍ଗାନା, ଆସାମ ଆଦି ରାଜ୍ୟରୁ ୫୦୦ରୁ ଊର୍ଦ୍ଧ୍ବ ନଡିଆ ଚାଷୀ ଯୋଗଦେଇଥିଲେ। ନଡିଆ ଚାଷ ପ୍ରଣାଳୀ ଓ ବିଭିନ୍ନ ଉତ୍ପାଦକକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।

Comments are closed.