କୁଆଲାଲୁମ୍ପୁର : ମାଲେସିଆ ଗସ୍ତରେ କ୍ରମାଗତ ୨ୟ ମ୍ୟାଚ୍ରେ ବିଜୟୀ ହୋଇଛି ଭାରତୀୟ ସିନିୟର ମହିଳା ହକି ଦଳ। ଶନିବାର ୨ୟ ମ୍ୟାଚ୍ରେ ଘରୋଇ ମାଲେସିଆକୁ ସହଜରେ ୫-୦ ଗୋଲ୍ରେ ପରାସ୍ତ କରିଛି। ଭାରତ ପାଇଁ ୫ ଜଣ ପୃଥକ୍ ଖେଳାଳି ଏହି ୫ଟି ଗୋଲ୍ ସ୍କୋର୍ କରିଥିଲେ; ଯାହା ଦଳଗତ ସଫଳତା ପ୍ରମାଣିତ କରୁଛି। ଏହି ବିଜୟ ସହ ଭାରତୀୟ ମହିଳା ଦଳ ୫ ମ୍ୟାଚ୍ର ହକି ସିରିଜ୍ରେ ୨-୦ରେ ଆଗୁଆ ହୋଇଛି। ୮ରେ ୩ୟ ମ୍ୟାଚ୍ ଖେଳାଯିବ।
ଆକ୍ରମଣାତ୍ମକ ଢଙ୍ଗେର ଭାରତୀୟ ମହିଳା ଦଳ ଏହି ମ୍ୟାଚ୍ ଆରମ୍ଭ କରିଥିଲା। ୩ୟ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଏହା ବେକାର ହୋଇଥିଲା। ପରେ ଭାରତ ଆଉ ୨ଟି ସୁଯୋଗ ହାତଛଡ଼ା କରିଥିଲା। ୧୨ ମିନିଟରେ ଭାରତ ପ୍ରଥମ ଗୋଲ୍ ସ୍କୋର୍ କରିଥିଲା। ନବଜୋତ୍ କୌର ଏହି ଫିଲ୍ଡ ଗୋଲ୍ ଦେଇଥିଲେ। ୨୦ ମିନିଟରେ ଭାରତୀୟ ଷ୍ଟ୍ରାଇକର ବନ୍ଦନା କାଟାରିୟା ଏକ ଦର୍ଶନୀୟ ଫିଲ୍ଡ ଗୋଲ୍ ଦେଇଥିଲେ। ୨୯ ମିନିଟରେ ନବନୀତ କୌର ଭାରତ ପାଇଁ ୩ୟ ଗୋଲ୍ ସ୍କୋର୍ କରିଥିଲେ। ମଧ୍ୟାନ୍ତର ସୁଦ୍ଧା ଭାରତ ୩-୦ ଗୋଲ୍ରେ ଆଗୁଆ ରହିଥିଲା। ତେବେ ୩ୟ କ୍ବାର୍ଟରରେ ମାଲେସିଆର ଡିଫେଣ୍ଡର ଲଢ଼ୁଆ ପ୍ରଦର୍ଶନ କରିବାରୁ ଏହି ୧୫ ମିନିଟରେ କୌଣସି ଗୋଲ୍ ହୋଇନଥିଲା। ତେବେ ୪ର୍ଥ ତଥା ଶେଷ କ୍ବାର୍ଟରରେ ଭାରତ ଆଉ ୨ଟି ଗୋଲ୍ ଦେଇଥିଲା। ୫୪ ମିନିଟରେ ଲାଲରେମ୍ସିଆମି ୪ର୍ଥ ଗୋଲ୍ ଦେଇଥିବା ବେଳେ ୫୫ ମିନିଟରେ ନିକ୍କି ପ୍ରଧାନ ୫ମ ତଥା ଅନ୍ତିମ ଗୋଲ୍ ଦେଇଥିଲେ।
ମହିଳା ହକି ସିରିଜ୍ : ମାଲେସିଆକୁ ୫-୦ରେ ହରାଇଲା ଭାରତ
Popular Categories



